ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା: ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ଇଏ ଏକବିଂଶ ଶତାବ୍ଦୀରେ ଓଡ଼ିଶାର ଚିତ୍ର । ଇଏ ବିଜେଡି ଶାସନର 25 ବର୍ଷ ପରେ ଓଡ଼ିଶାର ଚିତ୍ର। ଯାଜପୁର ନଗଡ଼ାରୁ ନେଇ ସମ୍ବଲପୁର ମହ୍ଲାର। ସବୁଠି ଅପପୁଷ୍ଟିର ରାଜୁତି । ନ୍ୟାସନାଲ୍ ଫ୍ୟାମିଲି ହେଲ୍ଥ ସର୍ଭେ 5 ଅନୁସାରେ ଓଡ଼ିଶାର 19 ପ୍ରତିଶତ ଶିଶୁ ଜନ୍ମ ବେଳେ କମ୍ ଓଜନର, 31 ପ୍ରତିଶତ ପିଲାଙ୍କର ଉଚ୍ଚତା ବୟସ ଅନୁସାରେ କମ୍ ଆଉ 18 ପ୍ରତିଶତ ଶିଶୁଙ୍କର ଉଚ୍ଚତା ଅନୁସାରେ ଓଜନ କମ୍। ରାଜ୍ୟର 16ଟି ଜିଲ୍ଲାରେ ଶିଶୁ ଅପପୁଷ୍ଟି ହାର ଜାତୀୟ ହାର ତୁଳନାରେ ମାତ୍ରାଧିକ କମ୍। ସବୁଠୁ ସମ୍ବେଦନଶୀଳ ପରିସଂଖ୍ୟାନ ହେଲା ରାଜ୍ୟର 64.2 ପ୍ରତିଶତ ଶିଶୁ ଓ 61.8 ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର । ବହୁଳ ରକ୍ତହୀନତା ଓ କମ୍ ଓଜନ ଯୋଗୁଁ ଓଡ଼ିଶାରେ ପ୍ରସୂତି ଓ ଶିଶୁ ମୃତ୍ୟୁ ମଧ୍ୟ ଚିନ୍ତାଜନକ । ଓଡ଼ିଶାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନାଁରେ ରାଜ୍ୟ ସରକାର ମାଳ ମାଳ ପ୍ରଚାର କରୁଛନ୍ତି କିନ୍ତୁ ସତ ହେଲା NFHS 5 ଅନୁସାରେ ଓଡ଼ିଶାର 52 ପ୍ରତିଶତ ଲୋକ କୌଣସି ପ୍ରକାର ସ୍ବାସ୍ଥ୍ୟ ବୀମା ଦ୍ବାରା ଏଯାଏଁ ବୀମାଭୁକ୍ତ ହୋଇନାହାନ୍ତି। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସଫଳ ସ୍ବାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ବିଜେଡି ସରକାର। ଏହାକୁ ନେଇ ବର୍ଷିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।ରାଉରକେଲା, ସୁନ୍ଦରଗଡ଼ରୁ ନେଇ ହୀରାକୁଦ ଓ ସମ୍ବଲପୁର, ଗତ କିଛି ମାସ ଭିତରେ ସାରା ରାଜ୍ୟରୁ ସାମ୍ନାକୁ ଆସିଛି ଜଳ ଯନ୍ତ୍ରଣାର ଚିତ୍ର। 24 ବର୍ଷର ଶାସନ ପରେ ବି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ୍ ବିଜେଡି ସରକାର। ଫଳରେ ଦୂଷିତ ପାଣି ପିଇ ଡାଇରିଆରେ ପ୍ରାଣ ହରାଉଛନ୍ତି ଲୋକେ।
ପରିସଂଖ୍ୟାନ ଅନୁସାରେ ଓଡ଼ିଶା ଗ୍ରାମାଞ୍ଚଳର 27 ପ୍ରତିଶତ ବା ପ୍ରାୟ 24 ଲକ୍ଷ ପରିବାର ଏବେ ବି ପାଇପାରୁନାହାନ୍ତି ଟ୍ୟାପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ। ଏବେ ବି ଗ୍ରାମାଞ୍ଚଳର 56 ପ୍ରତିଶତ ପରିବାର ପିଉଛନ୍ତି ଦୂଷିତ ପାଣି। ରାଜ୍ୟର ଅତି କମରେ 15ଟି ଜିଲ୍ଲାର 40 ପ୍ରତିଶତରୁ ଅଧିକ ପରିବାର ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ। ସେହିପରି ସହରାଞ୍ଚଳରେ ଟ୍ୟାପ୍ ଜଳ ସଂଯୋଗ ସତ୍ବେ 31 ପ୍ରତିଶତ ପରିବାର ପିଉଛନ୍ତି ଦୂଷିତ ପାଣି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିଶୁଦ୍ଧ ପାଣି ଅଭାବରୁ ରୋଗରେ ପଡୁଛନ୍ତି ରାଜ୍ୟବାସୀ। ରାଜ୍ୟର ଡାକ୍ତରଖାନାରେ ଡାକ୍ତର ଅଭାବ, ଜଳସେଚନ ଅବ୍ୟବସ୍ଥା ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ କାଠ ଗଡ଼ାକୁ ଟାଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର:
