Videos
|
Odisha

Crime News / ଠକ ବାବା ଗ୍ୟାଙ୍ଗର ପର୍ଦ୍ଦାଫାସ୍, ମହିଳାଙ୍କୁ ଭୟ ଦେଖାଇ ଲୁଟୁଥିଲେ ଟଙ୍କା ଓ ସୁନା

Bikash Mohanty
Browse all articles by Bikash Mohanty
·2 hours ago·2 min read
ଠକ ବାବା ଗ୍ୟାଙ୍ଗର ପର୍ଦ୍ଦାଫାସ୍, ମହିଳାଙ୍କୁ ଭୟ ଦେଖାଇ ଲୁଟୁଥିଲେ ଟଙ୍କା ଓ ସୁନା
BABA GANG

Key Points

ରାଉରକେଲାରେ ତିନି ଭଣ୍ଡ ବାବା ଗିରଫ
ରାଉରକେଲା ପୋଲିସ କଲା ଠକ ବାବା ଗ୍ୟାଙ୍ଗର ପର୍ଦ୍ଦାଫାସ୍
ମହିଳାଙ୍କୁ ଭୟ ଦେଖାଇ ଲୁଟୁଥିଲେ ଟଙ୍କା ଓ ସୁନା
ରାଉରକେଲା ୨୪/୦୯:  ମୁହଁରେ ଦାଢ଼ି, ଦେହରେ ଗେରୁଆ ବସ୍ତ୍ର। ହାତରେ ଧରିଥିଲେ ଜପମାଳା। ନିଜକୁ ସାଧୁ-ସନ୍ଥ ବୋଲି ପରିଚୟ ଦେଇ ଲୋକଙ୍କ ଭବିଷ୍ୟତ କହୁଥିଲେ। କିନ୍ତୁ ଏହି ବେଶ ପଛରେ ଥିଲା ଠକେଇର ଚାଲ୍। ଲୋକଙ୍କ ବିଶ୍ୱାସକୁ ଅସ୍ତ୍ର କରି ମହିଳାଙ୍କଠାରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟ କରୁଥିବା ଏକ ଠକ ବାବା ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ରାଉରକେଲା ପୋଲିସ।

ମହିଳାଙ୍କଠାରୁ ସୁନା ଅଳଙ୍କାର ଓ ଟଙ୍କା ଲୁଟ ଘଟଣାରେ ସେକ୍ଟର-୭ ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ମହିଳାଙ୍କଠାରୁ ଲୁଟ କରାଯାଇଥିବା ସୁନା ଓ ଟଙ୍କା ଜବତ କରାଯାଇଥିବା ଜଣାପଡ଼ିଛି। ଏହି ଗ୍ୟାଙ୍ଗର ଅନ୍ୟ କେହି ସଦସ୍ୟ ଅଛନ୍ତି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ଏମିତି କରୁଥିଲେ ଠକେଇ

ପୋଲିସର ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତମାନେ ସାଧୁ-ସନ୍ଥଙ୍କ ବେଶ ଧାରଣ କରି ବିଭିନ୍ନ ଅଞ୍ଚଳରେ ବୁଲୁଥିଲେ। ଲୋକଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ପାରିବାରିକ ସମସ୍ୟା, ଭବିଷ୍ୟତ ଓ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କହୁଥିଲେ। ଏହା ଦ୍ୱାରା ପ୍ରଥମେ ଲୋକଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରୁଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଟାଟୁ ପାଇଁ ୩୫ ବର୍ଷ ପରେ ପରିବାର ସହ ଯୋଡ଼ିହେଲେ ପ୍ରମିଳା

ବିଶେଷ କରି ମହିଳାମାନଙ୍କୁ ଟାର୍ଗେଟ କରି ଭବିଷ୍ୟତରେ ଅସୁବିଧା ଆସିବା କିମ୍ବା ପାରିବାରିକ ସମସ୍ୟା ହେବା ଭଳି କଥା କହୁଥିଲେ। ଏହାପରେ ସମସ୍ୟା ଦୂର କରିବାର ଉପାୟ କହି ସୁନା ଅଳଙ୍କାର ଓ ଟଙ୍କା ନେଉଥିବା ଅଭିଯୋଗ ରହିଛି। ସୁନା ଓ ଟଙ୍କା ହାତେଇବା ପରେ ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରୁଥିଲେ। ଘଟଣା ପରେ ଠକାମିର ଶିକାର ହୋଇଥିବା ଲୋକମାନେ ଅଭିଯୋଗ କରିବାରୁ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା।

ପୋଲିସ ଜାଲରେ ତିନି ଠକ ବାବା


ସେକ୍ଟର-୭ ଥାନା ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କ ସମ୍ପର୍କରେ ସୁରାକ ପାଇଥିଲା। ଏହାପରେ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ୩ ଜଣଙ୍କୁ କାବୁ କରିଥିଲା। ଗିରଫ ପରେ ସେମାନଙ୍କଠାରୁ ଲୁଟ ସାମଗ୍ରୀ ଜବତ ହୋଇଛି। ତେବେ ଏହି ଗ୍ୟାଙ୍ଗ କେବଳ ସେକ୍ଟର-୭ ଥାନା ଅଞ୍ଚଳରେ ହିଁ ଠକେଇ କରୁଥିଲା ନା ରାଉରକେଲାର ଅନ୍ୟ ଅଞ୍ଚଳରେ ମଧ୍ୟ ଏହାର ନେଟୱର୍କ ରହିଛି, ତାହା ଖୋଜୁଛି ପୋଲିସ।

ଅନ୍ୟ ମାମଲା ରହିଛି କି?

ଗିରଫ ୩ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଅନ୍ୟ ଥାନା ଅଞ୍ଚଳରେ କୌଣସି ଅପରାଧିକ ମାମଲା ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ କରୁଛି ପୋଲିସ। ଅଭିଯୁକ୍ତମାନଙ୍କ ଅତୀତର ଅପରାଧିକ ରେକର୍ଡ ଓ ସେମାନଙ୍କ ଯୋଗାଯୋଗ ସମ୍ପର୍କରେ ଖୋଳତାଡ଼ ଚାଲିଛି। ଏହା ସହିତ ଏହି ଗ୍ୟାଙ୍ଗରେ ଆଉ କେତେଜଣ ସଦସ୍ୟ ଅଛନ୍ତି ଏବଂ ଏମାନେ କେତେ ଜଣଙ୍କୁ ଠକେଇର ଶିକାର କରିଛନ୍ତି, ସେନେଇ ମଧ୍ୟ ପୋଲିସ ତଥ୍ୟ ସଂଗ୍ରହ କରୁଛି। ସାଧୁ-ସନ୍ଥଙ୍କ ବେଶରେ ଆସି ଲୋକଙ୍କ ବିଶ୍ୱାସ ହାସଲ କରି ଠକେଇ କରୁଥିବା ଏହି ଗ୍ୟାଙ୍ଗକୁ ଧରିବା ପରେ ଘଟଣାର ଅନ୍ୟ ଦିଗ ମଧ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି। ଏବେ ସେକ୍ଟର-୭ ଥାନା ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି।