୧୦ ବର୍ଷ ହେବ ଅନୁଷ୍ଠିତ ହେଉନି ହାଣ୍ଡିଭଙ୍ଗା ନୀତି

Key Points
- ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ଚରମ ଅବହେଳା
- ଚଳିତ ବର୍ଷ ବି ବନ୍ଦ ରହିଲା ହାଣ୍ଡିଭଙ୍ଗା ନୀତି
- ୧୦ ବର୍ଷ ହେବ ଅନୁଷ୍ଠିତ ହେଉନି ହାଣ୍ଡିଭଙ୍ଗା ନୀତି
- ହାଇକୋର୍ଟ ନିର୍ଦ୍ଦେଶ ପରେ ମଧ୍ୟ ହେଉନି କାର୍ଯ୍ୟକାରୀ
ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବାରମ୍ବାର ଅବହେଳା । ବର୍ଷ ତମାମ ଅନେକ ସମୟରେ ସେବାୟତ ବିଭିନ୍ନ ପ୍ରସଙ୍ଗ ଉଠାଇ ମହାପ୍ରଭୁଙ୍କୁ ଖାଡା ଉପାସ ରଖୁଥିବାବେଳେ ଏଥର ବି ବନ୍ଦ ରହିଲା ହାଣ୍ଡିଭଙ୍ଗା ନୀତି । ପବିତ୍ର ଜାଗର ଯାତ୍ରା ପରେ ଅନୁଷ୍ଠିତ ହୋଇଥାଏ ହାଣ୍ଡିଭଙ୍ଗା ନୀତି । ହେଲେ ମଲ୍ଲିଆ-ଖୁଂଟିଆ ସେବାୟତଙ୍କ ବିବାଦ ଯୋଗୁଁ ଦୀର୍ଘ ୧୦ବର୍ଷ ହେବ ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ ହୋଇ ପାରୁନି । ଚଳିତ ବର୍ଷ ମଧ୍ୟ ହାଣ୍ଡି ଭାଙ୍ଗ ଜାତ ପାଇଁ ବହୁ ପୂର୍ବରୁ ଉଭୟ ସେବାୟତଙ୍କୁ ଡାକି ବୈଠକ ବସିଥିଲା କିନ୍ତୁ କୌଣସି ସମାଧାନ ନହେବାରୁ ଚଳିତ ବର୍ଷ ମଧ୍ୟ ବନ୍ଦ ରହିଛି ହାଣ୍ଡିଭଙ୍ଗା ନୀତି ।
ଜାଗର ଯାତ୍ରାର ୮ଦିନ ପରେ ମହାପ୍ରଭୁ ଲିଙ୍ଗରାଜ କପିଳେଶ୍ୱରଙ୍କ ମନ୍ଦିରକୁ ଯାଇ ଏକାମ୍ର ଅଂଚଳର ମଙ୍ଗଳ ପାଇଁ ଶନିଦେବଙ୍କୁ ପୂଜା କରିଥାନ୍ତି ଏହାକୁ ହାଣ୍ଡିଭଙ୍ଗା ଯାତ କୁହାଯାଇଥାଏ । ସେହିପରି ଶୀତଳଷଷ୍ଠୀ ସମୟରେ କପିଳେଶ୍ୱର ମଧ୍ୟ ମହାମନ୍ତ୍ରୀ ରୂପେ ପ୍ରଭୁ ଲିଙ୍ଗରାଜଙ୍କ ସହ ବରଯାତ୍ରୀରେ ଯାଇଥାନ୍ତି। ତେବେ ବର୍ଷ ୨୦୧୫ରେ ମଲ୍ଲିଆ-ଖୁଂଟିଆ ସେବାୟତଙ୍କ ବିବାଦ ଦେଖାଦେବାରୁ ସେବେଠାରୁ ମନ୍ଦିରରେ ଏହି ଦୁଇଟି ସ୍ଵତନ୍ତ୍ର ନୀତିକାନ୍ତୀ ବନ୍ଦ ରହିଛି। ମାମଲା କୋର୍ଟକୁ ଯାଇଥିବା ବେଳେ ୨୦୧୯ ମସିହାରେ ନୀତିକାନ୍ତୀ ପୂର୍ବ ଭଳି ଚାଲିବାକୁ ନିର୍ଦ୍ଦେଶ ଦେଇଥିଲେ ଉଚ୍ଚ ନ୍ୟାୟାଳୟ। କୋର୍ଟଙ୍କ ରାୟକୁ ଏଥି ମଧ୍ୟରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇପାରିନି ।
କେବଳ ୫t ନାଁରେ ମନ୍ଦିର ବାହାରର ସୌନ୍ଦର୍ଯ୍ୟକରଣ କରାଯାଉଥିଲେ ମଧ୍ୟ ମହାପ୍ରଭୁଙ୍କ ନୀତିକାନ୍ତୀ ବନ୍ଦ ନେଇ ପ୍ରଶାସନ କୌଣସି ପଦକ୍ଷେପ ନେଉନାହିଁ। ଯାହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ।
📱 Get Argus News App
✨ଆହୁରି ପଢନ୍ତୁ ଓଡିଶା ଖବର...
