Videos
|
Odisha

 ବଡ଼ବିଲରେ ଡରାଇଲାଣି ଡେଙ୍ଗୁ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା 

Manini Pattanayak
Browse all articles by Manini Pattanayak
·2 years ago·2 min read
 ବଡ଼ବିଲରେ ଡରାଇଲାଣି ଡେଙ୍ଗୁ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା 

କେନ୍ଦୁଝର: କେନ୍ଦୁଝର ଜିଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମାରାତ୍ମକ ରୂପ ଧାରଣ କରିବାରେ ଲାଗିଛି ଡେଙ୍ଗୁ । ସରକାରୀ ଭାବରେ ଜିଲାରେ ୫୧ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ବେସରକାରୀ ଭାବରେ ଏହି ସଂଖ୍ୟା ବହୁ ଅଧିକ । ଗତକାଲି କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁରେ ଆକ୍ରାନ୍ତ ହୋଇ  ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ବଡ଼ବିଲ ୱାର୍ଡ଼ ନଂ ୪ ଶ୍ରୀରାମ ନଗର ଅଞ୍ଚଳର ଅଜୟ ଓରଫ ବୀର ବିଶ୍ଵକର୍ମା। ତାଙ୍କ ନିଜ ଘର ଝାରଖଣ୍ଡ ଗୁମଲା ଅଞ୍ଚଳରେ । ସେ ବଡ଼ବିଲରେ ଏକ ଭଡ଼ା ଘର ନେଇ ଟ୍ରକ୍ ବ୍ୟବସାୟ କରୁଥିଲେ । 

ସରକାରୀ ତଥ୍ୟ ଅନୁସାରେ ବଡବିଲ ପୌରାଞ୍ଚଳରେ ୧୧ଜଣ  ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥୂବାବେଳେ ବେସରକାରୀ ଭାବରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ଅଧିକ । ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ୨ ଜଣ କର୍ମଚାରୀଙ୍କ ସମେତ ଜଣେ ମହିଳା କର୍ମଚାରୀଙ୍କ ପୁଅ ମଧ୍ୟ ଡେଙ୍ଗୁ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ସେପଟେ ୱାର୍ଡ଼ ନଂ ୪, ୭ ଓ ୱାର୍ଡ଼ ନଂ ୧୨ ରେ ଲୋକେ ଅଧିକ ଆକ୍ରାନ୍ତ ହେଉଥିବା କୁହାଯାଉଛି । ତେବେ ଗତକାଲି ଏହି ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ବଡ଼ବିଲ ପୌରାଞ୍ଚଳରେ ଏକ ପ୍ରକାର ଆତଙ୍କ ସୃଷ୍ଟି ହୋଇଛି । ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡେଙ୍ଗୁ ରୋଗୀଙ୍କ ରକ୍ତ ନମୂନା ଯାଞ୍ଚ କରିବା ପାଇଁ କୌଣସି ସୁବିଧା ନଥିବା ଯୋଗୁଁ ଲୋକେ ବିଭିନ୍ନ ଘରୋଇ ପାଥୋ ଲ୍ୟାବକୁ ଯାଇ ଆଣ୍ଟିଜେନ୍ ଟେଷ୍ଟ କରାଇ ଖର୍ଚ୍ଚାନ୍ତ ହେଉଛନ୍ତି । ଏହାବାଦ୍ ଜିଲା ମୁଖ୍ୟ ଚିକିତ୍ସାଳୟ ବ୍ୟତୀତ ଡେଙ୍ଗୁ ରୋଗୀଙ୍କ ରକ୍ତନମୂନା ପରୀକ୍ଷା ପାଇଁ ଜିଲାର ଅନ୍ୟ କୌଣସି ଚିକିତ୍ସାଳୟରେ ଏଲିସା ଟେଷ୍ଟ ର ସୁବିଧା ନାହିଁ ।

ଫଳରେ ସନ୍ଦିଗ୍ଧ ଡେଙ୍ଗୁ ଆକ୍ରାନ୍ତଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି । ସେପଟେ ସହରର ସଫେଇ ବ୍ୟବସ୍ଥା ନିୟମିତ ଭାବରେ ହେଉ ନଥିବା ଯୋଗୁଁ ମାସ ମାସ ଧରି କୁଢ଼କୁଢ଼ ଆବର୍ଜନା ଜମା ହୋଇ ରହୁଥ‌ିବା ବେଳେ ଅଧିକାଂଶ ଡ୍ରେନ ପୋତି ହୋଇ ଜଳ ନିଷ୍କାସିତ ହୋଇପାରୁନି, ଫଳରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଲୋକେ ଅଭିଯୋଗ କରିଛନ୍ତି । ଡେଙ୍ଗୁ ନିରାକରଣ ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବା ସହିତ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଲିସା ଟେଷ୍ଟ ମେସିନର ବ୍ୟବସ୍ଥା କରାଯାଇ ଏହାର ସଫଳ ମୁକବିଲା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଦାବି ହୋଇଛି । ବଡ଼ବିଲର ଡେଙ୍ଗୁ ଭୟାବହତା ଆଶଙ୍କାକୁ ଦୃଷ୍ଟିରେ ରଖି  ସହରର ଗଳିକନ୍ଦିର ବିଭିନ୍ନ ସ୍ଥାନରେ ଜମି ରହୁଥ‌ିବା ଜଳ ନିଷ୍କାସନ, ଡ୍ରେନରେ ମଶା ତେଲ ସିଞ୍ଚନ ତଥା ଗଳିକନ୍ଦିରେ ମଶାଧୂଆଁ ଦେବା ପାଇଁ ପଦକ୍ଷେପ ଗ୍ରହଣ ଜରୁରୀ ହୋଇପଡିଛି। ଏନେଇ ଆମେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେହେଁ ତାହା ସମ୍ଭବ ହୋଇ ପାରିନାହିଁ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Dengue is scary in badbil, the number of infected is increasing | Argus News