ଡାଇରିଆ ଆତଙ୍କ, ଗ୍ରାମଦେବୀଙ୍କ ଶରଣ ପଶିଲେ ଆତଙ୍କିତ ଗ୍ରାମବାସୀ

ଅର୍ଗସ ବ୍ୟୁରୋ: ଗୁରୁଙ୍କ ଦେହରେ ଲାଗିଛି କାଳିଶି ! ଗ୍ରାମଦେବୀ ରାଗି ଯାଇଛନ୍ତି ଟୋକେଇରେ କିଛି ଚାଉଳ ନେଇ ଆଦିବାସୀ ଭାଷାରେ ମନ୍ତ୍ରୋଚାରଣ ଚାଲିଛି। ଗାଁ ମଝିରେ ପିଲାଠୁ ବୁଢା ସମସ୍ତେ ଏକଜୁଟ ହୋଇଛନ୍ତି। ଗ୍ରାମଦେବୀଙ୍କୁ ବୁଝାସୁଝା ଚାଲିଛି । ସମସ୍ତେ ସମ୍ପୁର୍ଣ୍ଣ ସୁସ୍ଥ ହୋଇଗଲେ ମା’ଙ୍କ ପାଖରେ ବୋଦାବଳୀ ଦେବା ନେଇ ମାନସିକ କରିଛନ୍ତି। ଜୟପାଟଣା ବ୍ଲକ ଅନ୍ତର୍ଗତ ଟିଙ୍ଗୋପଖାନ ଗାଁରେ ଡାଇରିଆ ବ୍ୟାପୁଥିବା ବେଳେ ସେଥିରୁ ମୁକୁଳିପା ପାଇଁ ଏଭଳି ପୂଜାର୍ଚ୍ଚନା ଚାଲିଛି।
କଳାହାଣ୍ଡି ଜୟପଟଣା ବ୍ଲକର ଟିଙ୍ଗୋପଖାନ ଗାଁରେ ବଢୁଛି ଡାଇରିଆ ଆତଙ୍କ। ଡାଇରିଆରେ ୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଗାଁରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଚାଲିଛି। ଗୁରୁତରଙ୍କୁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଉଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଜଙ୍ଗଲଜାତ ଦ୍ରବ୍ୟ କରଡି ଓ ଛତୁ ଖାଇବାକୁ ବାରଣ କରାଯାଇଛି। ସେପଟେ ଝାଡାବାନ୍ତିରୁ ରକ୍ଷା ପାଇବା ପାଇଁ ଠାକୁରାଣୀଙ୍କ ପାଖରେ ଚାଲିଛି ପୂଜାର୍ଚ୍ଚନା।
ବଣପାହାଡ ଘେରା ଆଦିବାସୀ ଅଞ୍ଚଳ ଟିଙ୍ଗୋପଖାନ । ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି। ଗାଁର ପରିମଳ ବ୍ୟବସ୍ଥା ନକହିବା ଭଲ। ଆଜି ମଧ୍ୟ ଗ୍ରାମବାସୀ ଗାଧୁଆ ଓ ଶୌଚ ପାଇଁ ନାଳ ପାଣି ବ୍ୟବହାର କରୁଥିବା ବେଳେ,ପରିମଳ ବ୍ୟବସ୍ଥା ନାହିଁ। ଗାଁର ଅନେକ ଜାଗାରେ ପାଣି ଜମି ରହିବା ସହ ଦୂଷିତ ପରିବେଶ ଲୋକଙ୍କୁ ଆହୁରି ରୋଗାକ୍ରାନ୍ତ କରୁଛି । ପ୍ରଦୂଷିତ ପରିବେଶ ଓ ଦୂଷିତ ପାଣି ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ସନ୍ଦେହ କରାଯାଉଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: