Videos
|
Odisha

Cyclone Alert / ଅର୍ଣ୍ଣବ କ୍ଷତ ଶୁଖିନି, ପୁଣି ବାତ୍ୟା ଭୟରେ ବିପନ୍ନ; ହାଇଆଲର୍ଟରେ ଗଞ୍ଜାମ

Sushanta Sahoo
Browse all articles by Sushanta Sahoo
·52 mins ago·2 min read
ଅର୍ଣ୍ଣବ କ୍ଷତ ଶୁଖିନି, ପୁଣି ବାତ୍ୟା ଭୟରେ ବିପନ୍ନ; ହାଇଆଲର୍ଟରେ ଗଞ୍ଜାମ
Fresh Cyclone Threat in Odisha

Key Points

ସମ୍ଭାବ୍ୟ ବାତ୍ୟାକୁ ଶୂନ୍ୟ ମୃତାହତରେ ମୁକାବିଲା କରିବା ପାଇଁ ଅଣ୍ଟା ଭିଡ଼ିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ରବିବାର ଛୁଟି ବାତିଲ୍ କରି ଛତ୍ରପୁର, ଆସିକା ଓ ଭଞ୍ଜନଗର ସମେତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଚାଲିଛି ମାରାଥନ୍ କାମ ।
ବ୍ରହ୍ମପୁର: ବାତ୍ୟା 'ଅର୍ଣ୍ଣବ' ଏବଂ ପରବର୍ତ୍ତୀ ବନ୍ୟାର କ୍ଷତ ଏଯାଏଁ ଶୁଖିନି, ଆଉ ଠିକ୍ ଏତିକି ବେଳେ ଗଞ୍ଜାମ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଛି ପୁଣି ଏକ ସମ୍ଭାବ୍ୟ ବାତ୍ୟା । ପାଣିପାଗ ବିଭାଗର ଆକଳନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଛି ।

ରବିବାର ଛୁଟି ଦିନ ସତ୍ତ୍ଵେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ତହସିଲ ଓ ବ୍ଲକ ଅଫିସ୍ ପର୍ଯ୍ୟନ୍ତ ସବୁଠି କର୍ମଚାରୀମାନେ 'ଟିମ୍ ଗଞ୍ଜାମ' ହୋଇ କାମରେ ଲାଗି ପଡ଼ିଛନ୍ତି । ସେପଟେ ପୂର୍ବ ବନ୍ୟାରେ ଘର ହରାଇଥିବା ବିପନ୍ନ ଓ କ୍ଷତିଗ୍ରସ୍ତ ଚାଷୀଙ୍କ ମନରେ ଏବେ ଛନକା ପଶିଛି ।

ଏଥିସହ ପଢ଼ନ୍ତୁ: ଆନ୍ଧ୍ର ଉପକୂଳ ମୁହାଁ ସମ୍ଭାବ୍ୟ ବାତ୍ୟା ! ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି ଅବପାତ 

ସମ୍ଭାବ୍ୟ ବାତ୍ୟାକୁ ଶୂନ୍ୟ ମୃତାହତରେ ମୁକାବିଲା କରିବା ପାଇଁ ଅଣ୍ଟା ଭିଡ଼ିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ରବିବାର ଛୁଟି ବାତିଲ୍ କରି ଛତ୍ରପୁର, ଆସିକା ଓ ଭଞ୍ଜନଗର ସମେତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଚାଲିଛି ମାରାଥନ୍ କାମ । ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ନିଜେ ରିଲିଫ୍ ବଣ୍ଟନ ଓ ବାତ୍ୟା ମୁକାବିଲାର ତଦାରଖ କରୁଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ବାଘଲଟି, ଘୋଡ଼ାହାଡ଼, ଘଟକେଶ୍ୱର, ବାଘୁଆ, ଭଞ୍ଜନଗର ଓ ଡହ ଡ୍ୟାମର ଜଳସ୍ତର ଉପରେ ରଖାଯାଇଛି ତୀକ୍ଷ୍‌ଣ ନଜର । ଯେ କୌଣସି ମୁହୂର୍ତ୍ତରେ ଗେଟ୍ ଖୋଲାଯାଇ ପାଣି ଛଡ଼ାଯିବାର ସମ୍ଭାବନା ଥିବାରୁ ନଦୀ ଗର୍ଭ ଓ ତଳିଆ ଅଞ୍ଚଳକୁ ନ ଯିବାକୁ ଲୋକଙ୍କୁ ସତର୍କ କରାଯାଇଛି । ସ୍ଥିତି ଦେଖି ଆବଶ୍ୟକ ପଡ଼ିଲେ ଦାରିଙ୍ଗବାଡ଼ି ଓ କଳିଙ୍ଗା ଘାଟି ରାସ୍ତା ବନ୍ଦ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ସେହିପରି ସମୁଦ୍ର ଅଶାନ୍ତ ରହିବା ଆଶଙ୍କାରେ ମତ୍ସ୍ୟଜୀବୀଙ୍କ ପାଇଁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ୧୬ ତାରିଖ ସୁଦ୍ଧା କୂଳକୁ ଫେରିଆସିବାକୁ କୁହାଯାଇଥିବା ବେଳେ ୧୭ ଓ ୧୮ ତାରିଖରେ ସମୁଦ୍ରକୁ ଯିବା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି ।

ଗୋପାଳପୁର ଓ ରଙ୍ଗେଇଲୁଣ୍ଡା ବ୍ଳକର ମାର୍କଣ୍ଡି ବେଳାଭୂମିରେ ମତ୍ସ୍ୟଜୀବୀମାନେ ପ୍ରଶାସନର ନିର୍ଦ୍ଦେଶ ମାନି ନିଜ ଡଙ୍ଗା ଓ ଜାଲକୁ ସୁରକ୍ଷିତ ସ୍ଥାନକୁ ନେବାରେ ଲାଗିଛନ୍ତି ।

ଗୋଟିଏ ପଟେ ପ୍ରଶାସନର ପ୍ରସ୍ତୁତି ଚାଲିଥିବା ବେଳେ ଅନ୍ୟପଟେ ଆତଙ୍କରେ ଅଛନ୍ତି ବନ୍ୟା ବିପନ୍ନ ଓ ଚାଷୀ । ଭଞ୍ଜନଗର ସହରର ନାହାତୋଟା ସାହି ଏବଂ ଆସିକା ବ୍ଲକର ନବରତ୍ନପୁର ଗାଁରେ ଅର୍ଣ୍ଣବ ବାତ୍ୟା ଓ ବନ୍ୟାରେ ଅନେକଙ୍କ ଘର ଭାଙ୍ଗି ଯାଇଥିଲା ।

ଲୋକେ ଦିନରେ ଖୋଲା ଆକାଶ ତଳେ ଓ ରାତିରେ ପଡ଼ୋଶୀଙ୍କ ଘରେ ଆଶ୍ରୟ ନେଉଛନ୍ତି । କେବଳ ୫୦ କେଜି ଚାଉଳ ଛଡ଼ା ପକ୍କା ଘର କିମ୍ବା ଅନ୍ୟ ସହାୟତା ମିଳିନଥିବା ଅଭିଯୋଗ ହୋଇଛି । ଏବେ ପୁଣି ବର୍ଷା ଖବର ଶୁଣି କେଉଁଠି ମୁଣ୍ଡ ଗୁଞ୍ଜିବେ ସେନେଇ ଚିନ୍ତାରେ ବିପନ୍ନ ।

ଏଥିସହ ପଢ଼ନ୍ତୁ: ମାଡ଼ି ଆସୁଛି ଭୀଷଣ ବାତ୍ୟା; ମାର୍ଗଦର୍ଶିକା ଜାରି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ 

ସେପଟେ ଖଲ୍ଲିକୋଟ ବ୍ଲକରେ ପୂର୍ବ ଲଗାଣ ବର୍ଷାରେ ଶହ ଶହ ଏକର ଫସଲ ନଷ୍ଟ ହୋଇ ସାରିଥିବା ବେଳେ ଏବେ ବଳକା ଫସଲକୁ ବଞ୍ଚାଇବା ପାଇଁ ବିଲରୁ କଞ୍ଚା ଧାନ କାଟିବା ଆରମ୍ଭ କରିଛନ୍ତି ଚାଷୀ ।

ଗୋଟିଏ ପଟେ ପୂର୍ବ ବନ୍ୟାର କ୍ଷତିପୂରଣ ଓ ଥଇଥାନ ପାଇଁ ବିପନ୍ନଙ୍କ ଆକୁଳ ନିବେଦନ ଏବଂ ଅନ୍ୟପଟେ ସମ୍ଭାବ୍ୟ ବାତ୍ୟାକୁ ଶୂନ୍ୟ ମୃତାହତରେ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନର ଦିନରାତି ପରିଶ୍ରମ ଗଞ୍ଜାମରେ ଦେଖିବାକୁ ମିଳିଛି ।