ପୁଣି ଜଳିଲା ଯୌତୁକ ଜୁଈ

କଟକ: ପୁଣି ଜଳିଲା ଯୌତୁକ ଜୁଇ । ଶାଶୁଘରେ ମହିଳାଙ୍କ ମୃତ୍ୟୁ । ଥାନାରେ ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ବାପଘର ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ନାନ୍ଦୋଳ ଗ୍ରାମରେ । ମୃତ ମହିଳା ଜଣକ ହେଲେ ନାନ୍ଦୋଳ ଗ୍ରାମର ଦିଲୁ ଭୋଇଙ୍କ ପତ୍ନୀ ସୁନିତା କାଣ୍ଡି । ସୁନିତାଙ୍କ ବାପ ଘର ସାଲେପୁର ଥାନା ପିକୋଳ ପଞ୍ଚାୟତ ବଣହରା ଗ୍ରାମରେ । ବଣହରା ଗ୍ରାମର ତ୍ରୈଲୋକ୍ୟ କାଣ୍ଡିଙ୍କ ଝିଅ ସୁନିତା କାଣ୍ଡି ୨୦୨୦ ମସିହାରେ ବୈଦିକ ରୀତିରେ ବର ପକ୍ଷର ଦାବି ମୁତାବକ ଯୌତୁକ ଦେଇ ସାଲେପୁର ଥାନା ନାନ୍ଦୋଳ ଗ୍ରାମର ବିଜୟ ଭୋଇଙ୍କ ପୁଅ ଦିଲୁ ଭୋଇଙ୍କୁ ବିବାହ କରିଥିଲେ ।
ବିବାହ ଛଅ ମାସ ପରେ ଝିଅ ସୁନିତାକୁ ଶାରୀରିକ ମାନସିକ ନିର୍ଯାତନା ସହ ପଚାଶ ହଜାର ଟଙ୍କା ବାପଘରୁ ଆଣିବାକୁ ସବୁବେଳେ ବାଧ୍ୟ କରୁଥିଲେ । ରାସନ କାର୍ଡ଼ରୁ ନାଁ କାଟି ବାପଘରୁ କାଟି ଶାଶୁଘରେ ଯୋଡିବା ପାଇଁ ସୁନିତାକୁ ବାରମ୍ବାର ବାଧ୍ୟ କରୁଥିଲେ। ହେଲେ ସୁନିତା ତାହା ନକରିବାରୁ ଆଜି ଶାଶୁଘର ଲୋକେ ସୁନିତାକୁ ମାରି ଦେଇଥିବା ଅଭିଯୋଗ ହୋଇଛି ।
ମୃତ୍ୟୁ ପରେ ସାଲେପୁର ମେଡିକାଲକୁ ଆଣି ବାପଘର ଲୋକଙ୍କୁ ଖବର ଦେଇଥିଲେ । ବାପଘର ଲୋକେ ମେଡିକାଲରେ ସୁନିତାଙ୍କ ମୃତଦେହ ଦେଖିବା ପରେ ସାଲେପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମେଡିକାଲରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସେପଟେ ସାଲେପୁର ପୋଲିସ ସ୍ୱାମୀକୁ ଅଟକ ରଖି ତଦନ୍ତ ଚଳାଇଥିବା ନେଇ ସୂଚନା ମିଳିଛି ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...
