ପ୍ରଥମେ କଂଗ୍ରେସ ଭବନର ଦଳୀୟ କର୍ମୀଙ୍କ କାଳିମାଡ଼
ଅର୍ଗସ ବ୍ୟୁରୋ: ପଞ୍ଚାନନ ସିଧାସିଧା କହିଲେ ଶରତ ଇସ୍ତଫା ଦେଇଦେବା ଉଚିତ। ନିର୍ବାଚନରେ ରାଜ୍ୟ କଂଗ୍ରେସର ବିପର୍ଯ୍ୟୟ ପାଇଁ ଶରତଙ୍କୁ ଦାୟୀ କରିବା ସହ ତେ ପଦ ଛାଡ଼ିବା ଲାଗି ପରୋକ୍ଷରେ ଚାପ ପକାଇଛନ୍ତି ପଞ୍ଚାନନ କାନୁନଗୋ। ଏକା ପଞ୍ଚାନନ ନୁହନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ମଧ୍ୟ ସିଧାସିଧା ନହେଲେ ବି ସମାନ କଥା କହିଛନ୍ତି। ନିଜ ଉଦାହରଣ ଦେଇ ପରୋକ୍ଷରେ ଶରତଙ୍କ ଇସ୍ତଫା ଦାବି କରିଛନ୍ତି ଜୟଦେବ।
24 ମହାଲଢେଇରେ ପୂର୍ବ ନିର୍ବାଚନ ତୁଳନାରେ କଂଗ୍ରେସ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରିଥିବା ବେଳେ ଓଡ଼ିଶାରେ ବିଜେଡି ବିରୋଧୀ ହାୱାର ପାଇଦା ନେଇପାରିନଥିଲା ଦଳ। ବରଂ ଦଳର ଭୋଟ୍ ହାର 2019 ତୁଳନାରେ କମିଯାଇଥିଲା। ଆଉ ନିଜେ ପିସିସି ସଭାପତି ଶରତ ପଟ୍ଟନାୟକ ନୂଆପଡ଼ା ଆସନରେ ଅମାନତ ହରାଇବା ସହ ଚତୁର୍ଥ ସ୍ଥାନରେ ରହିଥିଲେ। ଏହାକୁ ନେଇ ଗତ 21 ତାରିଖରେ କଂଗ୍ରେସ ଭବନ ଭିତରେ ଦଳର କର୍ମୀ ଶରତଙ୍କ ଉପରେ କାଳିମାଡ଼ କରିଥିଲେ। ଏଘଟଣାରେ 5 ଜଣଙ୍କୁ ବହିଷ୍କାର କରିଥିଲା ଦଳ। ଯାହାକୁ ନେଇ ଶରତଙ୍କ ବିରୋଧରେ ବିଷ ଓଗାଳୁଛନ୍ତି ବହିଷ୍କୃତ ନେତା।
ସେପଟେ ଦଳରୁ ବହିଷ୍କୃତ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଶ୍ରୀୟା ସ୍ମିତା ପଣ୍ଡା 4 ଦିନ ହେଲା କଂଗ୍ରେସ ଭବନ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ଯେପର୍ଯ୍ୟନ୍ତ ନିଜେ ପିସିସି ସଭାପତି ନଆସିଛନ୍ତି ଧାରଣାରୁ ହଟିବେ ନାହିଁ ବୋଲି କହିଛନ୍ତି ଶ୍ରୀୟାସ୍ମିତା।
କଂଗ୍ରେସରେ କନ୍ଦଳ କିଛି ନୂଆ ନୁହେଁ। କି କଂଗ୍ରେସ ଭବନରେ ହଙ୍ଗମା ବି ନୂଆ ନୁହେଁ। ନେତାଙ୍କ ଭିତରେ ଗୋଷ୍କୀ କନ୍ଦଳ ଯୋଗୁ ରାଜ୍ୟରେ ତଳକୁ ଖସୁଛି କଂଗ୍ରେସର ଗ୍ରାଫ। ଏଥର ନିର୍ବାଚନରେ ଦେଶରେ କଂଗ୍ରେସ ବଢିଥିବା ବେଳେ ରାଜ୍ୟରେ ତିନି ନମ୍ବର ସ୍ଥାନ ସହ ଦଳର ଭୋଟ ପ୍ରତିଶତ ବି କମିଛି।
2004 ମସିହାରେ 33 ପ୍ରତିଶତ ଭୋଟ ସହ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ 2009 ସାଧାରଣ ନିର୍ବାଚନରେ 29 ପ୍ରତିଶତ 2014ରେ 26 ପ୍ରତିଶତ ଓ 2019ରେ 16 ପ୍ରତିଶତ ଭୋଟ ପାଇଥିଲା। ଏଥର ସାଧାରଣ ନିର୍ବାଚନରେ ଭୋଟ ପ୍ରତିଶତ ପୁଣି ଖସି 13. 26ରେ ପହଁଞ୍ଚିଛି। ଶରତଙ୍କ ଉପରେ ପଦ ଛାଡ଼ିବା ନେଇ ଲଗାତାର ଚାପ ବଢୁଥିବା ବେଳେ କେନ୍ଦ୍ରୀୟ ନେତୃତ୍ବ ତୁରନ୍ତ ହସ୍ତକ୍ଷେପ ନକଲେ ଆଗକୁ ଏହା ବସ୍ଫୋରକ ରୂପ ନେଇପାରେ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର