ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ସ୍ଥାନ ପାଇଲେନି ସାରଥୀ, ପାର୍ଶ୍ଵ ଦେବାଦେବୀ

ପୁରୀ: ସଙ୍କଟରେ ଓଡ଼ିଆ ଅସ୍ମିତା। ଜାଣିଶୁଣି ଓଡ଼ିଆ ଭାବାବେଗ ସହ ସମ୍ପୃକ୍ତ ଆସ୍ଥା ଉପରେ ଆକ୍ରମଣ କରୁଛନ୍ତି ଅହଂକାରର ଚରମ ସୀମାରେ ପହଞ୍ଚିଥିବା ବିଜେଡିର ନେତୃତ୍ବ। ଏବେ ଶ୍ରୀକ୍ଷେତ୍ର ପୁରୀରୁ ସାମ୍ନାକୁ ଆଉ ଏକ ଅଭାବନୀୟ ଚିତ୍ର। ବାରମ୍ବାର ଦାବି ପରେ ବି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ମହାପ୍ରଭୁଙ୍କ ରଥ ସାରଥୀଙ୍କୁ ସ୍ଥାନ ଦିଆଗଲା ନାହିଁ। ଫଳରେ ଏବେ ନିଶାଡ଼ିଙ୍କ ଆଡ୍ଡାରେ ପଡ଼ି ତ୍ରାହି ତ୍ରାହି ଡାକୁଛନ୍ତି ଦାରୁବ୍ରହ୍ମଙ୍କ ରଥ ସାରଥୀ। ଓଡ଼ିଆ ଅସ୍ମିତାର ପ୍ରତୀକ ପ୍ରଭୁ ଜଗନ୍ନାଥଙ୍କ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ବାରମ୍ବାର କୁଠାରାଘାତ କରିଆସିଛି ବିଜୁ ଜନତା ଦଳ। ନବକଳେବର ବ୍ରହ୍ମ ବିଭ୍ରାଟ, ରତ୍ନଭଣ୍ଡାର ରତ୍ନଗଣତି, ପରିକ୍ରମା ପ୍ରକଳ୍ପ ପାଇଁ ମଠ ମନ୍ଦିର ଭାଙ୍ଗିବା ସହ ଅର୍ପଣ ଚାଉଳ ମାଗିବା ଓ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଆଦି ପ୍ରସଙ୍ଗରେ ଜାଣି ଶୁଣି ଖେଳ ଖେଳାଯାଉଛି।
ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରାରେ ତିନି ରଥର ସାରଥୀ ଦାରୁକ , ଅର୍ଜୁନ ଓ ମାତଳି । ମହାପ୍ରଭୁଙ୍କ ସହ ହୁଅନ୍ତି ନବକଳେବର। ଆଉ ମହାପ୍ରଭୁ ପାତାଳି ହେଲେ ନିଅନ୍ତି ଗୋଲକ ସମାଧି । ଘୋଷଯାତ୍ରା ପରେ ରଥର ବିଭିନ୍ନ ଅଂଶକୁ ଭାଙ୍ଗି ଦିଆଯାଉଥିବା ବେଳେ ପୂଜା ପାଇଥାନ୍ତି ରଥ ସାରଥି ଓ ପାର୍ଶ୍ଵଦେବାଦେବୀ । ହେଲେ ପରିକ୍ରମା ପ୍ରକଳ୍ପ ନିର୍ମାଣ ପରେ ବେଘର ହୋଇଛନ୍ତି ପୂର୍ବରୁ ଦୋଳବେଦୀରେ ରହୁଥିବା ସାରଥୀ ଓ ପାର୍ଶ୍ଵଦେବାଦେବୀ। ବ୍ରହ୍ମଦାରୁଙ୍କ ସାରଥୀ ଏବେ ବାଗେଡ଼ିଆ ଧର୍ମଶାଳା ସନ୍ନିକଟ ପାର୍କିଂ ସ୍ଥଳରେ ଏକ ସ୍ଥାନରେ ଅଛନ୍ତି । କିନ୍ତୁ ଭଲକରି ଦେଖନ୍ତୁ ଏ ସ୍ଥାନକୁ। ମହାପ୍ରଭୁଙ୍କ ସହ ନବକଳେବର ହେଉଥିବା ଏହି ଠାକୁରମାନଙ୍କ ଆସ୍ଥାନ ନିକଟରେ ଏବେ ଜମିଛି ନିଶାଡ଼ିଙ୍କ ଆଡ୍ଡା। ଅବ୍ୟବସ୍ଥା ଭିତରେ ଅପରିଷ୍କାର ହୋଇ ରହିଛନ୍ତି ସାରଥୀ। ଏଠି ଗଡୁଛି ଜରି ଅଳିଆ ଓ ମଦ ବୋତଲ। ଯେଉଁ ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଚାର କରିବାରେ ବ୍ୟସ୍ତ ବିଜେଡି ସରକାର। ସେହି ପରିକ୍ରମା କରି ଜଗନ୍ନାଥ ସଂସ୍କୃତି ସହ କରାଯାଇଛି ସାଂଘାତିକ ଅସମ୍ମାନ । ଅପୂଜା ପଡ଼ିରହିଛନ୍ତି ସାରଥୀ , ପାର୍ଶ୍ଵ ଦେବାଦେବାଦେବୀ କେଉଁଠି ଅଛନ୍ତି ସେକଥା ଜାଣିନାହାନ୍ତି ରୂପକାର ନିଯୋଗ। ରୂପକାର ନିଯୋଗ ପକ୍ଷରୁ ବହୁ ଥର ଦାବି ପରେ ବି ପରିକ୍ରମା ପ୍ରକଳ୍ପରେ ଏହି ଦେବଦେବୀଙ୍କୁ ସ୍ଥାନ ଦିଆଗଲା ନାହିଁ ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଅସ୍ମିତାର ପ୍ରତୀକ । ହେଲେ ଦେଖନ୍ତୁ, ବିଜେଡି ସଭା ପରେ କଳା ଠାକୁର କେମିତି ଅଲୋଡ଼ା, ଅଣଦେଖା । ବିଜେଡି ସରକାର ସମୟରେ ନବକଳେବର ବ୍ରହ୍ମ ବିଭ୍ରାଟ ଜଗନ୍ନାଥ ପ୍ରେମୀଙ୍କୁ କରିଛି ଆହତ । କୋଭିଡ୍ ସମୟରେ ରଥଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ପାଇଁ ଷଡ଼ଯନ୍ତ୍ର କରିଥିଲେ ବିଜେଡି ସରକାର । କୋର୍ଟରେ ମାମଲା, ସୁପ୍ରିମକୋର୍ଟଙ୍କ ରାୟ ଯୋଗୁଁ ବନ୍ଦ ହେଲାନି ଶତାବ୍ଦୀ ଶତାବ୍ଦୀର ଓଡ଼ିଆ ଅସ୍ମିତାର ପରିଚୟ ରଥଯାତ୍ରା । ରତ୍ନ ଭଣ୍ଡାରରେ ରତ୍ନ ଅଛି କି ନାହିଁ ସନ୍ଦେହ ଘେରରେ । ଚାବି ହଜିବା, ମିଳିବା ବିବାଦ ଭିତରେ ଜାଣିଶୁଣି ରତ୍ନଭଣ୍ଡାର ଖୋଲିବାକୁ ପଛଘୁଞ୍ଚା ରାଜ୍ୟ ସରକାର । ଅହଙ୍କାରର ବଶବର୍ତ୍ତୀ ବିଜେଡିର ଅଣଓଡ଼ିଆ ନେତୃତ୍ବ । ଚାରିଦ୍ବାର ନଖୋଲିବାକୁ ନଛୋଡ଼ବନ୍ଧା । ଧର୍ମ ଅର୍ଥ କାମମୋକ୍ଷର ପ୍ରତୀକ ଚାରିଦ୍ବାରରେ ପ୍ରବେଶ ଓ ପ୍ରସ୍ଥାନ । ଅନାଦି ଅନନ୍ତ କାଳରୁ ଓଡ଼ିଆ ଭାବାବେଗର ଆସ୍ଥା । କେମିତି ବୁଝିବ ଓଡ଼ିଆ ସ୍ବାଭିମାନର ପରିଚୟକୁ ଅଣ ଓଡ଼ିଆ ନେତୃତ୍ବ ? ଜଗନ୍ନାଥଙ୍କୁ ଅସମ୍ମାନ, ଓଡ଼ିଆ ଅସ୍ମିତା ପ୍ରତି ସୃଷ୍ଟି ହୋଇଥିବା ବିପଦକୁ ନେଇ ଏବେ ରାଜ୍ୟବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର
