Videos
|
Odisha

DJ Vehicle Ban / ଭସାଣିରେ ଡିଜେ ମନା, ନିୟମ ଭାଙ୍ଗିଲେ କ୍ରିମିନାଲ କେସ୍‌; ସୁରକ୍ଷା ପାଇଁ ୪୮ ପ୍ଲାଟୁନ୍‌ ଫୋର୍ସ ମୁତୟନ

Santosh Kumar Sahoo
Browse all articles by Santosh Kumar Sahoo
·39 mins ago·2 min read
ଭସାଣିରେ ଡିଜେ ମନା, ନିୟମ ଭାଙ୍ଗିଲେ କ୍ରିମିନାଲ କେସ୍‌; ସୁରକ୍ଷା ପାଇଁ ୪୮ ପ୍ଲାଟୁନ୍‌ ଫୋର୍ସ ମୁତୟନ
DJ Vehicle Ban

Key Points

ଭସାଣି ପାଇଁ ୪୮ ପ୍ଲାଟୁନ୍‌ ଫୋର୍ସ
ଡିଜେ ଗାଡ଼ି ଉପରେ ସମ୍ପୂର୍ଣ୍ଣ କଟକଣା
ସୁରକ୍ଷା ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ
ଦୁର୍ଗାପୂଜା ଭସାଣି ଓ ରାବଣପୋଡ଼ି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭସାଣି ଶୋଭାଯାତ୍ରାରେ ଡିଜେ ଗାଡ଼ି ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତି ଓ ଆୟୋଜକଙ୍କ ବିରୋଧରେ କ୍ରିମିନାଲ କେସ୍‌ ରୁଜୁ କରାଯିବ ବୋଲି ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଭସାଣି ପରିଚାଳନା ପାଇଁ ୪୮ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହ ପ୍ରାୟ ୧୦୦ ଜଣ ପୋଲିସ ଅଧିକାରୀ ନିୟୋଜିତ ହେବେ । ସେହିପରି ରାବଣପୋଡ଼ି ପାଇଁ ୯ଟି ସ୍ଥାନକୁ ଅନୁମତି ମିଳିଥିବାବେଳେ ପ୍ରତ୍ୟେକ ସ୍ଥାନରେ ଅଗ୍ନି ନିରାପତ୍ତା, ଭିଡ଼ ନିୟନ୍ତ୍ରଣ ଓ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବ ।

ଡିଜେ ବଜାଇଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ଭସାଣି ଓ ରାବଣପୋଡ଼ିକୁ ନେଇ ପୋଲିସ କମିଶନରଙ୍କ ସ୍ତରରେ ବିଭିନ୍ନ ପୂଜା କମିଟି ଓ ଆୟୋଜକଙ୍କ ସହ ବୈଠକ ହୋଇଛି । ଏହାସହ ବିଭିନ୍ନ ଜୋନ୍‌ର ଏସିପିମାନେ ମଧ୍ୟ ପୂଜା କମିଟିଗୁଡ଼ିକ ସହ ଆଲୋଚନା କରିଛନ୍ତି । ଭସାଣି ଶୋଭାଯାତ୍ରାରେ କୌଣସି ପରିସ୍ଥିତିରେ ଡିଜେ ଗାଡ଼ିକୁ ଅନୁମତି ଦିଆଯିବ ନାହିଁ ବୋଲି ଆୟୋଜକଙ୍କୁ ଜଣାଇ ଦିଆଯାଇଛି ।

ଏହା ବଦଳରେ ପାରମ୍ପରିକ ବାଦ୍ୟଯନ୍ତ୍ର ବ୍ୟବହାର କରିବା ସହ ସାଉଣ୍ଡ ବକ୍ସ ବଜାଇବା କ୍ଷେତ୍ରରେ ନିର୍ଦ୍ଧାରିତ ନିୟମ ପାଳନ କରିବାକୁ ପଡ଼ିବ । ରାତି ୧୦ଟା ପରେ ଶବ୍ଦ ପ୍ରଦୂଷଣ ନିୟମ ଅନୁଯାୟୀ ମ୍ୟୁଜିକ୍‌ ବଜାଇବା ଉପରେ କଟକଣା ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତବର୍ଷ ଭସାଣି ସମୟରେ ରାତି ୧୦ଟା ପରେ ମଧ୍ୟ ଡିଜେ ବାଜୁଥିବା ନେଇ ଅଭିଯୋଗ ହୋଇଥିଲା । ଚଳିତ ବର୍ଷ ଯେପରି ଏହାର ପୁନରାବୃତ୍ତି ନ ହୁଏ, ସେଥିପାଇଁ ସମସ୍ତ ଥାନାର ଆଇଆଇସି ଓ ଜୋନ୍‌ ଏସିପିମାନଙ୍କୁ ଆଗୁଆ ନିର୍ଦ୍ଦେଶ ଦିଆଯାଇଛି । ମଣ୍ଡପରୁ ଭସାଣି ଗାଡ଼ି ବାହାରିବା ପୂର୍ବରୁ ଡିଜେ ଗାଡ଼ି ଉପରେ ନଜର ରଖାଯିବ । ନିୟମ ଉଲ୍ଲଂଘନ ହେଲେ ତୁରନ୍ତ ଆଇନଗତ ପଦକ୍ଷେପ ନିଆଯିବ ।

ରାବଣପୋଡ଼ି ପାଇଁ ୯ଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା

ରାବଣପୋଡ଼ି ଉତ୍ସବ ପାଇଁ ଅନୁମତି ମିଳିଥିବା ୯ଟି ସ୍ଥାନରେ ସୁରକ୍ଷା ନିୟମ ପାଳନ ଉପରେ ପୋଲିସ ଗୁରୁତ୍ୱ ଦେଇଛି । ନିର୍ଦ୍ଦେଶାବଳୀ ଅନୁଯାୟୀ, ରାବଣପୋଡ଼ି ସ୍ଥାନର ଚାରିପାଖରେ ସର୍ବନିମ୍ନ ୧୦୦ ମିଟର ଦୂରତା ରଖିବାକୁ ପଡ଼ିବ । ଏଥିସହ ଷ୍ଟୋର ହାଉସ୍‌ ଓ ଫାୟାରୱାଲ୍‌ ସମ୍ପର୍କିତ ସୁରକ୍ଷା ନିୟମ ପାଳନ କରିବାକୁ ଆୟୋଜକମାନଙ୍କୁ କୁହାଯାଇଛି ।

ପ୍ରତ୍ୟେକ ରାବଣପୋଡ଼ି ସ୍ଥଳରେ ଅଗ୍ନିଶମ ବିଭାଗର ଟିମ୍‌ ମୁତୟନ ରହିବେ । ଏହାସହ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ମଧ୍ୟ ନିୟୋଜିତ ହେବେ । କେବଳ ଅନୁମତିପ୍ରାପ୍ତ ଓ ନିରାପଦ ଆତସବାଜି ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି । ଦର୍ଶକଙ୍କ ସୁରକ୍ଷା ପାଇଁ ମଜବୁତ୍‌ ବ୍ୟାରିକେଡ୍‌ ନିର୍ମାଣ ସହ ଭିଡ଼ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ ।

ଭସାଣି ପାଇଁ ୬ଟି ସ୍ଥାନରେ ଅସ୍ଥାୟୀ ବ୍ୟବସ୍ଥା

ଭସାଣି ପରିଚାଳନା ପାଇଁ ମୋଟ ୬ଟି ସ୍ଥାନରେ ଅସ୍ଥାୟୀ ବ୍ୟବସ୍ଥା କରାଯାଇଛି । ଏଥିମଧ୍ୟରୁ କୁଆଖାଇ ନଦୀ ନିକଟରେ ୩ଟି, ଦୟା ନଦୀ ନିକଟରେ ୨ଟି ଏବଂ ଚନ୍ଦକା ଅଞ୍ଚଳରେ ଗୋଟିଏ ସ୍ଥାନ ରହିଛି । ଭସାଣି ଶୋଭାଯାତ୍ରାକୁ ଯଥାଶୀଘ୍ର ଶେଷ କରିବା ସହ ପୋଲିସକୁ ସହଯୋଗ କରିବା ପାଇଁ ସମସ୍ତ ପୂଜା କମିଟି ଓ ଆୟୋଜକଙ୍କୁ ଅନୁରୋଧ କରାଯାଇଛି । ପ୍ରଶାସନର ନିୟମ ପାଳନ କରି ଭସାଣି ଓ ରାବଣପୋଡ଼ି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ କମିଶନରେଟ୍‌ ପୋଲିସ ପକ୍ଷରୁ ଆହ୍ୱାନ ଦିଆଯାଇଛି ।