ଚାଷ ଜମିକୁ ଆସିପାରୁନି ପାଣି

ଅର୍ଗସ ବ୍ୟୁରୋ : ଧର୍ମଗଡ ବ୍ଲକ ପିପଲା ଅଞ୍ଚଳରେ ଥିବା ଚାଷ ଜମି, ସ୍ୱଳ୍ପ ବୃଷ୍ଟିପାତ ସହ ଆବଶ୍ୟକ ପାଣି ଅଭାବରୁ ଶୁଖିକି ଆଁ କରିଛି ସେଥପାଇଁ ତାକୁ ଗାଇ ଗୋରୁ ଖାଉଛନ୍ତି । ତେବେ ଚାଷ କରିଥିବା ଚାଷୀ ଏହାକୁ ନେଇ କେତେ ଚିନ୍ତାରେ ଥିବ ତାହା ସହଜେ ଅନୁମାନ କରାଯାଇପାରୁଛି । ଏହି ଅଞ୍ଚଳର ଶହଶହ ହେକ୍ଟର ଚାଷ ଜମିରେ ହୋଇଥିବା ଚାଷ ଏବେ ସମ୍ପୁର୍ଣ୍ଣ ନଷ୍ଟ ହେବା ସହ ତାହା ଅଞ୍ଚଳର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି ବୋଲି ଅଭିଯୋଗ କରିଛନ୍ତି ଚାଷୀ । ତେବେ ଦୀର୍ଘ ୩୨ ବର୍ଷ ହେବ ଏମିତି ଏହି ଅଞ୍ଚଳର ଚାଷୀ କ୍ଷତି ସହୁଥିବା ଅଭିଯୋଗ କରିବା ସହ ବିଗତ ବର୍ଷ ମାନଙ୍କରେ ସରକାରଙ୍କ ଠାରେ ଜଳ ଯୋଗାଣର ବ୍ୟବସ୍ଥା କରିବାକୁ ଚାଷୀ ଜଣାଇଥିଲେ । କେନାଲ ବି ତିଆରି ହୋଇଛି କିନ୍ତୁ ଦିନେ ମଧ୍ୟ ସେହି କେନାଲରେ ପାଣି ଆସୁନାହିଁ ହେଲେ ପ୍ରତି ବର୍ଷ ସରକାର ସେହି କେନାଲ ମରାମତି ନାମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।
ଚାଷ ନଷ୍ଟ ହେବା ଯୋଗୁଁ ପ୍ରତି ବର୍ଷ ଏହି ଅଞ୍ଚଳର ଲୋକେ ନିଜ ଭିଟାମାଟି ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ତେବେ ଡ୍ୟାମ ତିଆରି କରି ଜଳ ଯୋଗାଇ ଦେବାକୁ ଚାଷୀ ଅନେକ ସମୟରେ ଦାବି କରିଛନ୍ତି । ବିଡିଓ, ଉପଜିଲ୍ଲାପାଳ, ଜିଲ୍ଲାପାଳଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ତଥା ତତ୍କାଳିନ ୫ଟି ସଚିବଙ୍କୁ ମଧ୍ୟ ଏହି ଅଞ୍ଚଳର ଚାଷୀ ନିଜ ଦୁଃଖ ଜଣାଇ ଥିବା ପ୍ରକାଶ କରିଛନ୍ତି । କିନ୍ତୁ କେହି ଶୁଣୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଏନେଇ ସ୍ଥାନୀୟ ବିଧାୟକ ମୌଷଧି ବାଗଙ୍କୁ ପଚାରିବାରୁ ସରକାରଙ୍କ ତରଫରୁ ଏହି ଅଞ୍ଚଳରେ ଡ୍ୟାମ୍ ନିର୍ମାଣ କରାଯାଇ ଜଳସେଚନର ବ୍ୟବସ୍ଥା କରାଯିବା ଲାଗି ଟଙ୍କା ମଞ୍ଜୁର ହୋଇଛି ବୋଲି ପ୍ରକାଶ କରିଛନ୍ତି ।
ତେବେ ସରକାର ପିପଲା ଅଞ୍ଚଳର ଚାଷୀଙ୍କ ଦୁଃଖ ବୁଝି ତାଙ୍କ ପାଇଁ ଜଳସେଚନର ବ୍ୟବସ୍ଥା ନକଲେ ଆଗାମୀ ଦିନରେ ଚାଷ ନଷ୍ଟ ହେଲା ପରେ ଆତ୍ମହତ୍ୟା କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର