ବର୍ଷ ବର୍ଷ ଧରି ସ୍କୁଲ ବାରଣ୍ଡାରେ ଗଢା ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଅର୍ଗସ ବ୍ୟୁରୋ: ଦୁର୍ଗମରେ ବାଟ ହୁଡୁଛି ବିକାଶ। ପାଞ୍ଚଟି ଶ୍ରେଣୀକୁ ରହିଛି ଗୋଟିଏ ଘର । ତାହା ପୁଣି ବିପଦ ସଙ୍କୁଳ ଅବସ୍ଥାରେ। ସେହିଠାରେ ହିଁ ମିଡ୍ ଡେ ମିଲ ସହ ରହିଛି ଅଫିସ କାଗଜପତ୍ର। ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ବସିବା ସମ୍ଭବ ହୋଇପାରୁନି। ଫଳରେ ବର୍ଷ ବର୍ଷ ଧରି ସ୍କୁଲ ବାରଣ୍ଡାରେ ଚାଲିଛି ଶିଶୁଙ୍କ ଭବିଷ୍ୟତ ଗଢା।
ଏ ହେଉଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅର୍ନ୍ତଗତ ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟ । ଏହି ବିଦ୍ୟାଳୟଟି ୧୯୬୬ ମସିହାରେ ସ୍ଥାପନ କରାଯାଇଥିଲା। ଏହି ବିଦ୍ୟାଳୟଟି ବ୍ଲକ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ରହିଛି। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ରହିଥିବା ବେଳେ ମାତ୍ର ଗୋଟିଏ ଶ୍ରେଣୀ ଗୃହ ରହିଛି। ଗାଁର ଅନେକ ଲୋକ ଏହି ବିଦ୍ୟାଳୟରୁ ଶିକ୍ଷାଦାନ ଗ୍ରହଣ କରି ବିଭିନ୍ନ ପଦ ପଦବୀରେ କାର୍ଯ୍ୟରତ ଅଛନ୍ତି । ଏହି ବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ୪୮ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳ ଶିକ୍ଷାଦାନ ପାଇଁ ଜଣେ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ଅଛନ୍ତି।
ବିଦ୍ୟାଳୟର ପୁରାତନ ଶ୍ରେଣୀ ଗୁଡିକ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ତାହାକୁ ବ୍ୟବହାର କରାଯାଉନାହିଁ। ଏବେ ଗୋଟିଏ ବଖରା ଶ୍ରେଣୀ ଗୃହରେ ଚାଲିଛି ସମସ୍ତ କାର୍ଯ୍ୟ। ଶ୍ରେଣୀ ଗୃହ ଭିତରେ ଦୁଇଟି ଶ୍ରେଣୀର ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଅଫିସ କାର୍ଯ୍ୟ ମଧ୍ୟ ଚାଲୁଛି। ମଧ୍ୟାହ୍ନ ଭୋଜନ ଚାଉଳ ସହ ବିଭିନ୍ନ ସାମଗ୍ରୀ ଏହି ଗୃହରେ ରହୁଛି। ଅନ୍ୟ ତିନୋଟି ଶ୍ରେଣୀର ଛାତ୍ରଛାତ୍ରୀ ବାରଣ୍ଡାରେ ବସି ପାଠ ପଢୁଛନ୍ତି। ବିଦ୍ୟାଳୟରେ ଲାଗିରହିଥିବା ସମସ୍ୟାକୁ ସ୍ୱୀକାର କରିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ। ବିଦ୍ୟାଳୟର ଏଭଳି ଦୟନୀୟ ସ୍ଥିତିକୁ ନେଇ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ସୁଫଳ ମଳି ପାରି ନାହିଁ। ଯାହା ଅତ୍ୟନ୍ତ ଦୁଃଖଦାୟକ ବୋଲି ଗ୍ରାମବାସୀ କହିଛନ୍ତି।
📱 Get Argus News App
✨ଏଠାରେ କ୍ଷଣ କ୍ଷଣକେ ରହିଛି ବିପଦ, କେତେ ବେଳେ ଛାତରୁ ପ୍ଲାଷ୍ଟର ଖସିବା ଭୟ, ତ କେତେ ବେଳେ ବିଦ୍ୟାଳୟ ଭିତରେ ଥିବା ବଡ ବଡ ଗଛ ଭାଙ୍ଗି ପଡିବା ଭୟ ରହିଛି। ଏହି ବିଦ୍ୟାଳୟ ଉପରେ ଯାଇଛି ୧୧ କେଭି ବିଦ୍ୟୁତ୍ ତାର। ଏପରିକି ଶ୍ରେଣୀ ଗୃହ ନିକରେ ଅନେକ ପୁରାତନ ବୃହ ଗଛ ରହିଥିବାରୁ ତାହା ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। କେବଳ ସମସ୍ୟା ଏତିକିରେ ସରିନି ବିଦ୍ୟାଳୟ ରେ ପାଣି ନଥିବାରୁ ବେସିନ ଟ୍ୟାପ ମଧ୍ୟ ଭାଙ୍ଗି ଗଲାଣି। ଅନ୍ୟପଟେ ଗ୍ରାମବାସୀ ସମସ୍ୟା ଗୁଡିକର ସମାଧାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଫଳ ଶୂନ। ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିମି ଦୂରରେ ଥିବା ଏହି ବିଦ୍ୟାଳୟ ଉପରେ ପ୍ରଶାସନ ଦୃଷ୍ଟି ପଡ଼ୁ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଆମେ ପାଟଣା ବ୍ଲକ ବିଇଓଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ତେବେ ଉପାନ୍ତରେ କିଭଳି ଚାଲିଛି ସରକାରୀ ଯୋଜନା ତାହାର ବାସ୍ତବତା ବୟାନ କରୁଛି ମଙ୍ଗଳପୁର ଗ୍ରାମରେ ଥିବା ଏହି ବିଦ୍ୟାଳୟ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର