Videos
|
Odisha

Digha Jagannath Temple / ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ, ନାମ ପରିବର୍ତ୍ତନ ନେଇ ଅବଗତ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

Santosh Kumar Sahoo
Browse all articles by Santosh Kumar Sahoo
·38 mins ago·3 min read
ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ, ନାମ ପରିବର୍ତ୍ତନ ନେଇ ଅବଗତ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
Digha Jagannath Temple

Key Points

ବଦଳିଲା ଦୀଘା ଜଗନ୍ନାଥ ମନ୍ଦିରର ନାମ
ପୁରୀ ଧାମର ମର୍ଯ୍ୟାଦା ରକ୍ଷା ପାଇଁ ବେଙ୍ଗଲ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି
‘ଜଗନ୍ନାଥ ଧାମ’ ୱାର୍ଡ ମାର୍କକୁ ମିଳିଲା କପିରାଇଟ୍
ଭୁବନେଶ୍ୱର: ଦୀଘା ଜଗନ୍ନାଥ ମନ୍ଦିରର ନାମ ପରିବର୍ତ୍ତନ କରିଛନ୍ତି ପଶ୍ଚିମବଙ୍ଗ ସରକାର । ଏଣିକି ମନ୍ଦିରଟି ‘ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର’ ନାମରେ ପରିଚିତ ହେବ । ସେହିପରି ମନ୍ଦିର ପରିସରର ନାମ ‘ଶ୍ରୀ ଶ୍ରୀ ଜଗନ୍ନାଥ କଲ୍ଚରାଲ୍ ସେଣ୍ଟର’ ରଖାଯାଇଛି ।

ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅବଗତ କରାଇଛନ୍ତି। ପୁରୀ ଶ୍ରୀଜଗନ୍ନାଥ ଧାମର ମର୍ଯ୍ୟାଦା ଓ ସ୍ୱତନ୍ତ୍ରତା ରକ୍ଷା କରିବା ଉଦ୍ଦେଶ୍ୟରେ ଏହି ନାମ ପରିବର୍ତ୍ତନ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି ।



ଏହି ପଦକ୍ଷେପ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପକ୍ଷରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ମଧ୍ୟ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।

ମୁଖ୍ୟ ପ୍ରଶାସକଙ୍କ କହିବା ଅନୁଯାୟୀ, ଉଭୟ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ଯୋଗୁଁ ପଶ୍ଚିମବଙ୍ଗର ଦୀଘା ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବା ସମ୍ଭବ ହୋଇଛି। ନିୟମ ଅନୁଯାୟୀ, ‘ଜଗନ୍ନାଥ ଧାମ’ ଶବ୍ଦର ବ୍ୟବହାର ଉପରେ କଟକଣା ରହିବ, କାରଣ ଏହି ଶବ୍ଦର ଟ୍ରେଡ୍‌ମାର୍କକୁ ଅନୁମୋଦନ ମିଳିସାରିଛି ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ବିଶ୍ୱର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ରହିଥିବାରୁ କେବଳ ‘ଜଗନ୍ନାଥ ମନ୍ଦିର’ ନାମ ବ୍ୟବହାର କରିବାରେ କୌଣସି ଆପତ୍ତି ନାହିଁ ବୋଲି ସେ କହିଛନ୍ତି । ଏହି ନାମ ପରିବର୍ତ୍ତନକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ହୋଇଥିବା ସମନ୍ୱୟକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: