ନୂଆଖାଇରେ ରାଜ୍ୟର ଚାଷୀଙ୍କୁ ମିଳିପାରେ ବଡ଼ ଉପହାର

ଅର୍ଗସ ବ୍ୟୁରୋ: ବିଧାନସଭାରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କୃଷିମନ୍ତ୍ରୀ କେ.ଭି ସିଂ ଦେଓ । ରାଜ୍ୟ ସରକାରଙ୍କ ନୂଆ ଯୋଜନା ସିଏମ କିଷାନ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି କୃଷି ମନ୍ତ୍ରୀ କେ.ଭି ସିଂଦେଓ। ଲିଖିତ ଉତ୍ତରରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ବର୍ଷକୁ ଦୁଇଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ଚାରି ହଜାର ଟଙ୍କା । ଏହି ଟଙ୍କା ପ୍ରତି ବର୍ଷ ଅକ୍ଷୟ ତୃତୀୟା ଓ ନୁଆଁଖାଇରେ ଦିଆଯିବ। ସେହିପରି ଭୂମିହୀନ ଚାଷୀଙ୍କୁ ତିନୋଟି କିସ୍ତିରେ ୧୨୫୦୦ ଟଙ୍କାର ସହାୟତା ଦେବେ ରାଜ୍ୟ ସରକାର । 45 ଲକ୍ଷ 76 ହଜାର 524 କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 19 ଲକ୍ଷ 12 ହଜାର 122 ଭୂମି ହୀନ ଚାଷୀ ପାଇବେ ସିଏମ୍ କିଶାନ ଟଙ୍କା। ନୂଆ ଭାବେ ସାମିଲ ହେବା ଲାଗି ଚାଷୀମାନେ ସିଏମ କିଷାନ ପୋର୍ଟାଲରେ କରିପାରିବେ ଆବେଦନ। ସେହିପରି ଯୋଗ୍ୟତା ଥାଇ ବି ପିଏମ କିଷାନ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କୁ ସାମିଲ କରିବା ପାଇଁ କୃଷି ବିଭାଗ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି। ଉପ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଆମ ସରକାର ରାଜ୍ୟରେ କୃଷି ଏବଂ କୃଷକ ବନ୍ଧୁଙ୍କ କଲ୍ୟାଣକୁ ପ୍ରାଥମିକତା ଦେଉଅଛି। ରାଜ୍ୟରେ ଖୁବଶୀଘ୍ର ସିଏମ୍ କିଷାନ ଯୋଜନା ଲାଗୁକରିବା ନିମନ୍ତେ ବିଧାନସଭାରେ କୃଷିମନ୍ତ୍ରୀ ଘୋଷଣା କରିଛନ୍ତି। ଯାହାକି ଆମ ସମସ୍ତଙ୍କ ପାଇଁ ଏକ ଖୁସିର ବିଷୟ । ଏହି ଯୋଜନା ଓଡ଼ିଶାର ଅଗଣିତ କୃଷକଙ୍କ ଆର୍ଥିକ ପ୍ରଗତି ସହ ରାଜ୍ୟର କୃଷି ଅର୍ଥନୀତିକୁ ସମୃଦ୍ଧ କରିବାରେ ସହାୟକ ହେବ। ତେବେ ବିରୋଧୀଙ୍କୁ ହଜମ ହୋଇନି ରାଜ୍ୟ ସରକାରଙ୍କ ଏହି ଘୋଷଣା।
କୃଷିମନ୍ତ୍ରୀଙ୍କ ଘୋଷଣା ପରେ କୃଷକଙ୍କ ଭିତରେ ଖେଳି ଯାଇଛି ଖୁସିର ଲହରୀ। ମୋହନ ସରକାରଙ୍କୁ ଜଣାଇଛନ୍ତି ଧନ୍ୟବାଦ। ପୂର୍ବରୁ ବିଜେଡି ସରକାର ରାଜ୍ୟର ୭୫ ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। କିନ୍ତୁ ତାହା କେବଳ ଘୋଷଣାରେ ସୀମିତ ରହିଯାଇଥିଲା । ତେବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ପରେ ଏବେ ଓଡ଼ିଶାର ଚାଷୀଙ୍କୁ ଉଭୟ ପିଏମ୍ କିଶାନ ଓ ସିଏମ୍ କିଶାନ ଯୋଜନାରେ ମିଳିବ ଆର୍ଥିକ ସହାୟତା। ଅର୍ଥା ଓଡ଼ିଶା ଚାଷୀଙ୍କୁ ଡବଲ ଫାଇଦା।
ଆହୁରି ପଢନ୍ତୁ ଓଡିଶା ଖବର...