Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦାଦନ ଶୂନ୍ୟ ଜିଲ୍ଲାରେ କରୁଣ କାହାଣୀ

Odisha

ଦାଦନ ଶୂନ୍ୟ ଜିଲ୍ଲାରେ କରୁଣ କାହାଣୀ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଦାଦନ ଶୂନ୍ୟ ଜିଲ୍ଲାରେ କରୁଣ କାହାଣୀ

ଅର୍ଗସ ବ୍ୟୁରୋ: ଶ୍ରମ ମନ୍ତ୍ରୀ ଶାରଦା ନାୟକ, କେମିତି ଅଛନ୍ତି ? ଶାନ୍ତିରେ ନା ଶୀତସୁପ୍ତିରେ ? ଦୟାକରି ଏ ବାପାମାଆ ଦିଟାଙ୍କ କାନ୍ଦ ତଳେ ଲୁଚିଥିବା ପ୍ରଶ୍ନର ଉତ୍ତର ଦେବେ କି ? ଆପଣଙ୍କ ସରକାରର ତଥ୍ୟ ଅନୁସାରେ ଦାଦାନ ଶୂନ୍ୟ ଭଦ୍ରକ ଜିଲ୍ଲାର ଏମାନେ ବାସିନ୍ଦା । 4 ମାସ ହେବ ବାସୁଦେବପୁର ବ୍ଲକର ସାନମଛୁଆଘାଇ ଗାଁର ଦୀପକ ନାୟକ ରୋଷେୟା କାମ କରିବାକୁ ଯାଇଥିଲେ ସୁଦୂର ବେଙ୍ଗାଳୁରୁ । ହେଲେ ବିଗତ ଦେଢ଼ ମାସ ହେବ ମାଲିକଙ୍କ ପାଖରେ କାମ କରି ଟଙ୍କା ମାଗିବାରୁ ତାଙ୍କୁ ମିଳିଛି ମୃତ୍ୟୁଦଣ୍ଡ । ଗତ 10 ତାରିଖରେ ଦୀପକ ଘରକୁ ଆସିବା ପାଇଁ ବାହାରିବାରୁ ଦୀପକଙ୍କୁ ହୋଟେଲ ମାଲିକ ଗୁଣ୍ଡା ଲଗାଇ ମାଡ଼ ମାରିବା ସହ ଏସିଡ ପିଆଇ ଫିଙ୍ଗି ଦେଇଥିଲେ । ପରେ ବଡ଼ ଭାଇ ଖବର ପାଇ ସାନଭାଇକୁ ବେଙ୍ଗାଳୁରୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । 4 ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ଦୀପକ ଆଖି ବୁଜିଲେ । ଏପରିକି ମୃତଦେହ ଆଣିବାକୁ ପଇସା ନ ଥିବାରୁ ସେଇଠି ହିଁ ଶେଷ ସଂସ୍କାର ଶେଷ କରିଛି ବଡ଼ ଭାଇ । ବୁଢ଼ା ବାପମାଆ ପୁଅକୁ ଶେଷ ଥର ପାଇଁ ଦେଖି ବି ପାରିନାହାନ୍ତି । ଆପଣଙ୍କୁ ୨୪ ବର୍ଷ ସରକାରରେ ରଖିବାର ମୂଲ୍ୟ ଏହା ଠାରୁ କଣ ଆଉ ବା ଅଧିକ ମିଳିଥାନ୍ତା ?

ଆମ ରାଜ୍ୟରେ ରହିଛି ରୋଜଗାର ସୃଷ୍ଟିର ଅପାର ସମ୍ଭାବନା। 450 କିଲୋମିଟର ସୁଦୀର୍ଘ ବେଳାଭୂମି ସାଙ୍ଗକୁ , ଅମାପ ଖଣିଜ ସମ୍ପଦ, ଜଳ ସମ୍ପଦ, ଜଙ୍ଗଲ ସମ୍ପଦ, କଳା, ଭାସ୍କର୍ଯ୍ୟ, ହସ୍ତତନ୍ତ, ପର୍ଯ୍ୟଟନ, ପାରମ୍ପରିକ ଚିକିତ୍ସା ପରି ରୋଜଗାର ସୃଷ୍ଟିର ଅନେକ ଉତ୍ସ ଭରି ରହିଛି ଓଡ଼ିଶାର ପ୍ରତିଟି କୋଣରେ। ତେବେ ରାଜ୍ୟ ସରକାର ଏସବୁର ବିନିଯୋଗ କରି ରୋଜଗାର ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି। କେବଳ ଖଣି ରାଜସ୍ବ ଉପରେ ନିର୍ଭରଶୀଳ ଓଡ଼ିଶା। ଯଦି 24 ବର୍ଷର ଓଡ଼ିଶାରେ ଭରି ରହିଥିବା ପ୍ରାକୃତିକ ସଂଶାଧନର ସୁବିନିଯୋଗ କରାଯାଇଥାନ୍ତା ଆଜି କଣ ଲକ୍ଷ ଲକ୍ଷ ଓଡ଼ିଆଙ୍କୁ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ୁଥାନ୍ତ ? ସବୁ ସୁଯୋଗ ଥାଇ ବି ନିଜ ପୁରୁଷାର୍ଥ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି 24 ବର୍ଷର ବିଜେଡି ସରକାର । କୁହାଳିଆ ଶ୍ରମ ମନ୍ତ୍ରୀ ବିଧାନସଭାରେ ଯେଉଁ ୯ ଜିଲ୍ଲା ଦାଦନ ଶୂନ୍ୟ ବୋଲି ବାହାସ୍ପୋଟ ମାରିଲେ ତା ମଧ୍ୟରେ ଥିଲା ଭଦ୍ରକ ଜିଲ୍ଲା । ସେଥିପାଇଁ ଆଜି କେନ୍ଦ୍ରମନ୍ତ୍ରୀ ରାଜ୍ୟର ଦାଦନ ସ୍ଥିତିର ଅସଲ ଗୁମର ଖୋଲିଛନ୍ତି । 

ଉପାନ୍ତରୁ ଉପକୂଳ ସବୁଠି ଦାଦନ ଯାତନା । କେଉଁଠି ଦାଦାନ ଶବ ହୋଇ ଫେରୁଛି ତ କେଉଁଠି ହତ୍ୟାର ଶିକାର ହୋଇଛି ଓଡ଼ିଆ ଦାଦନ ଶ୍ରମିକ କିଏ ପୁଣି ହାତ ଗୋଡ଼ ହରାଇ ପଙ୍ଗୁ ସାଜି ଘରକୁ ଫେରୁଛି।  କିନ୍ତୁ ବିଡମ୍ବନା ଯେ ଏହାର ସମାଧାନ କରିବାତ ଦୂରର କଥା ବସ୍ତବ ସତକୁ ରାଜ୍ୟ ସରକାର ମାନିବାକୁ ନାରାଜ। ଦାଦନ ଯନ୍ତ୍ରଣା ଅନୁଭବ କରିବାକୁ ବିଜେଡି ସରକାରଙ୍କୁ ଆଉ କେତେ ପ୍ରମାଣ ଦରକାର। ଆଉ କେତେ ଓଡ଼ିଆଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ପରେ ଖୋଲିବ ରାଜ୍ୟ ସରକାରଙ୍କ ଆଖି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
dadan sad story | Argus News