Videos
|
Odisha

Durga Puja Immersion / ଆଜି ମେଲାଣି ନେବେ ମା', ଭସାଣି ପାଇଁ ଟ୍ବିନ୍‌ ସିଟିରେ ବ୍ୟାପକ ପ୍ରସ୍ତୁତି; ସୋସିଆଲ ମିଡିଆ ଉପରେ କଡ଼ା ନଜର

Santosh Kumar Sahoo
Browse all articles by Santosh Kumar Sahoo
·49 mins ago·2 min read
ଆଜି ମେଲାଣି ନେବେ ମା', ଭସାଣି ପାଇଁ ଟ୍ବିନ୍‌ ସିଟିରେ ବ୍ୟାପକ ପ୍ରସ୍ତୁତି; ସୋସିଆଲ ମିଡିଆ ଉପରେ କଡ଼ା ନଜର
Durga Puja Immersion

Key Points

ଶାନ୍ତିପୂର୍ଣ୍ଣ ଭସାଣି ପାଇଁ ପୋଲିସର କଡ଼ା ପ୍ରସ୍ତୁତି
ସମ୍ବେଦନଶୀଳ ଅଞ୍ଚଳ ଉପରେ ନଜର
ମୁତୟନ ହେବେ ସଶସ୍ତ୍ର ପୋଲିସ
ଶେଷ ହୋଇଛି ଜଗତଜନୀନ ମା' ଦୁର୍ଗାଙ୍କ ନବଦିନାତ୍ମକ ପୂଜା । ଆଜି ଧରାପୃଷ୍ଠରୁ ବିଦାୟ ନେବେ ଦେବୀ ଦୁର୍ଗା । ଭୁବନେଶ୍ୱର-କଟକରେ ମାଆଙ୍କ ବିସର୍ଜନ ପାଇଁ ନଦୀରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ଦୁର୍ଗାପୂଜା ଭସାଣି ଶୋଭାଯାତ୍ରା ଓ ମୂର୍ତ୍ତି ବିସର୍ଜନକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ କରିବା ପାଇଁ କେନ୍ଦ୍ରାଞ୍ଚଳ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କେନ୍ଦ୍ରାଞ୍ଚଳ ଆଇଜିପି ଡ. ସତ୍ୟଜିତ ନାୟକଙ୍କ ନିର୍ଦ୍ଦେଶକ୍ରମେ ୭ଟି ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କେନ୍ଦ୍ରାଞ୍ଚଳ ଅଧୀନରେ ଥିବା କଟକ, ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ନୟାଗଡ଼, ଯାଜପୁର ଓ ଜଗତସିଂହପୁର ଏହି ୭ଟି ଜିଲ୍ଲାର ମୋଟ ୧ ହଜାର ୩ ଶହ ୮୯ଟି ପୂଜା ମଣ୍ଡପ ପାଇଁ ୫୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏଥର ଭସାଣି ଶୋଭାଯାତ୍ରାରେ ଡିଜେ ସଙ୍ଗୀତ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି । କେବଳ ଢୋଲ ଓ ପାରମ୍ପରିକ ବାଦ୍ୟ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । ଯଦି କେହି ଏହି ନିୟମ ଭାଙ୍ଗେ ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେହିପରି ସମ୍ବେଦନଶୀଳ ଅଞ୍ଚଳ, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ବିସର୍ଜନ ଘାଟଗୁଡ଼ିକରେ ସ୍ୱତନ୍ତ୍ର ପୋଲିସ ନଜର ରଖିବ । ଏହା ସହ ସୋସିଆଲ ମିଡିଆରେ ଗୁଜବ ଓ ଉତ୍ତେଜନାମୂଳକ ପୋଷ୍ଟ ଉପରେ କଡ଼ା ନଜର ରଖାଯାଉଛି । କୌଣସି ଗୁଜବ ସେୟାର ନକରିବାକୁ ଏବଂ ଜରୁରୀକାଳୀନ ପରିସ୍ଥିତିରେ ୧୧୨ ମାଧ୍ୟମରେ ଯୋଗାଯୋଗ କରିବାକୁ ଆଇଜିପି ନିବେଦନ କରିଛନ୍ତି । ଶାନ୍ତି ଓ ସାମ୍ପ୍ରଦାୟିକ ସଦ୍ଭାବ ବଜାୟ ରଖି ଭସାଣି ପାଳନ କରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ସବୁ ନାଗରିକଙ୍କୁ ଆହ୍ୱାନ ଦିଆଯାଇଛି ।

ଭଷାଣି ଶୋଭାଯାତ୍ରା ପାଇଁ କଟକ ସହରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଦେବୀଗଡ଼ାରେ କଟକ ମହାନଗର ନିଗମ ପକ୍ଷରୁ ୩ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ସହରରେ ୬୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବ । ହାୱଡ଼ା ମଟର ଛକରୁ ଗୌରୀ ଶଙ୍କର ପାର୍କ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ । ପ୍ରତ୍ୟେକ ଚାନ୍ଦି ମେଢ଼ରେ ୪ ଜଣ ବନ୍ଧୁକଧାରୀ ପୋଲିସ ନିୟୋଜିତ ରହିବେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିପରି ଭୁବନେଶ୍ୱରର କୁଆଖାଇ ଓ ଦୟା ନଦୀପଠାରେ ମଧ୍ୟ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି । ଭସାଣି ସମୟରେ ଜନଗହଳି ଓ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ । ଭୁବନେଶ୍ୱରର ଲିଙ୍ଗିପୁର, ବାଙ୍କୁଆଳ, ପଳାଶୁଣୀ ଏବଂ ହଂସପାଳ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ସହ କଟକର ଦେବୀଗଡ଼ଠାରେ ୨ଟି ସ୍ୱତନ୍ତ୍ର ଅଗ୍ନିଶମ ୟୁନିଟ୍ ମୁତୟନ କରାଯାଇଛି ।