ନୂଆ ଶୀତଳ ଭଣ୍ଡାର ଲାଗି ସାଢ଼େ ୬ କୋଟି ପର୍ଯ୍ୟନ୍ତ ମିଳିବ ସବସିଡି

Key Points
ଶୀତଳ ଭଣ୍ଡାରକୁ ନେଇ ବଡ଼ ନିଷ୍ପତ୍ତି
ସାଢ଼େ ୬ କୋଟି ପର୍ଯ୍ୟନ୍ତ ମିଳିବ ସବସିଡି
୫ ବର୍ଷରେ ଖର୍ଚ୍ଚ ହେବ ୨୫୨ କୋଟି ଟଙ୍କା
ଭୁବନେଶ୍ଵର: ରାଜ୍ୟ କ୍ୟାବିନେଟ୍ରେ ଶୀତଳ ଭଣ୍ଡାରକୁ ନେଇ ବଡ଼ ନିଷ୍ପତ୍ତି ନିଆ ଯାଇଛି । ଶୀତଳ ଭଣ୍ଡାର ପାଇଁ ଆର୍ଥିକ ସହାୟତା ଯୋଜନାରେ ରାଜ୍ୟର ୫୮ଟି ଉପଖଣ୍ଡରେ ଅତି କମରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି । ଏଥିପାଇଁ ସରକାର ବେସରକାରୀ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବେ ।
ଏହା ଦ୍ଵାରା ଉନ୍ନତ ବଜାର ଦର ସୁଯୋଗ, କୃଷି ଓ ଉଦ୍ୟାନ କୃଷି ଏବଂ ସହଯୋଗୀ କ୍ଷେତ୍ର ଦ୍ରବ୍ୟର ମୂଲ୍ୟ-ଯୋଗ ଏବଂ ପ୍ରକ୍ରିୟାକରଣ, ଅମଳ ପରବର୍ତ୍ତୀ ଫସଲ କ୍ଷୟକ୍ଷତି ଓ ଅମଳ ହୋଇଥିବା ଫସଲର ଅଭାବୀ ବିକ୍ରୟ ହ୍ରାସ ଏବଂ ଶୀତଳ ଭଣ୍ଡାର ମାଧ୍ୟମରେ ମଧ୍ୟମ ଅବଧି ସଂରକ୍ଷଣ ସୁବିଧା ଯୋଗାଇ କୃଷକମାନଙ୍କ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବ ।
ନୂଆ ଶୀତଳ ଭଣ୍ଡାର ଲାଗି ପୁଞ୍ଜି ବିନିଯୋଗ ସବସିଡି ଦେବେ ସରକାର । ଅନୁସୂଚିତ ଅଞ୍ଚଳ ସହ ମହିଳା ଓ ତୃତୀୟ ଲିଙ୍ଗୀଙ୍କୁ ସହାୟତା ମିଳିବ । ମୋଟ ସ୍ଥାୟୀ ପୁଞ୍ଜି ବ୍ୟୟର ୬୦ ପ୍ରତିଶତ ସବସିଡି ମିଳିବ । ସର୍ବାଧିକ ୬ କୋଟି ୫୦ ଲକ୍ଷ ଟଙ୍କା ଦିଆଯିବ । ଅନ୍ୟ ହିତାଧିକାରୀଙ୍କୁ ସ୍ଥାୟୀ ବ୍ୟୟର ୫୦ ପ୍ରତିଶତ ଅର୍ଥାତ୍ ୬ କୋଟି ପର୍ଯ୍ୟନ୍ତ ସବସିଡି ମିଳିବ ।
📱 Get Argus News App
✨ସେହିଭଳି ଋଣ କ୍ଷେତ୍ରରେ ମୋଟ ୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଛାଡ଼ କରାଯାଇ ପାରିବ । କେନ୍ଦ୍ର ସରକାର ଏଆଇଏଫ୍ ମାଧ୍ୟମରେ ୩ ପ୍ରତିଶତ ଛାଡ଼ କରୁଥିବା ବେଳେ ରାଜ୍ୟ ସରକାର ଅତିରିକ୍ତ ୩ ପ୍ରତିଶତ ଛାଡ଼ କରିବେ ।
ଶୀତଳ ଭଣ୍ଡାର ୟୁନିଟ୍ ଗୁଡ଼ିକ MSME ବିଭାଗର CM-SRIM ଯୋଜନା ଅଧିନରେ ଥିବା ବ୍ୟାଙ୍କ ଗୁଡ଼ିକରୁ ମିଳିଥିବା ନଗଦ କ୍ରେଡିଟ୍ ୱାର୍କିଂ କ୍ୟାପିଟାଲ୍ ଋଣ ଉପରେ ବ୍ୟାଙ୍କକୁ ପ୍ରଦାନ କରିଥିବା ସୁଧର ଫେରସ୍ତା ପାଇ ପାରିବେ । ଏଥିପାଇଁ ୪ଟି ସ୍ଲାବ ରହିଛି । ୧୦ ଲକ୍ଷ ଟଙ୍କାର ୱାର୍କିଂ କ୍ୟାପିଟାଲ୍ ଋଣ ଉପରେ ଶତକଡ଼ା ୧୦୦ ସୁଧ ଫେରସ୍ତ କରାଯିବ । ୨୦ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ୭୫ ପ୍ରତିଶତ, ୫୦ ଲକ୍ଷରୁ ୧ କୋଟି ଉପରେ ୫୦ ପ୍ରତିଶତ ଓ ୧ କୋଟିରୁ ଊର୍ଦ୍ଧ୍ଵ ଉପରେ ୨୫ ପ୍ରତିଶତ ସୁଧ ଫେରସ୍ତ ହେବ ।
ସେହିଭଳି ବିଦ୍ୟୁତ୍ ସବସିଡି ମୋଟ ବିଦ୍ୟୁତ୍ ବିଲ୍ ଉପରେ ଶୁଳ୍କ ସବସିଡି ୫୦ ପ୍ରତିଶତ ଶୀତଳ ଭଣ୍ଡାର ୟୁନିଟ୍ ଆରମ୍ଭ ତାରିଖ ଠାରୁ ସର୍ବାଧିକ ୭ ବର୍ଷ ପାଇଁ ଦିଆଯିବ । ଏଥିପାଇଁ ସରକାର ୨୦୨୫-୨୬ରୁ ୨୦୨୯-୩୦ ୫ ବର୍ଷ ମଧ୍ୟରେ ୨୫୨ କୋଟି ଟଙ୍କା ଖର୍ଚ୍ଚ କରିବେ ।