Videos
|
Odisha

Severe Cyclone Alert / ସୃଷ୍ଟି ହେଲା ବାତ୍ୟା “ଅର୍ଣ୍ଣବ”…ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ…୧୨୫ କିମିରୁ ୧୪୦ କିମି ପର୍ଯ୍ୟନ୍ତ ଝଟକା ପବନ ବହିବ

Ritu Das
Browse all articles by Ritu Das
·2 hours ago·3 min read
ସୃଷ୍ଟି ହେଲା ବାତ୍ୟା “ଅର୍ଣ୍ଣବ”…ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ…୧୨୫ କିମିରୁ ୧୪୦ କିମି ପର୍ଯ୍ୟନ୍ତ ଝଟକା ପବନ ବହିବ
India

Key Points

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟା ‘ଅର୍ଣ୍ଣବ’ରେ ପରିଣତ ହୋଇଛି
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟା ‘ଅର୍ଣ୍ଣବ’ରେ ପରିଣତ ହୋଇଛି। ଆଜି ସକାଳ ୫ଟା ୩୦ ମିନିଟ୍‌ର ସୂଚନା ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ପ୍ରାୟ ପଶ୍ଚିମ ଦିଗକୁ ଗତି କରି ଘୂର୍ଣ୍ଣିବାତ୍ୟା ‘ଅର୍ଣ୍ଣବ’ (Arnab)ରେ ପରିଣତ ହୋଇଛି।
ଏହା ଆଣ୍ଡାମାନ ଦ୍ୱୀପପୁଞ୍ଜର ଶ୍ରୀ ବିଜୟ ପୁରମ୍‌ଠାରୁ ପ୍ରାୟ ୫୯୦ କିଲୋମିଟର ଉତ୍ତର-ପଶ୍ଚିମରେ, ବିଶାଖାପାଟଣାଠାରୁ ୬୫୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ, କାକିନାଡାଠାରୁ ୭୩୦ କିଲୋମିଟର ପୂର୍ବ-ଦକ୍ଷିଣ-ପୂର୍ବରେ, ମଚ୍ଛଲିପଟ୍ଟନମ୍‌ଠାରୁ ୮୩୦ କିଲୋମିଟର ପୂର୍ବରେ ଏବଂ ବାପଟଲାଠାରୁ ୯୧୦ କିଲୋମିଟର ପୂର୍ବରେ ରହିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଘୂର୍ଣ୍ଣିବାତ୍ୟା ‘ଅର୍ଣ୍ଣବ’ ଆଜି ମଧ୍ୟରାତ୍ରି ସୁଦ୍ଧା ଭୀଷଣ ଘୂର୍ଣ୍ଣିବାତ୍ୟାର ରୂପ ନେଇପାରେ। ଏହା ୨୮ ଅକ୍ଟୋବର ପୂର୍ବାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶ ଓ ୟାନାମ୍ ଉପକୂଳର ବାପଟଲା ଏବଂ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି। ସେହି ସମୟରେ ପବନର ସର୍ବାଧିକ ସ୍ଥାୟୀ ବେଗ ଘଣ୍ଟା ପ୍ରତି ୧୧୫ରୁ ୧୨୫ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶାର ସଂଲଗ୍ନ ଉପକୂଳ ପାଇଁ ଘୂର୍ଣ୍ଣିବାତ୍ୟା ସତର୍କତା ଜାରି କରାଯାଇଛି।

ସେପଟେ ବାତ୍ୟାକୁ ନେଇ ଓଡ଼ିଶା ସରକାର ଆଲର୍ଟରେ ରହିଛନ୍ତି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଅଧିକାରୀମାନଙ୍କ ଛୁଟି ବାତିଲ୍ କରିବା ସହ ମନ୍ତ୍ରୀଙ୍କୁ ସରକାର ଦେଇଛନ୍ତି ଗୋଟିଏ ଲେଖାଏଁ ଜିଲ୍ଲାର ଦାୟିତ୍ଵ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୮ ଜଣ ମନ୍ତ୍ରୀଙ୍କୁ ୮ଟି ଜିଲ୍ଲା ଦାୟିତ୍ବ ଦେଇଛନ୍ତି ରାଜ୍ୟ ସରକାର । ସର୍ବାଧିକ ପ୍ରଭାବିତ ହେବା ସମ୍ଭାବନା ଥିବା ୮ଟି ଜିଲ୍ଲା ପାଇଁ ୮ ଜଣ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆଯାଇଛି । ମନ୍ତ୍ରୀ ମାନେ ୨୭ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ସେମାନଙ୍କୁ ଦିଆ ଯାଇଥିବା ଜିଲ୍ଲାରେ ରହି ସ୍ଥିତି ଉପରେ ନଜର ରଖିବେ ।

କେଉଁ ମନ୍ତ୍ରୀଙ୍କୁ କେଉଁ ଜିଲ୍ଲା ?
କୋରାପୁଟ ଜିଲ୍ଲା ଦାୟିତ୍ଵରେ କେ.ଭି ସିଂହଦେଓ ଥିବା ବେଳେ ରାୟଗଡ଼ା ଜିଲ୍ଲା ଦାୟିତ୍ଵ ପ୍ରଭାତୀ ପରିଡ଼ାଙ୍କୁ ଦିଆ ଯାଇଛି । ସେହିଭଳି କନ୍ଧମାଳ- ରବିନାରାୟଣ ନାଏକ, ଗଞ୍ଜାମ- ବିଭୁତି ଭୂଷଣ ଜେନା, ନବରଙ୍ଗପୁର- କୃଷ୍ଣଚନ୍ଦ୍ର ପାତ୍ର, ମାଲକାନଗିରି- ନିତ୍ୟାନନ୍ଦ ଗଣ୍ଡ, କଳାହାଣ୍ଡି- ମୁକେଶ ମହାଲିଙ୍ଗ, ଗଜପତି ଜିଲ୍ଲା ଦାୟିତ୍ଵ ସୂର୍ଯ୍ୟବଂଶୀ ସୂରଜଙ୍କୁ ଦିଆଯାଇଛି ।

୫ ଜିଲ୍ଲା ଦାୟିତ୍ଵରେ IAS

ବାତ୍ୟା ସୁପରିଚାଳନା ପାଇଁ ୫ IAS ଅଧିକାରୀଙ୍କୁ ୫ଟି ଜିଲ୍ଲାର ଦାୟିତ୍ଵ ଦିଆଯାଇଛି । କେ. ସୁଦର୍ଶନ ଚକ୍ରବର୍ତ୍ତୀ ରାୟଗଡ଼ା ଜିଲ୍ଲା ଦାୟିତ୍ଵରେ ଥିବାବେଳେ ଡକ୍ଟର ପୋମା ଟୁଡୁଙ୍କୁ କୋରାପୁଟ ଜିଲ୍ଲା, ବିଜୟ କୁମାର ଦାଶଙ୍କୁ ଗଜପତି, ଡକ୍ଟର ୟେଦୁଲା ବିଜୟଙ୍କୁ ମାଲକାନଗିରି ଜିଲ୍ଲା ଦାୟିତ୍ଵ ଦିଆଯାଇଛି । ନବରଙ୍ଗପୁର ଜିଲ୍ଲା ଦାୟିତ୍ଵରେ ଅଛନ୍ତି ଡକ୍ଟର ମହେଶ୍ଵର ସ୍ଵାଇଁ ।

  • ୨୭ରୁ ୩୦ ପର୍ଯ୍ୟନ୍ତ ବର୍ଷା

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ୨୭ ତାରିଖରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆରମ୍ଭ ହେବ । ୩୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା । ବିଶେଷ କରି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା କରାଯାଇଛି ।

୨୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି । ସେହିଭଳି ୨୮ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରୁ ଅତି ପ୍ରବଳ ବର୍ଷା ନେଇ ଦିଆଯାଇଛି ରେଡ୍ ୱାର୍ଣ୍ଣିଂ। ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଛି ।

  • ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ୨୭ରୁ ୨୯ ପର୍ଯ୍ୟନ୍ତ ସମୁଦ୍ର ପ୍ରବେଶ ବାରଣ କରାଯାଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଅତି ଭୀଷଣ ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ଅତି ଜୋର୍‌ରେ ପବନ ହେବ । ଘଣ୍ଟାପ୍ରତି ପବନର ବେଗ ୧୧୫ରୁ ୧୨୫ କିଲୋମିଟର ପର୍ଯ୍ୟନ୍ତ ରହିପାରେ । ସେହିଭଳି ଏହି ସମୟରେ ଘଣ୍ଟାପ୍ରତି ୧୪୦ କିଲୋମିଟର ବେଗରେ ଝଟ୍‌କା ପବନ ବହିବାର ଆଶଙ୍କା କରାଯାଇଛି ।