ମହଙ୍ଗା ପଡ଼ିଲା ଏକଜିଟ୍ ପୋଲ ପ୍ରସାରଣ

ଭୁବନେଶ୍ୱର: ଇନ୍ଦ୍ରଚନ୍ଦ୍ର ମାନୁନି ରାଜ୍ୟର ବିଜେଡି ସମର୍ଥିତ ନିର୍ଦ୍ଧିଷ୍ଟ ଘରୋଇ ଚ୍ୟାନେଲ । ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ପରେ ବି ରାଜ୍ୟରେ ନିର୍ବାଚନ ଚାଲୁଥିବା ପରେ ବି ଏକଜିଟ ପୋଲ ପ୍ରସାରଣ କରିଥିଲା । ଯାହାକୁ ନେଇ ପ୍ରବଳ ବିରୋଧ କରାଯାଇଥିଲା । ଖାଲି ବିରୋଧ କରାଯାଇଥିଲା ତାହା ନୁହେଁ ବରଂ ଏନେଇ ବିଜେପି ଅଭିଯୋଗ ବି କରିଥିଲା । ଆଉ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି । ତେବେ ନିର୍ବାଚନ ଆଗରୁ ଜନ ମତ ପ୍ରଭାବିତ କରିବା ଓ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ ବିଜେଡି ନୂଆ ଚାଲ୍ କରିଛି । ଟିଭିରେ କହୁଛି ବିଜେଡି ଏଥର ଜିତୁଛି ବୋଲି ।
ନିୟମ ଭାଙ୍ଗିଲା, ଆକ୍ସନ ପାଇଁ ନିର୍ଦ୍ଦେଶ ଆସିଲା । ଘରୋଇ ଟିଭି ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା । ଏନେଇ ସିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ଏକଜିଟ ପୋଲ ପ୍ରସାରଣ କରିଥିବାରୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ରିପ୍ରେଜେଣ୍ଟସନ୍ ଅଫ୍ ପିପୁଲ୍ସ ଆକ୍ଟର ଉଲଂଘନ ପାଇଁ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ଦିଆଯାଇଥିବା ବରିଷ୍ଠ ସାମ୍ବାଦିକ ଅଖିଳେଶ ଶର୍ମା ନିଜ ଏକ୍ସ ପେଜରେ ଟ୍ଵିଟ କରି ସୂଚନା ଦେଇଛନ୍ତି । ପୂର୍ବରୁ ବିଜେପି ନିର୍ଦ୍ଦିଷ୍ଟ ଘରୋଇ ଚ୍ୟାନେଲ ନାଁରେ ନିର୍ବାଚନ ଆୟୋଗଙ୍କଠାରେ ହୋଇଥିଲା ଫେରାଦ ।
ମିଳିଥିବା ସୂଚନା ଅନୁସାରେ, ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୬(କ) ଅନୁସାରେ ଏକଜିଟ୍ ପୋଲ୍ ଉପରେ କଟକଣା ରହିଛି । ଚଳିତ ନିର୍ବାଚନରେ ଏପ୍ରିଲ ୧୯ ସକାଳ ୭ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ଓପିନିଅନ ପୋଲ ଓ ଏକଜିଟ୍ ପୋଲ୍ ପ୍ରସାରଣ ଉପରେ ନିର୍ବାଚନ କମିଶନ କଟକଣା ଜାରି କରିଛନ୍ତି । ଜନପ୍ରତିନିଧି ଆଇନ-୧୯୫୧ ଓ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଖୋଲା ଉଲ୍ଲଘଂନ କରି ‘ ଘରୋଇ ସାଟେଲାଇଟ୍ ନ୍ୟୁଜ୍ ଚ୍ୟାନେଲ୍’ ଓଡ଼ିଶା ବିଧାନସଭା ନିର୍ବାଚନ ସଂକ୍ରାନ୍ତ ‘ଏକଜିଟ୍ ପୋଲ୍’ ପ୍ରସାରଣ କରିଥିଲା । ତେଣୁ ଏହା ବିରୋଧରେ ବିଜେପି ଏନେଇ ନିର୍ବାଚନ କମିଶନଙ୍କୁ ଫେରାଦ ହେବା ସହ ତୁରନ୍ତ ସମ୍ପୃକ୍ତ ଟିଭି ଚ୍ୟାନେଲ ଓ ଏହାର ମାଲିକ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।
📱 Get Argus News App
✨ସେପଟେ, ଏକ୍ସରେ ସଂପୃକ୍ତ ଘରୋଇ ଟେଲିଭିଜନ୍ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । କୁହାଯାଇଛି, ଏହା ହେଉଛି ଏକ ଡମି ଡାଟା । ଇଣ୍ଟରନାଲ୍ ଟେଷ୍ଟିଂବେଳେ ବୈଷୟିକ ତ୍ରୁଟି କାରଣରୁ ହଠାତ୍ ଅଜାଣତରେ ପ୍ରସାରିତ ହୋଇଯାଇଥିଲା । କେବଳ ସଂପୃକ୍ତ ଟିଭି ଚ୍ୟାନେଲ ନୁହେଁ, EXIT ପୋଲ୍ ପାଇଁ ଯେଉଁ ସଂସ୍ଥାର ନାଁ ଉଲ୍ଲେଖ କରାଯାଇଥିଲା, ସେହି ସଂସ୍ଥା ପକ୍ଷରୁ ମଧ୍ୟ ଏକ ଭିଡ଼ିଓ ଜାରି କରାଯାଇଛି । ଏଭଳି କୌଣସି EXIT POLL କରାଯାଇନଥିବା ସ୍ପଷ୍ଟ କରିଛନ୍ତି ସଂପୃକ୍ତ ସଂସ୍ଥାର ପ୍ରତିଷ୍ଠାତା । ତେଣୁ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଛି ଜନ କୀ ବାତ୍ । ଜନ କୀ ବାତ୍ ନାଁରେ ଏକଜିଟ୍ ପୋଲ ପ୍ରସାରଣ କରିଥିଲା ସଂପୃକ୍ତ ଘରୋଇ ଟିଭି ଚ୍ୟାନେଲ । ତେବେ ସମୟ କହିବ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର

