Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାବାସୀଙ୍କ ସମୃଦ୍ଧି ଉପରେ ବିଶ୍ୱବିଦ୍ୟାଳୟ ଚିନ୍ତା କରିବା ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ

Santosh Kumar Sahoo
Browse all articles by Santosh Kumar Sahoo
·10 months ago·3 min read
ଓଡ଼ିଶାବାସୀଙ୍କ ସମୃଦ୍ଧି ଉପରେ ବିଶ୍ୱବିଦ୍ୟାଳୟ ଚିନ୍ତା କରିବା ଆବଶ୍ୟକ: ଧର୍ମେନ୍ଦ୍ର ପ୍ରଧାନ

Key Points

ସମ୍ବଲପୁର ବିଶ୍ଵବିଦ୍ୟାଳୟ ଓ ବୁର୍ଲା ଭିସୁଟର ସମାବର୍ତ୍ତନ ସମାରୋହରେ ସାମିଲ ହେଲେ ରାଜ୍ୟପାଳ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।ମାତୃଭାଷାରେ ଶିକ୍ଷା ଉପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ବ।

ଓଡ଼ିଶାବାସୀଙ୍କ ସୁଖ, ସମୃଦ୍ଧି ଓ ସମ୍ପନ୍ନତା ବଢାଇବା ପାଇଁ ବିଶ୍ୱବିଦ୍ୟାଳୟ ଚିନ୍ତା କରିବା ଆବଶ୍ୟକ । କେବଳ ଏତିକି ନୁହେଁ, ମାତୃଭାଷାରେ ଶିକ୍ଷାଦାନ କରିବା ଉପରେ ମଧ୍ୟ ଶିକ୍ଷାୟତନକୁ ଯଥେଷ୍ଟ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ଶନିବାର ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୫ତମ ସମାବର୍ତ୍ତନ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓଡ଼ିଶା ମାନ୍ୟବର ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟର କୁଳାଧିପତି ଡଃ. ହରିବାବୁ କମ୍ଭମପାଟିଙ୍କ ସହ ଏହି ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି, ଏହି ସମାବର୍ତ୍ତନ ଉତ୍ସବ ନୂତନ ଯାତ୍ରାର ଅୟମାରମ୍ଭ । ଆଜିର ଦିନରେ ଡିଗ୍ରୀ ଏବଂ ପଦକ ପାଇଥିବା ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ଅଭିନନ୍ଦନ । ସମ୍ବଲପୁର ବିଶ୍ଵବିଦ୍ୟାଳୟ ସହ ମୋର ସମ୍ପର୍କ ବହୁତ ପୁରୁଣା । ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜ୍ୟର ଅନ୍ୟତମ ପୁରୁଣା ଅନୁଷ୍ଠାନ । ପିଏମ ଉଷା ତରଫରୁ ମେରୁ ଅଧୀନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ୧୦୦ କୋଟି ଟଙ୍କା ଦିଆଯାଇଛି ।

ସେହିପରି ରାଜ୍ୟ ବଜେଟରୁ ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ ପ୍ରାୟ ୪୭ କୋଟି ଟଙ୍କା ବିଭିନ୍ନ ପ୍ରକାର ଉନ୍ନତିମୂଳକ କାର୍ଯ୍ୟ ପାଇଁ ପ୍ରଦାନ କରାଯାଇଛି । ସମ୍ବଲପୁର ୟୁନିଭରସିଟିର ସିଉଟ ପାଇଁ ୧୦ କୋଟି ଟଙ୍କା ଏଆଇ ଲ୍ୟାବ ଓ ଇ-ଲାଇବ୍ରେରୀ ପାଇଁ ଦିଆଯାଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଭିତ୍ତିଭୂମି ଓ ଗବେଷଣା ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିକଟରେ ୧୫୭ କୋଟି ଟଙ୍କା ଦେଇଛନ୍ତି ।

ସମ୍ବଲପୁରରେ ଜାତୀୟ ସ୍ତରର ଆଇଆଇଏମ୍, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବୁର୍ଲା ମେଡିକାଲ କଲେଜ, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି, ଓୟୁଏଟିର ଚିପିଲିମା କ୍ୟାମ୍ପସ ଏବଂ ଓପନ ୟୁନିଭରସିଟି ମଧ୍ୟ ଅଛି, ଯାହା ସମ୍ବଲପୁରକୁ ଭୁବନେଶ୍ୱର ପରେ ଦ୍ୱିତୀୟ ଶିକ୍ଷା କେନ୍ଦ୍ର ଭାବେ ପରିଚିତ କରାଉଛି । ଓଡ଼ିଶାକୁ ଭାଷା ଭିତ୍ତିକ ରାଜ୍ୟ ଗଠନ କରିବାରେ ସମ୍ବଲପୁରର ଅତୁଳନୀୟ ଅବଦାନ ରହିଛି । ସମ୍ବଲପୁରକୁ ଏକ ଜ୍ଞାନ ଆଧାରିତ ଅର୍ଥନୀତିର ପେଣ୍ଠସ୍ଥଳି କରିବା ପାଇଁ ଡବଲଇଞ୍ଜିନ ସରକାର ବଦ୍ଧ ପରିକର । ଓଡ଼ିଶାକୁ ଏକବିଂଶ ଶତାବ୍ଦୀରେ ଆଗକୁ ନେବାକୁ ହେଲେ ଶିକ୍ଷା ପଦ୍ଧତିକୁ ଆହୁରି ଗୁଣାତ୍ମକ କରିବାକୁ ପଡ଼ିବ ବୋଲି ସେ କହିଥିଲେ ।

ଟି.ବି.ମାକାଉଲେ ଭାରତରେ ଯେଉଁ ଶିକ୍ଷା ନୀତି ପ୍ରସ୍ତୁତ କରିଥିଲେ ତାହା କେବଳ ଭାରତକୁ ନୀଚ୍ଚ କରିବାର ଏକ ପ୍ରକ୍ରିୟା ଥିଲା । ଭାରତକୁ ଅନେକ ସମୟ ପରାଧୀନତା ରଖିବା ପାଇଁ ସେ ତାଙ୍କ ଦ୍ୱାରା ଏକ ଶିକ୍ଷା ନୀତି ପ୍ରଚଳନ କରିଥିଲେ । ଏହି ଶିକ୍ଷା ନୀତିର ବିକଳ୍ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆସିଛି, ଯେଉଁ ନୂଆ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି, ମାକାଉଲେଙ୍କ ପରାଧୀନ ମାନସିକତାକୁ ବଦଳାଇ ଭାରତର ସ୍ୱାଧୀନ ମାନସିକତାକୁ ବିକଶିତ କରିବା । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ପ୍ରଣୀତ ଜାତୀୟ ଶିକ୍ଷା ନୀତି ଭାରତର ଜ୍ଞାନଧାରାକୁ ଭବିଷ୍ୟତରେ ସମୃଦ୍ଧ କରିବା ପାଇଁ ଏକ ମହତ୍ୱପୂର୍ଣ୍ଣ ଦୂରଦର୍ଶୀ ଦସ୍ତାବିଜ ।

ମହାତ୍ମା ଗାନ୍ଧୀ, ରବୀନ୍ଦ୍ର ନାଥ ଟାଗୋର, ସ୍ୱାମୀ ବିବେକାନନ୍ଦ, ମହର୍ଷି ଅରବିନ୍ଦ, ମଦନ ମୋହନ ମାଲବୀୟ ଓ ସର୍ବପଲ୍ଲୀ ରାଧାକ୍ରୀଷ୍ଣଙ୍କ ଭଳି ମହାପୁରୁଷମାନେ ଯେଉଁ ସାମଗ୍ରିକ ଏବଂ ବହୁଭାଷୀ ଶିକ୍ଷାର ପରିକଳ୍ପନା କରିଥିଲେ, ଆଜି ଜାତୀୟ ଶିକ୍ଷା ନୀତିରେ ସେହି ଚିନ୍ତନଧାରାକୁ ବାସ୍ତବର ରୂପ ଦିଆଯାଉଛି ।

ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆଞ୍ଚଳିକ ଓ ମାତୃଭାଷାରେ ପିଲାମାନଙ୍କୁ ପାଠ ପଢାଇବା ଉପରେ ପ୍ରାଥମିକତା ଦିଆଯାଉଛି । ମାତୃଭାଷାରେ ପାଠ ପଢିଲେ ହିଁ ପିଲାଙ୍କର କ୍ରିଟିକାଲ ଥିଙ୍କିଂ ବିକଶିତ ହେବ । ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହନ ଦିଆଗଲେ ହିଁ ‘ବିକଶିତ ସମ୍ବଲପୁର’, ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ର ପରିକଳ୍ପନା ସାକାର ହୋଇପାରିବ । ଏହି ଲକ୍ଷ୍ୟକୁ ପୂରଣ କରିବା ଦିଗରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଗ୍ରଣୀ ଭୂମିକାରେ ରହିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ରାଜ୍ୟ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ରାଷ୍ଟ୍ର ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ରାଜ୍ୟ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଏବଂ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ବିନ୍ଦୁ ଭୂଷଣ ମିଶ୍ର ପ୍ରମୁଖ ଯୋଗଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Focus on Prosperity Through Education in Odisha: Dharmendra Pradhan at Sambalpur University | Argus News