Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆକାଶରୁ ନିଆଁ ବର୍ଷା ଭିତରେ ଲୋକଙ୍କ ଯନ୍ତ୍ରଣା ବଢ଼ାଉଛି ବିଦ୍ୟୁତ୍; ଓଭରଲୋଡ୍ ଯୋଗୁଁ ହେଉଛି ପାୱାର କଟ୍

Odisha

Electricity Crisis / ଆକାଶରୁ ନିଆଁ ବର୍ଷା ଭିତରେ ଲୋକଙ୍କ ଯନ୍ତ୍ରଣା ବଢ଼ାଉଛି ବିଦ୍ୟୁତ୍; ଓଭରଲୋଡ୍ ଯୋଗୁଁ ହେଉଛି ପାୱାର କଟ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଆକାଶରୁ ନିଆଁ ବର୍ଷା ଭିତରେ ଲୋକଙ୍କ ଯନ୍ତ୍ରଣା ବଢ଼ାଉଛି ବିଦ୍ୟୁତ୍; ଓଭରଲୋଡ୍ ଯୋଗୁଁ ହେଉଛି ପାୱାର କଟ୍
Odisha battling double trouble

Key Points

ଗୋଟିଏ ପଟେ ଆକାଶରୁ ନିଆଁ ବର୍ଷୁଛି
ଅନ୍ୟପଟେ ଅଡୁଆ କରୁଛି ବିଜୁଳି କାଟ୍
ଭୁବନେଶ୍ଵର: ସାରାରାଜ୍ୟରେ ଆକାଶରୁ ନିଆଁ ବର୍ଷୁଛି । ଆଉ ଏତିକି ବେଳେ ଯନ୍ତ୍ରଣା ବଢ଼ାଇ ଦେଇଛି ଅଘୋଷିତ ବିଦ୍ୟୁତ୍ କାଟ । ପ୍ରଚଣ୍ଡ ତାତିରେ ଛଟପଟ ହେଉଥିବା ଲୋକେ ଧର୍ଯ୍ୟହରା ହେଲେଣି । ବଲାଙ୍ଗିରରୁ ଭୁବନେଶ୍ୱର, କଟକରୁ ଗଞ୍ଜାମ, ସବୁଠି ସମାନ ସ୍ଥିତି । କେଉଁଠି ଘଣ୍ଟା ଘଣ୍ଟା ଲାଇନ୍ କଟୁଛି ତ କେଉଁଠି ଓଭରଲୋଡ୍ ଯୋଗୁଁ ହୁତୁହୁତୁ ହୋଇ ଜଳୁଛି ଟ୍ରାନ୍ସଫର୍ମର ।

ଏଭଳି ସ୍ଥିତିରେ ଉଗ୍ର ହେବାରେ ଲାଗିଛି ଅସନ୍ତୋଷ । ବିଜୁଳି ସମସ୍ୟାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଖୋଦ୍ ଉପମୁଖ୍ୟମନ୍ତ୍ରୀ । କହିଛନ୍ତି ପିକ୍ ଆୱାରରେ ଓଭରଲୋଡ୍ ଯୋଗୁଁ ହେଉଛି ପାୱାର କଟ୍ । ଆଶ୍ବାସନା ଦେଇଛନ୍ତି, ଯେତେ ଶୀଘ୍ର ସମ୍ଭବ ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାର୍ଯ୍ୟ ।

ଏଥିସହ ପଢ଼ନ୍ତୁ: ଏକା ସାଙ୍ଗେ ଦେଖାଯିବ ବନ୍ୟା, ମରୁଡ଼ି ! ଅକ୍ଟୋବର ପର୍ଯ୍ୟନ୍ତ ରହିପାରେ ଗ୍ରୀଷ୍ମ ପ୍ରବାହ 

ବଲାଙ୍ଗିର ସହରରେ ଗରମ ସାଙ୍ଗକୁ ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଅଘୋଷିତ ବିଦ୍ୟୁତ ବିଭ୍ରାଟ ପ୍ରତିବାଦ କରିଛନ୍ତି ଲୋକେ । ଗୁରୁବାର ରାତିରେ ରାଜରାସ୍ତାକୁରେ ପ୍ରତିବାଦ କରିଛନ୍ତି ଶତାଧିକ ମହିଳା ଓ ପୁରୁଷ । ଲଳିତ ନଗର, ରାଜୀବ ନଗର ଓ ପେଲେଲାଇନ ଅଞ୍ଚଳର ବାସିନ୍ଦା ଅଫିସ୍ ଘେରାଉ କରିବା ସହ ହୋ ହଲ୍ଲା କରିଛନ୍ତି ।

କେବଳ ବିଦ୍ୟୁତ୍ କାଟ ନୁହେଁ, ବଲାଙ୍ଗିର ଆଦର୍ଶପଡ଼ା ଶୀତଳଭଣ୍ଡାର ନିକଟରେ ଗତ ରାତିରେ ଏକ ଟ୍ରାନ୍ସଫର୍ମର ଜଳି ଯାଇଥିଲା । ଲୋକେ ଆତଙ୍କିତ ହୋଇ ପଡ଼ିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ମରାମତି ଚାଲିଥିବାରୁ ଏହି ସମସ୍ୟା ଉପୁଜିଛି ଓ ଶୀଘ୍ର ସମାଧାନ କରାଯିବ ବୋଲି ବଲାଙ୍ଗିର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ କହିବା ପରେ ଲୋକେ ଶାନ୍ତ ପଡ଼ିଥିଲେ ।

ବଲାଙ୍ଗିର ଭଳି ସ୍ଥିତି ରାଜ୍ୟ ଅଧିକାଂଶ ସ୍ଥାନରେ ସମାନ ସ୍ଥିତି । ରାଜଧାନୀ ଭୁବନେଶ୍ୱରର ସତ୍ୟ ବିହାରରେ ଲୋଡ୍ ସହିନପାରି ଟ୍ରାନ୍ସଫର୍ମର ବ୍ଲାଷ୍ଟ ହେବା ସହ ପ୍ରାୟ ଘଣ୍ଟାଏ ଧରି ଜଳିଥିଲା । ୫ରୁ ୬ ଘଣ୍ଟା ପାୱାର କଟ୍ ହୋଇଥିବା ବେଳେ ଟୋଲ୍ ଫ୍ରି ନମ୍ବର ମଧ୍ୟ କାମ କରୁନଥିବା ଅଭିଯୋଗ ହୋଇଛି ।

ସେପଟେ କଟକ ସଦର ଫୁଲନଖରା ବିଦ୍ୟୁତ୍ ସେକ୍ସନ୍‌ରେ ଟ୍ରାନ୍ସଫର୍ମର ପୋଡ଼ିଯିବା ପରେ କୌଣସି ଅଧିକାରୀ ନଆସିବାରୁ ଲୋକେ ଅଫିସରେ ତାଲା ପକାଇ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଆଡାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ରାତିରେ ବିଜୁଳି ନଥାଇ ଅନ୍ଧାରରେ ଡାକ୍ତରୀ ସେବା ଯୋଗାଇ ଦିଆଯାଉଥିବା ଭଳି ସମ୍ବେଦନଶୀଳ ଦୃଶ୍ୟ ସାମ୍ନାକୁ ଆସିଛି ।

ଏଥିସହ ପଢ଼ନ୍ତୁ: ତାତିରୁ ତ୍ରାହି ନାହିଁ: ଆଜିଠୁ ଆହୁରି ବଢ଼ିବ ତାତି, ଆଗାମୀ ୫ ଦିନ ଯାଏଁ ହିଟ୍‌ୱେଭ ଆଲର୍ଟ ଜାରି 

ରାଜ୍ୟରେ ଜାରି ରହିଥିବା ଘନ ଘନ ବିଦ୍ୟୁତ ବିଭ୍ରାଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶକ୍ତି ବିଭାଗ ଦାୟିତ୍ବରେ ଥିବା ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ । ପିକ୍ ଆୱାରରେ ଅଧିକ ଓଭରଲୋଡିଂ ଯୋଗୁଁ ଟ୍ରାନ୍ସଫର୍ମର ଫେଲ୍ୟୁର ହେଉଛି, ଯାହା କାହା ହାତରେ ନାହିଁ । ତଥାପି ବିଦ୍ୟୁତ କାଟ୍ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ଓ ଯେତେ ଶୀଘ୍ର ସମ୍ଭବ ଏହାର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଥିବା ସେ କହିଛନ୍ତି ।

ପ୍ରଚଣ୍ଡ ତାତିରେ ଅଘୋଷିତ ପାୱାର କଟ୍, ସାଧାରଣ ଜୀବନ ଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି । ସରକାର ଓ ପ୍ରଶାସନ ଦେଉଥିବା ସମାଧାନର ପ୍ରତିଶ୍ରୁତି କେବେ ପୂରଣ ହେଉଛି ତାହା ଦେଖିବାର କଥା ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Heatwave Worsens As Power Cuts Hit Bhubaneswar, Bolangir | Argus News | Argus News