ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ

ଅର୍ଗସ ବ୍ୟୁରୋ :ଅମଳ ସମୟ ଆସିଲାଣି କିନ୍ତୁ ମୁଣ୍ଡରେ ହାତ ଦେଇ ବସିଛି ଚସା ପୁଅ। ନିଅଣ୍ଟିଆ ବର୍ଷା ଓ ପାଣି ଅଭାବରୁ ଫଟା ବିଲ ଚାଷୀର ଚିନ୍ତାକୁ ବଢ଼ାଇ ଦେଇଛି । ଧାନ ଥୋଡ଼ ଧରି ଫୁଲ ଉଡ଼ାଇବା ସମୟରେ ବିଲ ଫାଟି ଆଁ କରିଛି । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଓ ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ଜଳସେଚନର ବିଶେଷ ସୁବିଧା ନଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବାକୁ ବସିଛି। ବ୍ୟାଙ୍କ୍ ଏବଂ ବିଭିନ୍ନ ଲୋକଙ୍କଠାରୁ କରଜ କରି ଟଙ୍କା ଆଣି ଚାଷରେ ଲଗାଯାଇଥିଲା କିନ୍ତୁ ଏଭଳି ସ୍ଥିତି ଦେଖି ଚାଷୀ ମୁଣ୍ଡରେ ହାତ ଦେଇଛି । ଚଳିତ ବର୍ଷ ଭଲ ଫସଲ ଅମଳ ହେବାକୁ ଆଶା ବାନ୍ଧି ଥିବା ବେଳେ ଏବେ ସେସବୁ ଭାଙ୍ଗି ଚୂରମାର ହୋଇଯାଇଛି। ଗାଆଁରେ ଉଠା ଜଳସେଚନ ପ୍ରକଳ୍ପ ନଥିବା ବେଳେ ରାଜ୍ୟ ସରକାରଙ୍କ କୃଷି ବିଭାଗ ପକ୍ଷରୁ ମଧ୍ୟ କୌଣସି ସୁବିଧା ମିଳୁନି । ଅନ୍ୟପଟେ ସରକାରୀ ସହାୟତା ନ ମିଳିଲେ ଚାଷ ଜମିରେ ଜୀବନ ହାରି ଦେବେ ବୋଲି କହିଛନ୍ତି ଚାଷୀ।
ଚଳିତବର୍ଷ ଖରିଫ ଋତୁରେ ପଞ୍ଚାୟତର ୫ ହଜାରରୁ ଉର୍ଦ୍ଧ୍ବ ହେକ୍ଟର ଜମିରେ ଧାନ ଚାଷ ହୋଇଛି । ସେହିପରି ଚାଷଜମି ନିକଟରେ ଜଳସେଚନର କୌଣସି ସୁବିଧା ନଥିବାରୁ ଏଭଳି ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଠି କେନାଲ ଅଛି ସେଠି କେନାଲରେ ପାଣି ନାହିଁ । ବିଲ ଭିତରେ ବହୁ ଉଠା ଜଳସେଚନ ସୁବିଧା ଫେଲ୍ ମାରିଛି । ବର୍ତ୍ତମାନ ଧାନ ଫସଲରେ ଥୋଡ଼ ଧରିବା ଆରମ୍ଭ କରି ଫୁଲ ଉଡ଼ାଇବାର ସମୟ । କିନ୍ତୁ ଏତିକି ବେଳେ ହିଁ ବିଲରେ ପାଣି ନାହିଁ । ଚଳିତବର୍ଷ ବିଳମ୍ବରେ ମୌସୁମୀ ଆସିଥିବା କାରଣରୁ ଚାଷ କାମ ମଧ୍ୟ ବିଳମ୍ବିତ ହୋଇଥିଲା । ଇତି ମଧ୍ୟରେ ପାଣି ଅଭାବରୁ ମରୁଡ଼ି ସମସ୍ୟା ସୃଷ୍ଟି ହୋଇଛି।
ଅନ୍ୟପଟେ ଅଞ୍ଚଳର ଚାଷୀ ମାନେ ଭଡାରେ ପାଣି ମୋଟର ଆଣି ବିଲରେ ପାଣି ମଡ଼ାଉ ଥିବା ବେଳେ ଏବେ ସୁଦ୍ଧା ସରକାରୀ ଅଧିକାରୀ ମାନଙ୍କର ଦେଖା ନାହିଁ। ଧାନ ବିଲରେ ପାଣି ସମସ୍ୟାକୁ ନେଇ ଜିଲ୍ଲାର କୃଷି ବିଭାଗକୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର