Videos
|
Odisha

STF Investigation / କେଉଁଠୁ ଆସିଲେ ୫ ଓରାଙ୍ଗଉଟାନ? ଚୋରାଚାଲାଣର ଚେର କାଢ଼ିବ STF

Bikash Mohanty
Browse all articles by Bikash Mohanty
·44 mins ago·3 min read
କେଉଁଠୁ ଆସିଲେ ୫ ଓରାଙ୍ଗଉଟାନ? ଚୋରାଚାଲାଣର ଚେର କାଢ଼ିବ STF
Orangotan

Key Points

ଓରାଙ୍ଗଉଟାନ ଉଦ୍ଧାର ଘଟଣାର ତନାଘନା
ତଦନ୍ତ କରିବ କ୍ରାଇମବ୍ରାଞ୍ଚ STF
ଘଟଣା ସ୍ଥଳକୁ ଯାଇ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ STF
ବାଲେଶ୍ଵରରୁ ଗତକାଲି ଉଦ୍ଧାର ହୋଇଥିଲେ ୫ ଓରାଙ୍ଗଉଟାନ


ଭୁବନେଶ୍ବର,୦୯/୦୯: ବାଲେଶ୍ଵରରୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ STF । ଘଟଣା ସ୍ଥଳକୁ ଗୋଟିଏ ଟିମ ଯାଇ ଘଟଣାର ଯାଞ୍ଚ କରିବ ବୋଲି ସୂଚନା ମିଳିଛି । ବାଲେଶ୍ବର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଣାଯାଇଛି। ଏହି ଶିଶୁ ଓରାଙ୍ଗଉଟାନମାନଙ୍କୁ ସୁରକ୍ଷିତ ଭାବେ ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତର କରାଯାଇଛି। ଓରାଙ୍ଗଉଟାନ୍ ଭଳି ଦୁର୍ଲଭ ପ୍ରଜାତିର ଯତ୍ନ ନେବା ପାଇଁ ନନ୍ଦନକାନନରେ ଆବଶ୍ୟକୀୟ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏବଂ ପୂର୍ବ ଅଭିଜ୍ଞତା ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି।

ବର୍ତ୍ତମାନ ଏହି ୫ ଶିଶୁ ଓରାଙ୍ଗଉଟାନଙ୍କୁ ନନ୍ଦନକାନନରେ ସ୍ବତନ୍ତ୍ର କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କର ସମ୍ପୂର୍ଣ୍ଣ ମେଡିକାଲ୍ ଯାଞ୍ଚ ଚାଲିଥିବା ବେଳେ ବିଶେଷଜ୍ଞ ଡାକ୍ତରୀ ଦଳ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଗତକାଲି ସକାଳେ ବାଲେଶ୍ବର ବନ୍ୟପ୍ରାଣୀ ସ୍ବତନ୍ତ୍ର ଡିଭିଜନର ବନ ଅଧିକାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ଏହି ଦୁର୍ଲଭ ପ୍ରଜାତିର ବନ୍ୟପ୍ରାଣୀଙ୍କୁ ଉଦ୍ଧାର କରିଥିଲେ।

ବାଲେଶ୍ୱରର ଝାଉଁ ଜଙ୍ଗଲରୁ ମିଳିଥିବା ୫ଟି ଓରାଙ୍ଗଉଗନ ଶାବକକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଏମାନେ କେଉଁ ସନ୍ତସନ୍ତିଆ ଆର୍ଦ୍ର ପରିବେଶରୁ ଆପେ ଚାଲିଆସିଲେ ନା ସ୍ମଗଲିଂ ଧରାପଡ଼ିବା ଚକ୍କରରେ ଏହି ବିରଳ ପ୍ରଜାତିର ଜନ୍ତୁଙ୍କୁ ଏଠାରେ କେହି ଛାଡ଼ି ଚାଲିଗଲା। ଏହି ରହସ୍ୟରୁ ପରଦା ହଟିପାରିନି।

ଓରାଙ୍ଗଉଟାନ୍ର ପ୍ରାକୃତିକ ବାସସ୍ଥାନ ହେଉଛି ଦକ୍ଷିଣ-ପୂର୍ବ ଏସିଆର ବୋର୍ନିଓ ଓ ସୁମାତ୍ରା ଭଳି ସନ୍ତସନ୍ତିଆ ଓ ଆର୍ଦ୍ର ଅଞ୍ଚଳ। ସେଠାରେ ଏମାନଙ୍କ ସଂଖ୍ୟା ଦୁଇ ହଜାର ବି ଟପିବନି। ବିଶ୍ବର ବିଲୁପ୍ତପ୍ରାୟ ପ୍ରାଣୀଙ୍କ ମଧ୍ୟରୁ ଅନ୍ୟତମ ହେଉଛି ଓରାଙ୍ଗଉଟାନ୍। ପ୍ରାକୃତିକ ଆବାସ ଦ୍ରୁତ ହ୍ରାସ, ଶିକାର ଓ ବନ୍ୟଜନ୍ତୁ ଚୋରାଚାଲାଣ ଭଳି କାରଣରୁ ଏମାନଙ୍କ ବଂଶ ଏବେ ସଂକଟରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଡ୍ରାଇଭର-ରଙ୍ଗମିସ୍ତ୍ରୀ ସାଜିଲେ ଡାଇରେକ୍ଟର; କୋଟି କୋଟି ଟଙ୍କାର ସାଇବର ମ୍ୟୁଲ୍ ଆକାଉଣ୍ଟ ରାକେଟ୍‌କ ପର୍ଦ୍ଦାଫାସ୍

ଗଛରେ ରହୁଥିବା ସବୁଠାରୁ ବଡ଼ପ୍ରାଣୀ ଏମାନେ। ଶରୀରରେ ଲାଲ କିମ୍ବା କମଳା ଲୋମ ଥାଏ । ଅତ୍ୟନ୍ତ ବୁଦ୍ଧିମାନ। ମଣିଷର ଚାଲିଚଳଣ ଓ ହାବଭାବ ସହ ଏମାନଙ୍କର ବହୁତ ସାମଞ୍ଜସ୍ୟ ଅଛି। ଏମାନଙ୍କ ଡିଏନଏ ମଣିଷ ସହ ପାଖାପାଖି ୯୭ ପ୍ରତିଶତ ମିଶିଥାଏ। ୩୦ରୁ ୩୫ ବର୍ଷ ଯାଏ ବଞ୍ଚିଥାନ୍ତି । ୭୦-୮୦ ଫୁଟରୁ ଅଧିକ ଲମ୍ବା ଗଛରେ ଏମାନେ ବସା ତିଆରି କରି ରୁହନ୍ତି। ବଡ଼ କଥା ହେଉଛି, ହାତୀ ଓ ଅନ୍ୟ ମାଙ୍କଡ଼ଙ୍କ ଭଳି ଏମାନେ ଏକାଠି ରୁହନ୍ତି। ଗୋଠଛଡ଼ା ହୋଇ କୁଆଡ଼େ ଯାଆନ୍ତିନି। ଗୋଟିଏ ମାଈ ଓରାଙ୍ଗଉଟାନ୍ ୭-୮ ବର୍ଷ ଯାଏଁ ଶାବକକୁ ସାଙ୍ଗରେ ରଖେ। କୌଣସି ପରିସ୍ଥିତିରେ ବି ଛାଡ଼େନି।

ବାଲେଶ୍ୱରରୁ ଉଦ୍ଧାର ହୋଇଥିବା ସମସ୍ତ ଶାବକଙ୍କ ବୟସ ଏକ ବର୍ଷରୁ କମ୍ । ଏତେ କମ୍ ବୟସରେ ସେମାନଙ୍କୁ ମା' କେଉଁଆଡ଼େ ଛାଡ଼ିବାର ପ୍ରଶ୍ନ ଉଠୁନି। ବନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଇଣ୍ଡୋନେସିଆରୁ ପଶ୍ଚିମବଙ୍ଗ କିମ୍ବା ବାଲେଶ୍ଵର ଜଙ୍ଗଲକୁ କୌଣସି ପ୍ରାକୃତିକ କରିଡର ନାହିଁ । ପାଖାପାଖି ୫ ହଜାର କିମିର ସୁଦୂର ସମୁଦ୍ର ପଥ ପାର୍ କରି ଶାବକମାନେ ଭାରତରେ ପହଞ୍ଚିବା ଅସମ୍ଭବ। ଏହାଛଡ଼ା ଘଟଣାସ୍ଥଳରୁ କିଛି ହାତ ଗ୍ଲୋବ୍ସ ମିଳିଛି। ପାରିପାର୍ଶ୍ଵକ ସ୍ଥିତିରୁ ସେଠାରେ କିଛି ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧିର ସୁରାକ ମିଳିଛି। ଏସବୁ ଦିଗକୁ ଅନୁଧ୍ୟାନ କଲେ, ଏହି ବିରଳ ଜନ୍ତୁଙ୍କୁ ଚୋରାରେ ଚାଲାଣ କରାଯାଉଥିବା ସନ୍ଦେହ କରାଯାଉଛି।

ଏହାଛଡ଼ା ଇଣ୍ଡୋନେସିଆରେ ପାମ୍ ଅଏଲ୍ ଉତ୍ପାଦନ ପାଇଁ ବ୍ୟାପକମାତ୍ରାରେ ଲମ୍ବା ଲମ୍ବା ଗଛକୁ ବଳି ପକାଯାଉଛି। ଯେଉଁଥିପାଇଁ ବିରଳ ବନ୍ୟଜନ୍ତୁଙ୍କ ବଂଶ ଏବେ ବିପଦରେ। ପାମ୍ ଅଏଲର ପ୍ରମୁଖ ଆମଦାନୀକାରୀ ଦେଶ ହେଉଛି ଭାରତ। ବଡ଼ ବଡ଼ ଜାହାଜରେ ସମୁଦ୍ରପଥରେ ଟନ୍ ଟନ୍ ଓଜନର ତୈଳ ବିଭିନ୍ନ ବନ୍ଦର ଜରିଆରେ ଭାରତକୁ ଆସୁଛି। କୌଣସି ଜାହାଜ ଯୋଗେ ଏମାନଙ୍କୁ ଚାଲାଣ କରାଯାଉଥିବା ବନ ବିଭାଗ ଅଧିକାରୀମାନେ ଅନୁମାନ କରୁଛନ୍ତି।