|
logo
Live

Argus News - ଆଜିଠୁ ଡିଜିଟାଲ ଜନଗଣନା, ପଚାରିବେ ୩୩ ପ୍ରଶ୍ନ

Odisha

Census Begins / ଆଜିଠୁ ଡିଜିଟାଲ ଜନଗଣନା, ପଚାରିବେ ୩୩ ପ୍ରଶ୍ନ

Bikash Mohanty
Browse all articles by Bikash Mohanty
·2 hours ago·3 min read
ଆଜିଠୁ ଡିଜିଟାଲ ଜନଗଣନା, ପଚାରିବେ ୩୩ ପ୍ରଶ୍ନ
Census

Key Points

ଆଜି ଠାରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା‌
ଆସନ୍ତା ମେ’୧୫ ପର୍ଯ୍ୟନ୍ତ ଚାଲିବ ଜନଗଣନା‌
ଘରକୁ ଘର ବୁଲି ପଚାରିବେ ୩୩ ପ୍ରଶ୍ନ
ଭୁବନେଶ୍ବର, ୧୬.୦୪: ଆଜି ଠାରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା‌ ଆରମ୍ଭ ହେବ। ଏଥିପାଇଁ ଜନସଂଖ୍ୟା ନିର୍ଦ୍ଦେଶାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ଏପ୍ରିଲ ୧୬ରୁ ମେ’୧୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଜନଗଣନା କାର୍ଯ୍ୟକୁ ଠିକ୍ ଭାବେ ପରିଚାଳନା କରିବା ପାଇଁ ୯୦,୨୦୦ ଜଣ ଜନଗଣନା ଅଧିକାରୀ (ଏନୁମରେଟର୍) ଏବଂ ୧୫,୧୪୦ ଜଣ ସୁପରଭାଇଜର ନିଯୁକ୍ତ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଘର ଗଣତି ସହ ନମ୍ବରିଂ ଏବଂ ଘରର ମୁଖ୍ୟଙ୍କ ସବିଶେଷ ତଥ୍ୟ ସଂଗ୍ରହ କରାଯିବ। ଜନଗଣନା ନିର୍ଦ୍ଦେଶାଳୟର ସୂଚନା ଅନୁଯାୟୀ, ପ୍ରତି ଜନଗଣନା ଅଧିକାରୀଙ୍କୁ ୮୦୦ ଲୋକଙ୍କ ତଥ୍ୟ ସଂଗ୍ରହ କରିବାକୁ ଦିଆଯାଇଛି। ଏଥିପାଇଁ ଜଣଙ୍କୁ ୨୦୦ରୁ ୨୨୦ଟି ଘର ଗଣତି କରିବାକୁ ପଡ଼ିବ। ସେମାନେ ପ୍ରତି ଗଳିକନ୍ଦି ବୁଲି ଘର ଗଣିବେ ଏବଂ ଘର ନମ୍ବରିଂ କରିବେ। ଏହାସହ ଘରର ମୁଖ୍ୟଙ୍କୁ ୩୩ଟି ପ୍ରଶ୍ନ ପଚାରିବେ। ଏଥିରେ ସେମାନଙ୍କର ପକ୍କା ଘର ନା କଚ୍ଚା ଘର ପଚାରିବେ। ପକ୍କା ଘର ଥିଲେ ଚର୍ତୁଭୁଜ ଆଙ୍କିବେ, କଚ୍ଚା ଘର ଥିଲେ ତ୍ରିଭୁଜ ଆଙ୍କିବେ।

ଘର ଚଟାଣ, କାନ୍ଥ କ’ଣ ଅଛି, ଘରର ମୁଖ୍ୟଙ୍କ ସବିଶେଷ ତଥ୍ୟ ଆଣିବେ, ଘରର ସଦସ୍ୟ ସଂଖ୍ୟା, କେତେ ପୁରୁଷ, କେତେ ମହିଳା, ପିଲା, ତୃତୀୟ ଲିଙ୍ଗି କେହି ଅଛନ୍ତି କି, ଭଡ଼ା ନା ନିଜ ଘରେ ରହୁଛନ୍ତି, ମୋବାଇଲ ନା ଲ୍ୟାଣ୍ଡ ଫୋନ୍ ବ୍ୟବହାର କରୁଛନ୍ତି, କେତେଜଣ ବିବାହିତ ଦମ୍ପତି ଅଛନ୍ତି, କେତୋଟି କୋଠରି ଅଛି, ‌ଘରେ ଆଲୋକର ମୁଖ୍ୟ ଉତ୍ସ କ’ଣ, ପାଇଖାନା ଅଛି କି ନାହିଁ, ଯଦି ନାହିଁ କେଉଁଠିକୁ ଝାଡ଼ା ଯାଉଛନ୍ତି, ମଇଳା ପାଣି କିପରି ନିଷ୍କାସନ ହେଉଛି, କେଉଁଥିରେ ରୋଷେଇ କରୁଛନ୍ତି, କାଠ ନା ଗ୍ୟାସ୍‌ ଚୁଲା, ସହରାଞ୍ଚଳରେ ଏଲ୍‌ପିଜି ନା ପିଏନ୍‌ଜି, ବିଦ୍ୟୁତ୍‌ ଶକ୍ତ, ଗୋବର ଗ୍ୟାସ୍, ସୌର ଶକ୍ତି କ’ଣ ବ୍ୟବହାର କରୁଛନ୍ତି, ରେଡିଓ ବ୍ୟବହାର କରୁଛନ୍ତି ନା ନାହିଁ, ଟିଭି ବ୍ୟବହାର କରୁଛନ୍ତି ନା ନାହିଁ, ଯଦି ବ୍ୟବହାର କରୁଛନ୍ତି ସେଥିରେ ଡିଟିଏଚ୍, ଡିସ୍ ନା କେବୁଲ୍ ସଂଯୋଗ ଅଛି, ଘରେ ଇଣ୍ଟରନେଟ୍ ସଂଯୋଗ ଅଛି ନା ନାହିଁ, ଲାପ୍‌ଟପ୍ ନା କମ୍ପ୍ୟୁଟର ବ୍ୟବହାର କରୁଛନ୍ତି, ସାଇକେଲ, ମୋଟର ସାଇକେଲ, କାର୍‌, ଜିପ୍, ଭ୍ୟାନ୍ ବ୍ୟବହାର କରୁଛନ୍ତି ନା ନାହିଁ, ଉଭୟ ଅଛି ନା ଜମା ନାହିଁ, ପରିବାର ଲୋକଙ୍କର ପ୍ରଧାନ ଖାଦ୍ୟଶସ୍ୟ କ’ଣ, ଚାଉଳ, ଗହମ, ଯଅ, ବାଜରା, ମକା ନା ଅନ୍ୟ କୌଣସି ସାମଗ୍ରୀ ବ୍ୟବହାର କରୁଛନ୍ତି ସେ ସଂପର୍କରେ ଜନଗଣନା ଅଧିକାରୀ ସୂଚନା ନେବେ। ଏହାସହ ଉକ୍ତ ଅଞ୍ଚଳର ଏକ ନକ୍ସା ଆଙ୍କିକି ଆଣିବେ।
 
ପଢନ୍ତୁ ଏହି ଖବର: ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା, ଘର, ଗାଡି, ଜମିବାଡ଼ି ଓ LPG ତଥ୍ୟ ସରକାର ଙ୍କୁ ଦିଆଯିବ

ଏହି ତଥ୍ୟ ଜନଗଣନା ଅଧିକାରୀ ଆଣିଲେ ତାକୁ ସୁପରଭାଇଜର ଯାଞ୍ଚ କରିବେ। ପ୍ରତି ସୁପର ଭାଇଜରଙ୍କ ଅଧୀନରେ ୬ ଜଣ ଜନଗଣନା ଅଧିକାରୀ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୬୩୯୬ ଜଣ ଜନଗଣନା ଅଧିକାରୀ ଏବଂ ୧୧୨୮ ଜଣ ସୁପରଭାଇଜର୍ ନିୟୋଜିତ ହୋଇଥିବାବେଳେ ସହର ମଧ୍ୟରେ ଭୁବନେଶ୍ବରରେ ସର୍ବାଧିକ ୨୫୯୬ ଜଣ ଜନଗଣନା ଅଧିକାରୀ ଏବଂ ୪୪୫ ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି। ଜନଗଣନା ଅଧିକାରୀ ଭାବେ ମୁଖ୍ୟତଃ ପ୍ରାଥମିକ ସ୍କୁଲ ଶିକ୍ଷକ ଏବଂ ସୁପରଭାଇଜର ଭାବେ ହାଇସ୍କୁଲ ଶିକ୍ଷକଙ୍କୁ ନିୟୋଜିତ କରାଯାଇଛି। ଜନଗଣନା ପାଇଁ ସ୍କୁଲ ଛୁଟି ନ କରିବାକୁ କୁହାଯାଇଛି। ଏଥିପାଇଁ ସ୍କୁଲ କାମ ସାରି ଶିକ୍ଷକମାନଙ୍କୁ ଜନଗଣନା କାର୍ଯ୍ୟ କରିବାକୁ କୁହାଯାଇଛି। ଶନିବାର ଓ ରବିବାର ସକାଳୁ ସକାଳୁ ସର୍ଭେ କାର୍ଯ୍ୟ କରିବାକୁ କୁହାଯାଇଛି।

କେଉଁ ଜିଲ୍ଲାରେ ପ୍ରତିଦିନ କେତେ ଘର ଗଣନା ହେଲା, କେତେ ତଥ୍ୟ ସଂଗ୍ରହ ହେଲା ତା’ର ସମୀକ୍ଷା କରାଯିବ। ସେହିପରି ‌େଯଉଁମାନେ ସ୍ବଗଣନାରେ ନିଜର ତଥ୍ୟ ଅପଡେଟ୍ କରି‌ଥିବେ ସେମାନେ ଜନଗଣନା ଅଧିକାରୀଙ୍କୁ ଏହାର ଆଇଡି ଦେବେ। ଏହାକୁ ଜନଗଣନା ଅଧିକାରୀ ଯାଞ୍ଚ କରି ଅପ୍‌ଲୋଡ୍‌ କରିବେ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଲକ୍ଷ ୮୦ ହଜାରରୁ ଅଧିକ ଜଣ ଅନ୍‌ଲାଇନ୍‌ରେ ତଥ୍ୟ ଅପଡେଟ୍ କରିଥିବା ଜଣାପଡ଼ିଛି। ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ଜନଗଣନା ଅଧିକାରୀମାନଙ୍କୁ ଏକ କିଟ୍‌ ବ୍ୟାଗ୍ ଦିଆଯାଇଛି। ଏଥିରେ ପେନ୍‌ସିଲ୍‌, ମାର୍କର ପେନ୍, କ୍ୟାପ୍‌, ବୋର୍ଡ, ମୋବାଇଲ ରଖିବାକୁ ପାଉଚ୍ ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Census Begins: ଆଜିଠୁ ଡିଜିଟାଲ ଜନଗଣନା, ପଚାରିବେ ୩୩ ପ୍ରଶ୍ନ | Argus News