Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନବୀନଙ୍କ 24 ବର୍ଷର ଶାସନରେ ଦାଦନଗଡ଼ ପାଲଟିଛି ଗଞ୍ଜାମ ଜିଲ୍ଲା 

Odisha

ନବୀନଙ୍କ 24 ବର୍ଷର ଶାସନରେ ଦାଦନଗଡ଼ ପାଲଟିଛି ଗଞ୍ଜାମ ଜିଲ୍ଲା 

Manini Pattanayak
Browse all articles by Manini Pattanayak
·2 years ago·3 min read
ନବୀନଙ୍କ 24 ବର୍ଷର ଶାସନରେ ଦାଦନଗଡ଼ ପାଲଟିଛି ଗଞ୍ଜାମ ଜିଲ୍ଲା 

ଭୁବନେଶ୍ୱର:  ଦାନା-ଦାଦନ-25 ବର୍ଷର ଅପାରଗତା । ନବୀନଙ୍କ 24 ବର୍ଷର ଶାସନରେ ଦାଦନଗଡ଼ ପାଲଟିଛି ଗଞ୍ଜାମ ଜିଲ୍ଲା । ବାହାରିନରେ କାମ କରିବାକୁ ଯାଇ ଶବ ପାଲଟିଗଲେ ଖଲ୍ଲିକୋଟ ବାଗଲପୁରର ସାଗର ପ୍ରଧାନ । ଆଉ କାନ୍ଦି କାନ୍ଦି ମୃତଦେହ ଆଣିବାକୁ ମୃତକଙ୍କ ମାଆ-ଭଉଣୀ କରିଛନ୍ତି ଅପିଲ । ଏ ଲୁହର କିଏ ଦେବ ଉତ୍ତର, ମୁଖ୍ୟମନ୍ତ୍ରୀ ନା ଗୁମାସ୍ତା ?..
ଧେତ୍, ତମେ ଅସହାୟତାର ହାତ ଧରିବା କଥା ମିଛ। ଭାତର ବାସ୍ନା ପାଇ, ଧାଇଁ ଯାଇଥିବା ଜାଗାରୁ, ମୃତ୍ୟୁର ହାତ ଧରି ତୁମ ପୁଅ କି ଭାଇର ଭିଟାମାଟିକୁ ଫେରିବା ସ୍ବପ୍ନ ବି ମିଛ। ତମେ ବିକଳ ବାହୁରେ କାନ୍ଦଣାର ବୋଝ ବୋହିବା ମିଛ । ତମ ଲୁହ କି ଲହୁ, କେବେ କାହାକୁ ଦିଶିଛି ନା ଦିଶିବ ? ନେଡ଼ିରେ କୋଉ ଗୁଡ଼ ଥିଲା ଯେ, କହୁଣିକୁ ବୋହିଗଲା ବୋଲି ସେମାନେ ଚିନ୍ତା କରିବେ । ପାହାନ୍ତା ପହରରୁ ମିଛ ପ୍ରେସମିଟର ସାହା ନେଇ ନିଜର ପିଠି ଥାପୁଡ଼ଉ ଥିବା ମଣିଷମାନେ କଣ ବୁଝିପାରିବେ, ଗରିବୀ କଣ ? ଅସହାୟତା କଣ ? ଦାଦନ କଣ ? ଦାଦନପୁର ଯିବାର ଦୁଃଖ କଣ ? ସେଠୁ ଶବ ହେଇ ଫେରିବା ପରେ ମାଆ, ଭଉଣୀ ଓ ପରିବାର ଲୋକଙ୍କ  ଲୁହ କଣ ? 

ନବୀନ ବାବୁ ଆପଣଙ୍କର ୨୪ ବର୍ଷ ଶାସନ କାଳରେ ଏଭଳି ଦୃଶ୍ୟ ତ ଅତି ସାଧାରଣ କଥା । ଏମିତି କହିବାକୁ ଗଲେ ପ୍ରତିଦିନର ଘଟଣା । ୨ ଥର ସାଂସଦ ଆଉ ୨୪ ବର୍ଷରୁ ଅଧିକ ସମୟ ହେବ ଆପଣ ରାଜା ହୋଇ ପ୍ରଜାଙ୍କୁ ଏଇ ନ୍ୟାୟ ହିଁ ତ ଦେଇଛନ୍ତି । ପ୍ରକୃତରେ ଏ ଦୃଶ୍ୟ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବାଗଲପୁର ଗାଁର । ଗାଁର କାର୍ତ୍ତିକ ପ୍ରଧାନଙ୍କ ଏକମାତ୍ର ରୋଜଗାରିଆ ପୁଅ ସାଗର ପ୍ରଧାନଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ପରିବାରରେ ଏମିତି ପଡ଼ିଛି କାନ୍ଦବୋବାଳି । ପରିବାର ଉପରେ ଥିବା 9 ଲକ୍ଷ  ଟଙ୍କାର ଋଣ ବୋଝରୁ ମୁକୁଳିବା ପାଇଁ 11 ମାସ ପୂର୍ବରୁ ବାଲୁଗାଁ ଥାନା ଖାରିବନ୍ଧ ଗାଁର ଦାଦନ ଠିକାଦାର ସଞ୍ଜୟ ସ୍ବାଇଁଙ୍କୁ 75 ହଜାର ଟଙ୍କା ଦେଇ ବାହାରିନର ଏକ କମ୍ପାନୀକୁ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ | ଦୀର୍ଘ 11 ମାସ କାମ କରିବା ପରେ ମାତ୍ର 5 ମାସର ଦରମା ଘରକୁ ପଠାଇ ଥିବା ବେଳେ ବଳକା 6 ମାସର ଦରମା ଆଉ ଦେଇ ନଥିଲେ । ହଠାତ୍ ଗତ ପାଞ୍ଚ ତାରିଖରେ ସାଗରଙ୍କ ପାଖାପାଖି ରହୁଥିବା ବାଗଲପୁର ଗ୍ରାମ ନିକଟସ୍ଥ କଇଠଡା ଗ୍ରାମର ମିଟୁ ପରିଡା ବାହାରିନରୁ  ସାଗରର ପରିବାରକୁ ମୃତ୍ୟୁ ଖବର ଜଣାଇଥିଲେ । ବାହାରିନ  ଦୂତବାସ ଜରିଆରେ ସାଗର ଆତ୍ମହତ୍ୟା କରିଥିବା ଏକ ମୃତ୍ୟୁ ପ୍ରମାଣ ପତ୍ର ପଠାଇଛନ୍ତି ସମ୍ପୃକ୍ତ କମ୍ପାନୀ | ତେବେ ସାଗରଙ୍କ ପରିବାର ବର୍ଗ ଓ ଗ୍ରାମବାସୀ ଆତ୍ମହତ୍ୟା ଘଟଣାକୁ ଅସ୍ବୀକାର କରିବା ସହ  ତାଙ୍କୁ କୌଣସି କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏପରିକି ତାଙ୍କ ମୃତଦେହ ଫେରାଇ ଆଣିବା ପାଇଁ ମଧ୍ୟ ଦାବି କରିଛନ୍ତି ।

ଇଏ ତ ଭାତହାଣ୍ଡିରୁ ଗୋଟିଏ। ନିରନ୍ତର ବିକାଶର ବାଜା ବଜାଉଛନ୍ତି 23 ବର୍ଷ ଧରି କ୍ଷମତାରେ ଥିବା ବିଜେଡି ସରକାର। କିନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ତ ଦାଦନ ଏନ୍ତୁଡ଼ିଶାଳ। ତେଣୁ ନବୀନ ବାବୁ ହୁଅନ୍ତୁ କି ଗୁମାସ୍ତା ଅର୍ଥାତ୍ ସରକାରରେ ନମ୍ବର-୨ । ଯିଏ ପାହାନ୍ତାରୁ ପ୍ରେସମିଟ କରି ଓଡ଼ିଶାର ରୋଜୀ ପିକଚର୍ ଥୁଅନ୍ତି ସେହି ନ ହେଲେ ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ ।ମୋଟାମୋଟି ଏତିକି କହିହେବ ମିଛରେ ଶାସକ ଦେଖାଏ ଦରଦ ସହାନୁଭୂତି ନ ଥାଏ.. ହାଏ କି କଷଣ ଦାଦନ ଜୀବନ, ଭୋଗୁଅଛି ଯିଏ-ଜାଣୁଅଛି ଏକା ସିଏ। ଭୋଟ୍ ଦେଇ ସବୁ ଚିନ୍ତା କରିଥିଲେ ଓଡ଼ିଶା ହୋଇବ ନବୀନ। ସୁଖ ବଦଳରେ ପ୍ରତିକ୍ଷଣେ ଏଠି ମିଳିଲା ଦୁଃଖର ସନ୍ଧାନ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
During Naveen's 24-year rule, Dadangarh has become Ganjam district | Argus News