ରାଜ୍ୟ ରାଜନୀତିରେ ଭୂକମ୍ପ

ଅର୍ଗସ ବ୍ୟୁରୋ: ସତ ହୋଇ ଚାଲିଛି ଆଶଙ୍କା । ନବୀନଙ୍କ ନେତୃତ୍ଵ ପ୍ରତି ତୁଟୁଛି ଆସ୍ଥା । ପରାଜୟ ପରେ ପ୍ରାରମ୍ଭ ହୋଇସାରିଛି ବିଜେଡିର ଦୁର୍ଗପତନ ।ବିଜେଡି ପ୍ରତି ମମତା ତୁଟାଇ ରାଜ୍ୟସଭା ସଦସ୍ୟ ସୁଜିତ କୁମାରଙ୍କ ଇସ୍ତଫା ପରେ ରାଜ୍ୟ ରାଜନୀତିରେ ବଡ ହଲଚଲ । ବିଜେଡି ଛାଡିବା ପରେ ନୂଆଦିଲ୍ଲୀରେ ପଦ୍ମ ଧରିଛନ୍ତି ସୁଜିତ । ବିଜେପି ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂହ ଓ ପ୍ରଭାରୀ ବିଜୟ ପାଲ ସିଂ ତୋମାର ସୁଜିତଙ୍କୁ ବିଜେପିରେ ସ୍ବାଗତ କରିଛନ୍ତି ।
ପ୍ରଶ୍ନ ଉଠୁଛି କାହିଁକି ବିଜେଡି ପ୍ରତି ଆସ୍ଥା ତୁଟାଇଲେ ସୁଜିତ ? ବିଜେଡି ନେତାଙ୍କର ଆଉ ନବୀନଙ୍କ ଉପରେ ଭରସା ନାହିଁ ନା ନବୀନଙ୍କର ଦଳୀୟ ନେତାଙ୍କ ଉପରେ ନିୟନ୍ତ୍ରଣ ନାହିଁ ? ଏପଟେ ବିଜେଡି ପରାଜୟ ଭୋଗିଲେ, ଦଳ ଖଣ୍ଡ ଖଣ୍ଡ ହେବା ନେଇ ଯେଉଁ ଆଶଙ୍କା କରାଯାଉଥିଲା, ଏହା ଏବେ ଆରମ୍ଭ ହୋଇଯାଇଥିବା ମତ ବାଢ଼ିଛନ୍ତି ରାଜନୈତିକ ବିଶ୍ଲେଷକ । ସେପଟେ ଦଳର ଅବସ୍ଥା ଏବେ ସାଙ୍ଘାତିକ ହେଉଥିବା ବେଳେ ନିଜ ଦୋଷ ଘୋଡ଼େଇବା ପାଇଁ ବାଉଳେଇ ହେଲାଣି ବିରୋଧୀ ବିଜେଡି ।
ସେପଟେ ବିଜେଡିର ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି । ଅନ୍ତର୍କନ୍ଦଳ ଯୋଗୁଁ ବିଜେଡିରେ ଏବେ ଭୟଙ୍କର ସ୍ଥିତି । ସେଥିପାଇଁ ଜଣେ ପରେ ଜଣେ ଦଳ ଛାଡ଼ୁଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ । ବିଜେଡି ବିଶ୍ବର ସର୍ବବୃହତ ଦଳ ହୋଇଥିବାରୁ ସମସ୍ତଙ୍କୁ ସ୍ବାଗତ କରାଯିବ ବୋଲି ମଧ୍ୟ ପ୍ରତାପ କହିଛନ୍ତି ।ଗୋଟିଏ ପଟେ ନବୀନଙ୍କ ପାଣ୍ଡିଆନଙ୍କ ପ୍ରତି ଦୁର୍ବଳତା ଅନ୍ୟପଟେ ଦଳ ଛାଡ଼ୁଛନ୍ତି ନେତା । ତେଣୁ ପ୍ରଶ୍ନ ଖାଲି ମମତା ଆଉ ସୁଜିତ ନା ଆହୁରି ଅନେକ ।
📱 Get Argus News App
✨ଅଧିକ ପଢ଼ନ୍ତୁ ରାଜନୀତି ଖବର