Videos
|
Odisha

ESMA Imposed / ଲାଗୁ ହେଲା ଏସ୍‌ମା,ବିଦ୍ୟୁତ କର୍ମଚାରୀ କରିପାରିବେନି କାର୍ଯ୍ୟବନ୍ଦ ଆନ୍ଦୋଳନ

Bikash Mohanty
Browse all articles by Bikash Mohanty
·2 months ago·3 min read
ଲାଗୁ ହେଲା ଏସ୍‌ମା,ବିଦ୍ୟୁତ କର୍ମଚାରୀ କରିପାରିବେନି କାର୍ଯ୍ୟବନ୍ଦ ଆନ୍ଦୋଳନ
ESMA

Key Points

ରାଜ୍ୟରେ ଲାଗୁ ହେଲା ଏସ୍‌ମା
କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେନି ବିଦ୍ୟୁତ କର୍ମଚାରୀ
ଆସନ୍ତା ୬ ମାସ ପାଇଁ ଏସମା ଲାଗୁ କଲେ ସରକାର
ଭୁବନେଶ୍ବର,୨୩/୦୫: ବିଦ୍ୟୁତ ସେବା କ୍ଷେତ୍ରରେ ୬ ମାସ ପାଇଁ ଏସ୍‌ମା ଲାଗୁ କଲେ ରାଜ୍ୟ ସରକାର। ଉତ୍ପାଦନ, ପରିବହନ ଓ ବିତରଣ କ୍ଷେତ୍ରରେ ଲାଗୁ ହେଲା ଏସମା। ରାଜ୍ୟର ଶକ୍ତି କ୍ଷେତ୍ର ସହ ଜଡ଼ିତ ସମସ୍ତ ସଂସ୍ଥାରେ ଧର୍ମଘଟକୁ ଛଅ ମାସ ପାଇଁ ନିଷିଦ୍ଧ କରାଯାଇଛି । ଗୃହ ବିଭାଗର ବିଶେଷ ଶାଖା ପକ୍ଷରୁ ଜାରି ଏହି ଆଦେଶ ଅନୁଯାୟୀ, ଓଡ଼ିଶା ଜରୁରୀ ସେବା ରକ୍ଷଣାବେକ୍ଷଣ ଆଇନ ବା ଏସ୍‌ମା ଲାଗୁ ହୋଇଛି ।

ଗ୍ରୀଡ୍‌କୋ, OPTCL, OHPC, OPGC ସହ TPCODL, TPNODL, TPSODL ଓ TPWODL ପରି ବିଦ୍ୟୁତ ବଣ୍ଟନ କମ୍ପାନୀମାନଙ୍କୁ ଏହି ନିଷେଧାଜ୍ଞାର ଅଧୀନରେ ଆଣାଯାଇଛି। ଏଥିସହ ରାଜ୍ୟର ଅନ୍ୟାନ୍ୟ ପାୱାର ଉତ୍ପାଦନ ସଂସ୍ଥାମାନେ ମଧ୍ୟ ଏହି ଆଦେଶର ପରିଧିରେ ରହିବେ। ଏହାର ଫଳରେ ଏହି ସଂସ୍ଥାଗୁଡ଼ିକର କର୍ମଚାରୀ, ଇଞ୍ଜିନିୟର ଓ ଅନ୍ୟ ସଂପୃକ୍ତ ସେବାକର୍ମୀମାନେ ଧର୍ମଘଟ କିମ୍ବା କାମ ବନ୍ଦ ଆନ୍ଦୋଳନ କରିପାରିବେ ନାହିଁ। ଅନଧିକୃତ ଭାବେ କାର୍ଯ୍ୟରୁ ଅନୁପସ୍ଥିତ ରହିବାକୁ ମଧ୍ୟ ଏହି ଆଇନ ଅନୁଯାୟୀ ଧର୍ମଘଟର ଶ୍ରେଣୀରେ ଗଣାଯିବ ବୋଲି ଆଦେଶରେ ସ୍ପଷ୍ଟ କରାଯାଇଛି।

ସାରା ରାଜ୍ୟରେ ଆକାଶରୁ ନିଆଁ ବର୍ଷୁଛି । ଆଉ ଏତିକି ବେଳେ ଯନ୍ତ୍ରଣା ବଢ଼ାଇ ଦେଇଛି ଅଘୋଷିତ ବିଦ୍ୟୁତ୍ କାଟ । ପ୍ରଚଣ୍ଡ ତାତିରେ ଛଟପଟ ହେଉଥିବା ଲୋକେ ଧର୍ଯ୍ୟହରା ହେଲେଣି । ବଲାଙ୍ଗିରରୁ ଭୁବନେଶ୍ୱର, କଟକରୁ ଗଞ୍ଜାମ, ସବୁଠି ସମାନ ସ୍ଥିତି । କେଉଁଠି ଘଣ୍ଟା ଘଣ୍ଟା ଲାଇନ୍ କଟୁଛି ତ କେଉଁଠି ଓଭରଲୋଡ୍ ଯୋଗୁଁ ହୁତୁହୁତୁ ହୋଇ ଜଳୁଛି ଟ୍ରାନ୍ସଫର୍ମର।

ପଢନ୍ତୁ ଏହି ଖବର: ଆକାଶରୁ ନିଆଁ ବର୍ଷା ଭିତରେ ଲୋକଙ୍କ ଯନ୍ତ୍ରଣା ବଢ଼ାଉଛି ବିଦ୍ୟୁତ୍; ଓଭରଲୋଡ୍ ଯୋଗୁଁ ହେଉଛି ପାୱାର କଟ୍

ଏଭଳି ସ୍ଥିତିରେ ଉଗ୍ର ହେବାରେ ଲାଗିଛି ଅସନ୍ତୋଷ । ବିଜୁଳି ସମସ୍ୟାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଖୋଦ୍ ଉପମୁଖ୍ୟମନ୍ତ୍ରୀ । କହିଛନ୍ତି ପିକ୍ ଆୱାରରେ ଓଭରଲୋଡ୍ ଯୋଗୁଁ ହେଉଛି ପାୱାର କଟ୍ । ଆଶ୍ବାସନା ଦେଇଛନ୍ତି, ଯେତେ ଶୀଘ୍ର ସମ୍ଭବ ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାର୍ଯ୍ୟ ।

ବଲାଙ୍ଗିର ସହରରେ ଗରମ ସାଙ୍ଗକୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଅଘୋଷିତ ବିଦ୍ୟୁତ ବିଭ୍ରାଟ ପ୍ରତିବାଦ କରିଛନ୍ତି ଲୋକେ । ଗୁରୁବାର ରାତିରେ ରାଜରାସ୍ତାକୁରେ ପ୍ରତିବାଦ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ଲଳିତ ନଗର, ରାଜୀବ ନଗର ଓ ପେଲେଲାଇନ ଅଞ୍ଚଳର ବାସିନ୍ଦା ଅଫିସ୍ ଘେରାଉ କରିବା ସହ ହୋ ହଲ୍ଲା କରିଛନ୍ତି ।

କେବଳ ବିଦ୍ୟୁତ୍ କାଟ ନୁହେଁ, ବଲାଙ୍ଗିର ଆଦର୍ଶପଡ଼ା ଶୀତଳଭଣ୍ଡାର ନିକଟରେ ଗତ ରାତିରେ ଏକ ଟ୍ରାନ୍ସଫର୍ମର ଜଳି ଯାଇଥିଲା । ଲୋକେ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ମରାମତି ଚାଲିଥିବାରୁ ଏହି ସମସ୍ୟା ଉପୁଜିଛି ଓ ଶୀଘ୍ର ସମାଧାନ କରାଯିବ ବୋଲି ବଲାଙ୍ଗିର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ କହିବା ପରେ ଲୋକେ ଶାନ୍ତ ପଡ଼ିଥିଲେ ।

ବଲାଙ୍ଗିର ଭଳି ସ୍ଥିତି ରାଜ୍ୟ ଅଧିକାଂଶ ସ୍ଥାନରେ ସମାନ ସ୍ଥିତି । ରାଜଧାନୀ ଭୁବନେଶ୍ୱରର ସତ୍ୟ ବିହାରରେ ଲୋଡ୍ ସହିନପାରି ଟ୍ରାନ୍ସଫର୍ମର ବ୍ଲାଷ୍ଟ ହେବା ସହ ପ୍ରାୟ ଘଣ୍ଟାଏ ଧରି ଜଳିଥିଲା । ୫ରୁ ୬ ଘଣ୍ଟା ପାୱାର କଟ୍ ହୋଇଥିବା ବେଳେ ଟୋଲ୍ ଫ୍ରି ନମ୍ବର ମଧ୍ୟ କାମ କରୁନଥିବା ଅଭିଯୋଗ ହୋଇଛି ।

ସେପଟେ କଟକ ସଦର ଫୁଲନଖରା ବିଦ୍ୟୁତ୍ ସେକ୍ସନ୍‌ରେ ଟ୍ରାନ୍ସଫର୍ମର ପୋଡ଼ିଯିବା ପରେ କୌଣସି ଅଧିକାରୀ ନଆସିବାରୁ ଲୋକେ ଅଫିସରେ ତାଲା ପକାଇ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଆଡାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ରାତିରେ ବିଜୁଳି ନଥାଇ ଅନ୍ଧାରରେ ଡାକ୍ତରୀ ସେବା ଯୋଗାଇ ଦିଆଯାଉଥିବା ଭଳି ସମ୍ବେଦନଶୀଳ ଦୃଶ୍ୟ ସାମ୍ନାକୁ ଆସିଛି ।

ରାଜ୍ୟରେ ଜାରି ରହିଥିବା ଘନ ଘନ ବିଦ୍ୟୁତ ବିଭ୍ରାଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶକ୍ତି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ । ପିକ୍ ଆୱାରରେ ଅଧିକ ଓଭରଲୋଡିଂ ଯୋଗୁଁ ଟ୍ରାନ୍ସଫର୍ମର ଫେଲ୍ୟୁର ହେଉଛି, ଯାହା କାହା ହାତରେ ନାହିଁ । ତଥାପି ବିଦ୍ୟୁତ କାଟ୍ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ଯେତେ ଶୀଘ୍ର ସମ୍ଭବ ଏହାର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବା ସେ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ESMA Imposed | ESMA Imposed on Electricity Workers: Strike Banned in Power Sector | Argus News