Videos
|
Odisha

Wedding Drama / ବାଜା-ରୋଷଣୀ ସହ ବିବାହ କରିବାକୁ ଯାଉଥିଲେ ନକଲି ସରକାରୀ ବାବୁ, ଅଧା ବାଟରୁ ଉଠାଇନେଲା ପୋଲିସ

Bikash Mohanty
Browse all articles by Bikash Mohanty
·6 mins ago·2 min read
ବାଜା-ରୋଷଣୀ ସହ ବିବାହ କରିବାକୁ ଯାଉଥିଲେ ନକଲି ସରକାରୀ ବାବୁ, ଅଧା ବାଟରୁ ଉଠାଇନେଲା ପୋଲିସ
Sumanta Oram

Key Points

ବାଜା-ରୋଷଣୀ ସହ ବିବାହ କରିବାକୁ ଯାଉଥିଲେ ନକଲି OAS ଅଫିସର
.ଅଧା ବାଟରୁ ଉଠାଇନେଲା ପୋଲିସ, ବର୍ତ୍ତିଗଲା ଯୁବତୀଙ୍କ ଜୀବନ
ନକଲି OAS ଅଫିସର ସୁମନ୍ତ ଓରାମ 
OAS ଅଫିସର ପରିଚୟ ଦେଇ ଠକିଥିଲେ ୨୧ ଲକ୍ଷ ଟଙ୍କା
ସମ୍ବଲପୁର: ମୁଣ୍ଡରେ ମୁକୁଟ, ଦେହରେ ଶେରୱାନି, ଆଉ ବରଯାତ୍ରୀଙ୍କ ଗହଣରେ ବାଜା-ବାଣର ରୋଷଣୀ। ହାତଗଣ୍ଠି ପଡ଼ିବାକୁ ବାକି ଥିଲା ମାତ୍ର କିଛି ସମୟ। ହେଲେ ବିବାହ ବେଦୀକୁ ଯିବା ବଦଳରେ ବରବେଶରେ ସିଧା ଜେଲ୍ ଗଲେ ନକଲି OAS ଅଫିସର। ସମ୍ବଲପୁରରେ ଦେଖିବାକୁ ମିଳିଛି ଜଣେ ହାଇ-ପ୍ରୋଫାଇଲ୍ ଠକର ଏଭଳି କଳାକାରନାମା। ନିଜକୁ OAS ଅଧିକାରୀ ପରିଚୟ ଦେଇ ନାଲକୋରେ ଚାକିରି କରାଇଦେବା ନାଁରେ ଜଣେ ଯୁବକଙ୍କଠାରୁ ୨୧ ଲକ୍ଷ ଟଙ୍କା ଲୁଟି ନେଇଥିଲା ଏହି ଠକ। ଏପରିକି ସମାନ ନକଲି ପରିଚୟ ଦେଇ ଜଣେ ଯୁବତୀଙ୍କ ଜୀବନ ସହ ଖେଳିବାକୁ ବସିଥିଲା। ହେଲେ ଶେଷ ମୁହୂର୍ତ୍ତରେ ପୋଲିସ ପହଞ୍ଚି ଖୋଲିଦେଇଛି ନକଲି ଅଫିସରର ଅସଲି ମୁଖା।

ବରବେଶରେ ସଜେଇ ହୋଇ ବାହାରିଥିଲା ବରଯାତ୍ରୀ। ବାଜା ବାଜୁଥିଲା, ରୋଷଣୀ ଚାଲିଥିଲା, ଆଉ କନ୍ୟା ଘରେ ଚାଲିଥିଲା ଭବ୍ୟ ସ୍ୱାଗତର ପ୍ରସ୍ତୁତି। କିନ୍ତୁ ବିବାହ ମଣ୍ଡପରେ ପହଞ୍ଚିବା ପୂର୍ବରୁ ବାଟ ଓଗାଳିଲା ସମ୍ବଲପୁର ସଦର ପୋଲିସ। ଆଉ ବରବେଶରେ ଥିବା କେନ୍ଦୁଝର ସଦର ଥାନା ଜରିପଡ଼ା ଅଞ୍ଚଳର ସୁମନ୍ତ ଓରାମକୁ ବାନ୍ଧି ନେଇଗଲା ଥାନାକୁ। କାରଣ ବର ସାଜିଥିବା ସୁମନ୍ତ କୌଣସି OAS ଅଫିସର ନୁହନ୍ତି, ବରଂ ଜଣେ ଧୂର୍ତ୍ତ ଠକ। ୨ ବର୍ଷ ପୂର୍ବେ ନିଜକୁ OAS ଅଫିସର ବୋଲି ପରିଚୟ ଦେଇ ସମ୍ବଲପୁର ନିଲଡୁଙ୍ଗୁରୀ ଅଞ୍ଚଳର ଲିଙ୍ଗରାଜ ଟପ୍ପୋଙ୍କୁ ନାଲକୋରେ ଚାକିରି କରାଇଦେବା ନାଁରେ ଠକି ନେଇଥିଲେ ୨୧ ଲକ୍ଷ ଟଙ୍କା। ଅନ୍‌ଲାଇନ୍ ଓ ନଗଦ ଆକାରରେ ଟଙ୍କା ନେବା ପରେ ସୁମନ୍ତ ଆଉ ଧରାଛୁଆଁ ଦେଇନଥିଲେ। ଶେଷରେ ଠକାମୀର ଶିକାର ହୋଇଥିବା ଜାଣିବା ପରେ ଲିଙ୍ଗରାଜ ସଦର ଥାନାର ଦ୍ୱାରସ୍ଥ ହୋଇଥିଲେ। ଆଉ ରବିବାର ସନ୍ଧ୍ୟାରେ ଅଇଁଠାପାଲି କରମଟୁଲି ଅଞ୍ଚଳକୁ ବିବାହ କରିବାକୁ ଆସୁଥିବା ଖବର ପାଇ ପୋଲିସ ସୁମନ୍ତଙ୍କୁ ଗିରଫ କରିଛି।

ପଢନ୍ତୁ ଏହି ଖବର: ଦୁର୍ନୀତି ବିରୋଧରେ ବଡ଼ ଆକ୍ସନ,ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ୭୦୬ ସରକାରୀ କର୍ମଚାରୀ

କେବଳ ଚାକିରି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ନୁହେଁ, ବରଂ ନକଲି OAS ଅଫିସରର ପରିଚୟ ଦେଇ ଜଣେ ଯୁବତୀଙ୍କୁ ବିବାହ କରିବାକୁ ଯାଉଥିଲା ସୁମନ୍ତ। ଟଙ୍କା ନେବା ସମୟରେ ସେ ନିଜକୁ କଟକ ଜିଲ୍ଲାରେ OAS ଅଫିସର ଭାବେ କାର୍ଯ୍ୟରତ ଥିବା ଏବଂ ବର୍ତ୍ତମାନ ଦିଲ୍ଲୀରେ ପ୍ରୋବେସନ୍ ଟ୍ରେନିଂ ନେଉଥିବା କହି ଭୂଆଁ ବୁଲାଇଥିଲା। ପୋଲିସର ପଦକ୍ଷେପ ଯୋଗୁଁ ଜଣେ ଯୁବତୀଙ୍କ ଜୀବନ ବରବାଦ ହେବାରୁ ବର୍ତ୍ତିଯାଇଛି। ସେପଟେ ସୁମନ୍ତ ଆଉ କାହାକୁ ଏଭଳି ନକଲି ପରିଚୟ ଦେଇ ଠକିଛି କି ନାହିଁ, ସେନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଠକାମୀର ଶିକାର ହୋଇଥିବା ଲିଙ୍ଗରାଜ ଟପ୍ପୋ ଜଣେ ବି-ଟେକ୍ ଇଞ୍ଜିନିୟର ହୋଇଥିବା ବେଳେ, ତାଙ୍କୁ ଚୂନ ଲଗାଇଥିବା ନକଲି OAS ଅଫିସର ସୁମନ୍ତ ଓରାମ ମାତ୍ର ଯୁକ୍ତ ତିନି ପାସ୍ କରିଛନ୍ତି। ଚାକିରି ଲୋଭରେ ଉଚ୍ଚଶିକ୍ଷିତ ଯୁବକ କିଭଳି ଠକଙ୍କ ଜାଲରେ ଫସୁଛନ୍ତି, ସମ୍ବଲପୁରର ଏହି ଘଟଣା ତାହାର ଆଉ ଏକ ବଡ଼ ଉଦାହରଣ।