ମହାମହିମ ରାଷ୍ଟ୍ରପତିଙ୍କ ଆଗମନ ନେଇ ଚଳଚଞ୍ଚଳ ହେଲାଣି ଜନ୍ମମାଟି

ଅର୍ଗସ ବ୍ୟୁରୋ: ଦୁଇ ଦିନିଆ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନଭେମ୍ବର ୨୦ତାରିଖ ମୟୁରଭଞ୍ଜରେ ପଦାର୍ପଣ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତି ହେବାପରେ ଜନ୍ମମାଟି କୁ ଏହା ତାଙ୍କର ଦ୍ବିତୀୟ ଗସ୍ତ । ଗତ ମେ ମାସ ୪ତାରିଖରେ ମୟୂରଭଞ୍ଜ ଜିଲ୍ଲା କୁ ୩ଦିନିଆ ଗସ୍ତରେ ଆସିଥିଲେ । ନିଜ ଜନ୍ମମାଟିରେ ପୁଣିଥରେ ପାଦ ଥାପିବେ ମହାମହିମ। ଏଥିପାଇଁ ସମଗ୍ର ଜିଲ୍ଲା ଏବେ ଚଳଚଞ୍ଚଳ ହୋଇଉଠିଛି । ଗାଁ ଠୁ ସହର ସବୁଠି ଏବେ ଉତ୍ସବ ମୁଖର । ରାଷ୍ଟ୍ରପତିଙ୍କ ଆଗମନ ଖବର ଆସିବା ପରେ ଚଳଚଞ୍ଚଳ ହୋଇଉଠିଛି ଜିଲ୍ଲା ପ୍ରଶାସନ ।
ଆଗାମୀ ୨୦ ତାରିଖ ସୋମବାର ଦିନ ସକାଳ ୧୦ ଟା ୪୫ ମିନିଟରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନରୁ ବାହାରି ବାୟୁସେନାର ସ୍ବତନ୍ତ୍ର ଏରୋପ୍ଲେନ୍ ଯୋଗେ ପଶ୍ଚିମବଙ୍ଗର କଲେଇକୁଣ୍ଡା ପହଞ୍ଚିବା ପରେ ସେଠାରୁ ହେଲିକପ୍ଟର ଯୋଗେ ଅପରାହ୍ନ ୧ଟା ୪୫ମିନିଟ ସମୟରେ ବାହାରି ବାରିପଦା ସ୍ଥିତ ହେଲିପ୍ୟାଡରେ ପଦାର୍ପଣ କରିବେ। ଦିବା ୨ଟା ୨୦ ରୁ ୩ଟା ୩୫ ପର୍ଯ୍ୟନ୍ତ ବାରିପଦା ଶହୀଦ ସ୍ମୃତିଭବନ ଠାରେ ପହଞ୍ଚି "ଅଲ ଇଣ୍ଡିଆ ସାନ୍ତାଳୀ ରାଇଟର୍ସ ଏସୋସିଏସନ"ର ୩୬ତମ ବାର୍ଷିକ ସମ୍ମୀଳନୀରେ ମୂଖ୍ୟ ଅତିଥି ଭାବେ ଯୋଗ ଦେବେ ଶ୍ରୀମତୀ ମୁର୍ମୁ । ତେବେ ବାରିପଦା ହେଲିପ୍ୟାଡରୁ ୩ଟା ୫୦ ରେ ବାହାରି ୪ଟା ୨୫ ରେ ରାଇରଙ୍ଗପୁର ସ୍ଥିତ ଦାଣ୍ଡବୋଷ ହେଲିପ୍ୟାଡରେ ପହଞ୍ଚି ସେଠୁରୁ ରାଇରଙ୍ଗପୁର ସର୍କିଟ ହାଉସ ଠାରେ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ୨୧ନଭେମ୍ବର ମଙ୍ଗଳବାର ଦିନ ସକାଳ ୮ଟା ୦୫ମିନିଟ ସମୟରେ ରାଇରଙ୍ଗପୁର ରୁ ସଡକପଥରେ ବାହାରି ନିଜ ଗାଁ ପାହାଡପୁର ରେ ପହଞ୍ଚିବେ ମହାମହିମ । ପାହାଡପୁର ଠାରେ ଦକ୍ଷତା ବିକାଶ କେନ୍ଦ୍ରର ଶୁଭ ଉଦଘାଟନ କରିବା ପରେ ନିଜ ସ୍ବାମୀ ଓ ୨ପୁଅଙ୍କ ସ୍ମୃତି ରେ ନୂତନ ଭାବେ ପୁନଃନିର୍ମାଣ ହୋଇଥିବା SLS ବିଦ୍ୟାଳୟ ର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।ପାହାଡପୁର ଗ୍ରାମରେ ରହୁଥିବା ଆତ୍ମିୟ ସ୍ବଜନଙ୍କ ସହ ଆଲୋଚନା କରିବେ ଶ୍ରୀମତୀ ମୁର୍ମୁ । ୯.୧୫ ରେ ପାହାଡପୁର ରୁ ବାହାରି ୯ଟା ୨୫ ରେ ବାଦାମପାହାଡ ରେ ରାଷ୍ଟ୍ରପତି ପହଞ୍ଚିବା ପରେ ଟାଟାନଗର ରୁ ବାଦାମପାହାଡ , ବାଦାମପାହାଡ ରୁ ରାଉରକେଲା ଏକ୍ସପ୍ରେସ , ସାଲିମାର-ବାଦାମପାହାଡ ଏକ୍ସପ୍ରେସ (ତିନୋଟି) ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ।
📱 Get Argus News App
✨ବାଦାମପାହାଡ ପ୍ଲାଟଫର୍ମ ରୁ ଭର୍ଚୁଆଲ ମୋଡରେ ରାଇରଙ୍ଗପୁର ନୂତନ ପୋଷ୍ଟାଲ ଡିଭିଜନ କୁ ଉଦଘାଟନ କରିବା ସହ ଅନ୍ୟ କିଛି କାର୍ଯ୍ୟକ୍ରମକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିବେ । ଏହାପରେ ବାଦାମପାହାଡ ଅମୃତ ଷ୍ଟେସନର ଭିତ୍ତିପ୍ରସ୍ତ କରିବେ ମହାମହିମ । ସକାଳ ୧୦.୪୫ ରେ ବାଦାମପାହାଡ ରୁ ଟ୍ରେନ ଯୋଗେ ଆସି ୧୧ଟା ୨୫ ରେ ରାଇରଙ୍ଗପୁର ପହଞ୍ଚିବା ପରେ ୧୧ଟା ୫୫ରେ ଦାଣ୍ଡବୋଷ ହେଲିପ୍ୟାଡରୁ ମହାନଦୀ କୋଲ୍ଡଫିଲ୍ଡ ବୁର୍ଲା ଅଭିମୁଖେ ଯାତ୍ରା କରିବେ ବୋଲି ମିଳିଥିବା ରାଷ୍ଟ୍ରପତି ସେକ୍ରେଟାରୀ ଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ସୂଚନାରୁ ଜଣାପଡିଛି। ଏ ନେଇ ଭାରତୀୟ ରେଳ ବିଭାଗ ତଥା ଜିଲ୍ଲା ପ୍ରସାଶନ ପକ୍ଷରୁ ବ୍ଯାପକ ପ୍ରସ୍ତୁତି ଚାଲିଥିବା ବେଳେ ଅଞ୍ଚଳର ଲୋକ ମାନଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଥିବା ପରିଲକ୍ଷିତ ହୋଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: