ଦୁର୍ଗମରେ ପାନୀୟ ଜଳର ସମସ୍ୟା, ଯୁଝି ହେଉଛନ୍ତି 30ରୁ ଉର୍ଦ୍ଧ୍ବ ପରିବାର

ମୟୂରଭଞ୍ଜ: ଯଶିପୁର ବ୍ଲକଠାରୁ 15 କିଲୋମିଟର ଦୂରରେ ରହିଛି କୁମୁଡ଼ାବାଡ଼ି ଗାଁ । 30ରୁ ଉର୍ଦ୍ଧ୍ବ ଆଦିବାସୀ ପରିବାର ଶୁଦ୍ଧ ପାନୀୟ ଜଳ ପାଇଁ ଏବେବି ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗୋଟିଏ ପଟେ ରାଜ୍ୟରେ 24 ବର୍ଷର ସ୍ଥିର ସରକାର ବିକାଶର ଡିଣ୍ଡିମ ପିଟୁଛନ୍ତି । ଏପଟେ ଗ୍ରାଉଣ୍ଡ ଜିରୋରେ ଫେଲ୍ ମାରିଛି ସରକାରଙ୍କ ପାନୀୟ ଜଳଯୋଗାଣ ଯୋଜନା । ନା ଅଛି ବସୁଧା ଯୋଜନାରେ ଉଚ୍ଚ ପାଣି ଟାଙ୍କି ବ୍ୟବସ୍ଥା ନା କାମରେ ଆସୁଛି ସୋଲାର, ସ୍ଵଜଳ ଧାରା ଯୋଜନା ।
ଗାଁକୁ ଯିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ପକ୍କା ରାସ୍ତା ହେଇଛି ସତ ହେଲେ ଆଜି ଯାଏଁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ହୋଇପାରିନାହିଁ । ଗାଁ ମୁଣ୍ଡରେ ଥିବା ଏକମାତ୍ର ପରିତ୍ୟକ୍ତ କୂଅ ଓ ବହି ଯାଇଥିବା ନାଳ ପାଣି ଉପରେ ନିର୍ଭର କରୁଛନ୍ତି ଲୋକ । ବାରମ୍ବାର ପାନୀୟ ଜଳ ସମସ୍ୟା ବିଷୟରେ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନିକ ଅଧିକାରୀମାନଙ୍କ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ ।
କୁମୁଡ଼ାବାଡ଼ି ଗାଁ ଲୋକେ ବିଶେଷ କରି ଦିନ ମଜୁରିଆ ଭାବେ କାମ କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି । ଗାଁ ରେ ଯଦିଓ ଗୋଟିଏ ସୋଲାର ପାଣି ବ୍ୟବସ୍ଥା କରାଯାଇଛି ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବେ ପାଣି ଯୋଗାଇବାରେ ବିଫଳ । କିଛି ସମୟ ପାଣି ବାହାରିଲେ ପୁଣି ଅଚଳ ହୋଇ ପଡି ରହୁଛି । ଗାଁରେ ତିନି ତିନିଟି ନଳକୂଅ ଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇପଡ଼ିଛି । ଅନ୍ୟପଟେ ଘରକୁ ଘର ଷ୍ଟାଣ୍ଡ ପୋଷ୍ଟ ଲାଗିଥିଲେ ମଧ୍ୟ ଶୁଦ୍ଧ ପାନୀୟ ଜଳ ମିଳିପାରୁନାହିଁ ।
📱 Get Argus News App
✨କୁଆଡେ ଗଲା ରାଜ୍ୟ ସରକାରଙ୍କ ବିଶୁଦ୍ଧ ପାନୀୟ ଜଳ ଯୋଜନା । ଯୋଜନା କେବଳ ଖାତା କଲମ ରେ ସୀମିତ ରହିଛି । କୁମୁଡ଼ାବାଡ଼ି ଗାଁ ଉପରେ କେବେ ପ୍ରଶାସନିକ ଅଧିକାରୀଙ୍କ ଶୁଭ ଦୃଷ୍ଟି ପଡୁଛି ଓ ପାନୀୟ ଜଳ ସମସ୍ୟା ର ସମାଧାନ ହେଉଛି ସେହି ଦିନକୁ ଅପେକ୍ଷା ।
ଆହୁରି ପଢନ୍ତୁ ଓଡିଶା ଖବର...