ଆଳୁ ଦର ବୃଦ୍ଧି ପ୍ରସଙ୍ଗରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବିବୃତ୍ତି
ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଆଳୁ ଦରବୃଦ୍ଧି ଥିଲା ମନୁଷ୍ୟକୃତ। ଖୋଦ୍ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଏ ବୟାନକୁ ନେଇ ରାଜ୍ୟ ରାଜନୀତିରେ ତମ୍ବି ତୋଫାନ। ଯେଉଁଭଳି ଭାବେ ମମତା ବାନାର୍ଜୀ ପ୍ରଥମ ଓଡ଼ିଶାକୁ ଆଳୁ ଦେବାକୁ ମନା କରିଦେଲେ। ଓଡ଼ିଶା ସୀମାକୁ ଆଳୁ ଟ୍ରକ୍ ଛାଡ଼ିଲେ ନାହିଁ ଏପରିକି ତାଙ୍କ ରାଜ୍ୟର ଆଳୁ ଚାଷୀ ଓ ଶୀତଳ ଭଣ୍ଡାର ମାଲିକଙ୍କ ଦାବିକୁ ବି ଅଣଦେଖା କରିଦେଲେ। ଆଳୁ ଟ୍ରକ ନଆସିବାରୁ ଓଡ଼ିଶାରେ ଆଳୁ ଦର ଡବଲ ହୋଇଗଲା। ଏବେ ପୁଣି ମମତା କହୁଛନ୍ତି ଓଡ଼ିଶାକୁ ଆଳୁ ଦେବୁ। ମମତାଙ୍କ ଏପରି ଡବଲ ଷ୍ଟାଣ୍ଡାର୍ଡ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଯୋଗାଣମନ୍ତ୍ରୀ। ଆଉ କହିଛନ୍ତି ଓଡ଼ିଶା ବିଜେପି ସରକାରକୁ ବଦନାମ ପାଇଁ ହୋଇଛି ଷଡ଼ଯନ୍ତ୍ର।
ମନ୍ତ୍ରୀଙ୍କ ଆଶଙ୍କା ସତ ହୋଇଥିଲେ ସାଂଘାତିକ। ଓଡ଼ିଶା ସରକାରକୁ ବଦନାମ ପାଇଁ କାହିଁକି ବାରମ୍ବାର ଉଦ୍ୟମ କରୁଛନ୍ତି ମମତା ? ଏହି ଷଡ଼ଯନ୍ତ୍ର ପଛରେ ଓଡ଼ିଶାର କେଉଁ ଶକ୍ତି କାମକରୁଛି ? ଓଡ଼ିଶା ସରକାର ବଦନାମ ହେଲେ କାହାକୁ ମିଳିବ ଫାଇଦା ?
ଓଡ଼ିଶାର ଆଳୁ ସଙ୍କଟ ପଛରେ ମମତା ସରକାରଙ୍କ ବିବାଦୀୟ ଭୂମିକା ସ୍ପଷ୍ଟ ଜଣାପଡୁଛି। କିନ୍ତୁ ଯୋଗାଣ ମନ୍ତ୍ରୀ ମମତାଙ୍କୁ ଦାୟୀ କଲେ ବିଜେଡିକୁ କାହିଁକି ବାଧୁଛି।
ପୂର୍ବ ସରକାର କରିଥିବା ଆଳୁ ମିସନ ଫେଲ ଯୋଗୁଁ ପଶ୍ଚିମବଙ୍ଗ ଉପରେ ଓଡ଼ିଶାକୁ ଆଳୁ ପାଇଁ ନିର୍ଭର କରିବାକୁ ପଡୁଛି। ଏଥିପାଇଁ ବିଧାନସଭାରେ ନବୀନଙ୍କୁ ଦାୟୀ କରିଥିଲେ ଯୋଗାଣମନ୍ତ୍ରୀ। ଯାହାକି ଗଣତାନ୍ତ୍ରୀକ ବ୍ୟବସ୍ଥାରେ ଏକ ସ୍ବାଭାବିକ ପ୍ରକ୍ରିୟା। କିନ୍ତୁ ଏହାକୁ ବିରୋଧ କରିବାକୁ ଯାଇ ବିଜେଡି ବିଧାୟକ ବ୍ୟୋମକେଶ ରାୟ ଯେଉଁଭଳି ବିଧାନସଭାରେ ଖୋଲା ଧମକ ଦେଲେ ଏହା କଣ ବିଜେଡିର ଗଣତନ୍ତ୍ରକୁ ସମ୍ମାନ ? ନବୀନ ପଟ୍ଟନାୟକ ଏମିତି କିଏ କି ତାଙ୍କୁ କେହି ସମାଲୋଚନା କରିପାରିବେ ନାହିଁ। ଯୋଗାଣ ମନ୍ତ୍ରୀଙ୍କୁ ବ୍ୟୋମକେଶ ଧମକ ଦେବାର ଭିଡିଓ ଏବେ ସୋସିଆଲ ମିଡିଆରେ ହେଉଛି ଭାଇରାଲ।
ଏଭଳି କେତେଦିନ ଯାଏ ଆଳୁ ପାଇଁ ଓଡ଼ିଶାକୁ ବ୍ଲାକ୍ ମେଲ କରୁଥିବେ ମମତା ବାନାର୍ଜୀ। ଏବେ ରାଜ୍ୟ ବିଜେପି ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ କିଭଳି ଓଡ଼ିଶାକୁ ଶୀଘ୍ର ଆଳୁ ଉତ୍ପାଦନରେ ଆତ୍ମନିର୍ଭର କରି ମମତା ଓ ତାଙ୍କ ଓଡ଼ିଶା ସାଥୀଙ୍କ ଚକ୍ରାନ୍ତକୁ ପ୍ରତିହତ କରିପାରିବେ।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର