ଡିଜିଟାଲ ଫସଲ ସର୍ବେକ୍ଷଣ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଅର୍ଗସ ବ୍ୟୁରୋ: ଡିଜିଟାଲ ଫସଲ ସର୍ବେକ୍ଷଣ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ। ଇ- ଚାଷ ଆପ୍ ଜରିଆରେ ଡିଜିଟାଲ ଫସଲର ସର୍ବେକ୍ଷଣ କରାଯାଉଛି, ଯେଉଁଥିରେ କୃଷକଙ୍କ ଫସଲ ଓ ଚାଷଜମିର ତଥ୍ୟ ସରକାରଙ୍କ ପାଖରେ ପହଂଚି ପାରୁଛି । ଏହି ସର୍ବେକ୍ଷଣ ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସର୍ବେକ୍ଷଣ ଆଧାରରେ ଚାଷୀମାନେ ସିଏମ୍- କିଷାନ ତଥା ଅନେକ ଅନ୍ୟ ଯୋଜନା ଅନ୍ତର୍ଗତ ଆର୍ଥିକ ସୁବିଧା ପାଇ ପାରିବେ । ଏହାର ପ୍ରଥମ କିସ୍ତି ଆସନ୍ତା ସେପ୍ଟେମ୍ବର ୮ ତାରିଖ ନୁଆଁଖାଇ ଦିନ ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ।
ବାଦ ପଡିଥିବା ସମସ୍ତ ଯୋଗ୍ୟ ଚାଷୀ ଏହା ଦ୍ବାରା ଉପକୃତ ହୋଇପାରିବେ ବୋଲି ଉପ ମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ କହିଛନ୍ତି । କୃଷକଙ୍କ ତଥ୍ୟ ଏକ ରେଜିଷ୍ଟ୍ରିରେ ID ସହ ରହିବ। ଏଥିପାଇଁ ପ୍ରତି ଜିଲ୍ଳାରେ ନୋଡାଲ ଅଧିକାରୀମାନେ ରହିବେ ଓ ସେମାନେ ପ୍ରତ୍ୟକ୍ଷ ଭାବେ କ୍ଷେତ୍ର ପରିଦର୍ଶନରେ ଯାଇ ସର୍ବେକ୍ଷଣର ଅନୁଧ୍ୟାନ କରିବେ । ବାଦ ପଡିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ସଂଗ୍ରହ କରି ବିଭାଗକୁ ଜଣାଇବେ । ଏ ନେଇ ଏକ ମାର୍ଗଦର୍ଶିକା ତିଆରି ହେବ ଓ ସିଏମ୍ କିଷାନ ପୋର୍ଟାଲ ବର୍ଷ ତମାମ ଖୋଲା ରହିବ ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି । ଚାଷୀମାନେ ନୂଆ ପୋର୍ଟାଲ ଜରିଆରେ ଆବେଦନ କିମ୍ବା ତଥ୍ୟ ଅପଡେଟ କରିବା ପାଇଁ କୌଣସି ପ୍ରକାର ଦେୟ ପ୍ରଦାନ କରିବେ ନାହିଁ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: