Videos
|
Odisha

ଧାନ ବିକ୍ରି ବେଳେ ଆଉ କଟନୀ ଛଟନୀର ଶିକାର ହେବେନି ଚାଷୀ

Ritu Das
Browse all articles by Ritu Das
·1 year ago·2 min read
ଧାନ ବିକ୍ରି ବେଳେ ଆଉ କଟନୀ ଛଟନୀର ଶିକାର ହେବେନି ଚାଷୀ

ଅର୍ଗସ ବ୍ୟୁରୋ: ଧାନ କିଣା ପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ହୋଇଛି ବଡ଼ ନିଷ୍ପତି । ଏବେ ଥରେ ହିଁ ଧାନର ମାନ ଯାଞ୍ଚ କରାଯିବ । କଟନୀ ଛଟନୀ ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଧାନ ମାନ ନିର୍ଦ୍ଧାରଣ ଏବଂ ଧାନରୁ ଅଗାଡି ଅଲଗା କରିବା ପାଇଁ ଅନଲାଇଜର ମେସିନ ମଣ୍ଡିରେ ଲଗାଯାଇଛି । ଆଗରୁ ଦୁଇଥର ହେଉଥିଲା ଧାନର କ୍ବାଲିଟି ଟେଷ୍ଟ । ଯାହାଦ୍ବାରା କଟନୀ ଛଟନୀର ଶିକାର ହେଉଥିଲେ ଚାଷୀ । ସେହିପରି ଧାନ ବିକ୍ରି ବେଳେ ସିଲ ହେବ ପଡୋଶୀ ରାଜ୍ୟ ସୀମା । ବାହାର ରାଜ୍ୟର ଚାଷୀ ଓଡ଼ିଶାରେ ବିକି ପାରିବେନି ଧାନ । ଛତିଶଗଡ଼, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ରାଜ୍ୟର ସୀମାରେ ଚେକିଂ କଡାକଡି ହେବ । ବଡ କଥା ହେଲା ଜିଲ୍ଲାପାଳ ବଢାଇ ପାରିବେ ଚାଷୀଙ୍କ ଟୋକନ ସୀମା । ସେଥିପାଇଁ ଜିଲ୍ଲାପାଳଙ୍କୁ ଅଧିକୃତ କ୍ଷମତା ଦିଆଯିବ । 

ସେହିପରି ବର୍ଷାରେ ଚାଷୀଙ୍କ ଧାନ ଓଦା ନହେବା ପାଇଁ ମଣ୍ଡି ଗୁଡିକରେ ନିର୍ମାଣ ହେବ ଗୋଦାମ ଗୃହ । ଚାଷୀଙ୍କ ପାଇଁ ବି ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯିବ । ସବୁ ମଣ୍ଡି ଗୁଡିକର ଆଧୁନିକିରଣ ପାଇଁ 550 କୋଟି ଖର୍ଚ୍ଚ କରିବେ ସରକାର । ଧାନ କିଣା ପାଇଁ ପ୍ରତି ଦୁଇରୁ ତିନୋଟି ଜିଲ୍ଲା ଦାୟିତ୍ବରେ ରହିବେ ଜଣେ ଲେଖାଏଁ ମନ୍ତ୍ରୀ । ପ୍ରତି ମଣ୍ଡିରେ ରହିବେ ଜଣେ ଲେଖାଏଁ ପ୍ରାଧିକୃତ ଅଧିକାରୀ । ତାଙ୍କ କାମ ରହିବ ଧାନ ବିକ୍ରି ଠିକ ହେଉଛି କି ନାହିଁ ଦେଖିବେ । କିଛି ଧାନ ମଣ୍ଡିକୁ ନେଇ ଗୋଟିଏ ଗୋଟିଏ ଜୋନ ତିଆରି ହେବ । ପ୍ରତି ଜୋନରେ ଜଣେ ଲେଖାଏଁ ସୁପରଭାଇଜର ରହିବେ । ଯୋଗାଣ, ସମବାୟ, ପୋଲିସ ପ୍ରଶାସନ ଓ ଜିଲ୍ଳା ପ୍ରଶାସନର ଅଧିକାରୀ ମାନେ ଦାୟିତ୍ବରେ ରହିବେ । ଆବଶ୍ୟକ ପଡିଲେ ପଞ୍ଚାୟତିରାଜ ବିଭାଗର ଅଧିକାରୀ ମାନଙ୍କୁ ମଧ୍ୟ ନିୟୋଜିତ କରାଯିବ । 

ଗତ ବର୍ଷ 58 ଲକ୍ଷ କ୍ବିଣ୍ଟାଲ ଧାନ କିଣା ହୋଇଥିଲା କିନ୍ତୁ ସେତେବେଳେ ଓଡିଶା ଚାଷୀ ବାହାରେ ଧାନ ବିକୁଥିଲେ । କିନ୍ତୁ ଏଠି ଅଧିକ ଦର ଯୋଗୁଁ ଚାଷୀ ଉତ୍ସାହର ସହ ଧାନ ବିକିବେ । ଚଳିତ ଥର 80 ଲକ୍ଷ କ୍ବିଣ୍ଟାଲ ଧାନ କିଣିବାକୁ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି ।

ଇନପୁଟ ସବସିଡ ଆକାରରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ 800 ଟଙ୍କା ଅଧିକ ଦିଆଯିବ । ଅର୍ଥାତ କ୍ବିଣ୍ଟାଲ ପିଛା 3100 ଟଙ୍କାରେ ଧାନ କିଣିବେ ବିଜେପି ସରକାର । ଧାନ ଓଜନ ପାଇଁ ଆଧୁନିକ ମେସିନ ବ୍ୟବସ୍ଥା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଧାନ କ୍ରୟ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ରାଜସ୍ବ ମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ସଚିବ ମାନେ ଉପସ୍ଥିତ ଥିଲେ । ଏହାସହ ସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଅନ୍ୟ ଅଧିକାରୀ ମାନେ ମଧ୍ୟ ଭିସି ଜରିଆରେ ସାମିଲ ହୋଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Farmers will no longe | Argus News