Videos
|
Odisha

ଦାମୋଦର ରାଉତଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି 

Manini Pattanayak
Browse all articles by Manini Pattanayak
·2 years ago·2 min read
ଦାମୋଦର ରାଉତଙ୍କ ବିୟୋଗ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି 

ଭୁବନେଶ୍ୱର:  ଓଡ଼ିଶା ରାଜନୀତିରେ ଗୋଟିଏ ଯୁଗର ଅବସାନ । ପରଲୋକରେ ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ । ୭ ଥର ବିଧାୟକ ଓ ୭ରୁ ଅଧିକ ବିଭାଗରେ ମନ୍ତ୍ରୀ ଥିଲେ ଦାମ । ଦାମଙ୍କ ବିୟୋଗରେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଭୁବନେଶ୍ବରରୁ ପାରାଦୀପ, ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବହୁ ବିଶିଷ୍ଟ ନେତା ଓ ଜନତା ।

ରାଜନୀତି କ୍ଷେତ୍ରରେ ଗୋଟିଏ ଯୁଗର ଅବସାନ । ଆଉ ନାହାଁନ୍ତି ଓଡ଼ିଶା ରାଜନୀତିର ମହାନାୟକ ଦାମୋଦର ରାଉତ । 83 ବର୍ଷ ବୟସରେ ଭୁବନେଶ୍ବରର ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ଧରି କିଡନୀ ଜନିତ ସମସ୍ୟାରେ ଯୁଝି ହେଉଥିଲେ ଦାମ ରାଉତ । ଗତକାଲି ହୃଦଘାତ ଯୋଗୁଁ ମେଡିକାଲରେ ଭର୍ତ୍ତି ହୋଇଥିଲେ ।
ଦାମ ରାଉତଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଟ୍ବିଟ୍ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ନେତା ଦାମଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ବିଧାନସଭାରେ ଦାମ ରାଉତଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ରାଜନେତା ଦାମଙ୍କ ଅନ୍ତିମ ଦର୍ଶନ ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ । 

1942 ମସିହା ଜୁଲାଇ 2 ତାରିଖରେ ଜନ୍ମଗ୍ରହଣ କରିଥିଲେ ଦାମୋଦର ରାଉତ । ବିଜୁ ବାବୁଙ୍କ ପରାମର୍ଶରେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେଇଥିଲେ । ପ୍ରଥମେ ଜନତା ଦଳ ଓ ପରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ବିଜେଡି ସରକାରରେ ମନ୍ତ୍ରୀ ଭାବେ ଦୀର୍ଘ ଦିନ ଧରି ମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ । 7 ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଦାମୋଦର । 5 ଥର ଏରସମା, 2 ଥର ପାରାଦୀପରୁ ଲଢ଼ି ଜିତିଥିଲେ ।  1977ରେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଜନତା ପାର୍ଟି ଟିକେଟ୍‌ରେ ବାଲିକୁଦା-ଏରସମା ଆସନରୁ ବିଧାୟକ ହୋଇଥିଲେ ।

1980ରେ ଜନତା ଦଳ ସେକୁଲାରରୁ ଜିତି 2ୟ ଥର ବିଧାନସଭା ଆସିଥିଲେ । କୃଷି, ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ସମବାୟ ପରି 7ରୁ ଉର୍ଦ୍ଧ୍ବ ବିଭାଗର ମନ୍ତ୍ରୀ ଥିଲେ । ସୂଚନା ଓ ଲୋକସମ୍ପର୍କ ଏବଂ ମହିଳା ଓ ଶିଶୁ ବିଭାଗର ମନ୍ତ୍ରୀ ଥିଲେ । 2017ରେ ଦାମଙ୍କୁ ଦଳରୁ ବହିଷ୍କାର କରିଥିଲା ବିଜେଡି । 2018 ମାର୍ଚ୍ଚରେ ବିଜେପିରେ ମିଶି ବାଲିକୁଦାରୁ ଲଢ଼ି ହାରିଥିଲେ । ଗତ ଜାନୁଆରୀରେ ବିଜେଡି ତାଙ୍କ ଉପରୁ ବହିଷ୍କାର ଆଦେଶ ଉଠାଇଥିଲା । ବିଧାନସଭାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କମିଟିରେ ସ୍ଥାନ ପାଇଥିଲେ । ଦାମୋଦର ରାଉତ ଦକ୍ଷ ରାଜନେତା ଭାବେ ଯେତିକି ଜଣାଶୁଣା, ରୋକ୍‌ଠୋକ୍ କଥା ପାଇଁ ସେତିକି ଚର୍ଚ୍ଚିତ ଥିଲେ । ତାଙ୍କର ବିୟୋଗ ରାଜ୍ୟ ରାଜନୀତିରେ ଏକ ଅପୂରଣୀୟ କ୍ଷତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର