Videos
|
Odisha

Ganjam Cyclone Alert / ମାଡ଼ି ଆସୁଛି ଭୀଷଣ ବାତ୍ୟା; ମାର୍ଗଦର୍ଶିକା ଜାରି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ

Debashree Debasmita Sahoo
Browse all articles by Debashree Debasmita Sahoo
·7 mins ago·3 min read
ମାଡ଼ି ଆସୁଛି ଭୀଷଣ ବାତ୍ୟା; ମାର୍ଗଦର୍ଶିକା ଜାରି କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ
Ganjam Cyclone Alert

Key Points

ସମ୍ଭାବ୍ୟ ବାତ୍ୟା 'ଅକଭାନ'କୁ ମାର୍ଗଦର୍ଶିକା ଜାରି
ଗଞ୍ଜାମ ଜିଲ୍ଲା ପ୍ରଶାସନ ମାର୍ଗଦର୍ଶିକା ଜାରି କଲା
୧୬ତାରିଖ ଭିତରେ କୂଳକୁ ଫେରିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ

ଗଞ୍ଜାମ: ଅର୍ଣ୍ଣବ ବାତ୍ୟା ପରେ ପୁଣି ଆସୁଛି ଆଉ ଏକ ବାତ୍ୟା । ସମ୍ଭାବ୍ୟ ବାତ୍ୟା ସହ ଗଞ୍ଜାମରେ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ବଡ ପ୍ରସ୍ତୁତି । ରବିବାର ସତ୍ତ୍ଵେ ଜିଲ୍ଲାପାଳଙ୍କ ସହ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ମତ୍ସ୍ୟଜୀବୀଙ୍କୁ ଆଗୁଆ ସତର୍କ କରାଯାଇଛି । ୧୬ତାରିଖ ଭିତରେ କୂଳକୁ ଫେରିବାକୁ ମତ୍ସ୍ୟଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟାର ପ୍ରଭାବ ଦେଖି ଆବଶ୍ୟକ ପଡିଲେ ଦାରିଙ୍ଗିବାଡ଼ି ଏବଂ କଳିଙ୍ଗାଘାଟି ବନ୍ଦ କରାଯିବ । ଡ୍ୟାମ ଉପରେ ରହିଛି ସ୍ୱତନ୍ତ୍ର ନଜର । ବନ୍ୟାରେ କ୍ଷୟ ହୋଇଥିବା ଅଞ୍ଚଳ ଉପରେ ରହିଛି ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି । ସେହି ଅଞ୍ଚଳରେ ଆବଶ୍ୟକ ପଡିଲେ ସ୍ଥାନାନ୍ତର କରାଯିବ । ଚାଷୀଙ୍କୁ ମଧ୍ୟ କରାଯାଇଛି ସଚେତନତା ।

  • ମତ୍ସ୍ୟଜୀବୀଙ୍କୁ ପାଇଁ ମାର୍ଗଦର୍ଶିକା ଜାରି
ଯେଉଁ ମତ୍ସ୍ୟଜୀବୀ ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଛନ୍ତି ସେମାନଙ୍କୁ ୧୬ ତାରିଖ ଭିତରେ କୂଳକୁ ଆସିବା ପାଇଁ ଅନୁରୋଧ କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ୧୭ ଏବଂ ୧୮ ତାରିଖରେ ମାଛ ମାରିବା ପାଇଁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମାର୍କଣ୍ଡି ବେଳାଭୂମିରେ ବର୍ତ୍ତମାନ ମତ୍ସ୍ୟଜୀବୀମାନେ ନିଜ ନିଜର ଡ଼ଙ୍ଗା ଏବଂ ଜାଲକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରୁଛନ୍ତି । ଜିଲ୍ଲା ପ୍ରଶାସନର କଥାକୁ ମାନି ଚାଲିବାକୁ ମଧ୍ୟ ରାଜି ଅଛନ୍ତି ମତ୍ସ୍ୟଜୀବୀ ।

  • ବାତ୍ୟା ପୂର୍ବରୁ ଖୋଲିପାରେ ଡ୍ୟାମ୍
ବାତ୍ୟା ଆସିବା ପୂର୍ବରୁ ସତର୍କ ଗଞ୍ଜାମ ଜିଲ୍ଲା ପ୍ରଶାସନ । ବିଭିନ୍ନ ଡ୍ୟାମର ଜଳସ୍ତରକୁ କରାଯାଉଛି ମନିଟର୍ । ସ୍ଥିତି ଦେଖି ବାଘଲଟି, ଘୋଡାହାଡ଼ ଓ ଘଟକେଶ୍ବର ଡ୍ୟାମରୁ ନିଷ୍କାସନ ହେବ ବନ୍ୟା ଜଳ । ଜଳସ୍ତର ଦେଖି କେତେବେଳେ ମଧ୍ୟ ନଦୀଗର୍ଭକୁ ଜଳ ଛଡ଼ାଯିବ । ତେଣୁ ଜନସାଧାରଣଙ୍କୁ ନଦୀଗର୍ଭକୁ କିମ୍ବା ତଳିଆ ଅଞ୍ଚଳକୁ ଯିବା ବାରଣ କରାଯାଇଛି । ନଦୀକୂଳିଆ ଗ୍ରାମବାସୀ ଏବଂ ସେମାନଙ୍କ ଗୃହପାଳିତ ପ୍ରାଣୀକୁ ନଦୀକୁ ନ ଛାଡ଼ିବାକୁ ଦିଆଯାଇଛି ପରାମର୍ଶ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ଭୟରେ ଗଞ୍ଜାମ ଚାଷୀ
ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଖଲ୍ଲିକୋଟ ବ୍ଲକର ଶହ ଶହ ଏକର ଧାନ ବିଲରେ ଜମି ରହିଥିଲା ବର୍ଷାଜଳ । ଫଳରେ ଅନେକ ଚାଷୀଙ୍କ ଏକର ଏକର ଧାନ ଫସଲ ନଷ୍ଟ ହୋଇଥିଲା । ଏହି କ୍ଷତିରୁ ଚାଷୀ ମୁକୁଳି ନଥିବା ବେଳେ ପୁଣି ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଚିନ୍ତା ବଢ଼ିଛି । ବାତ୍ୟା ଆସିବା ଆଶଙ୍କାରେ ନିଜର ପରିଶ୍ରମର ଫସଲକୁ ବଞ୍ଚାଇବା ପାଇଁ ଚାଷୀ ଏବେ କଞ୍ଚା ଧାନ କାଟିବାରେ ଲାଗି ପଡ଼ିଛି । ଯେଉଁ ଧାନ ଆଉ କିଛି ଦିନ ପରେ ପାଚି ଅମଳ ହୋଇଥାନ୍ତା, ତାହାକୁ ବାଧ୍ୟ ହୋଇ ଆଗୁଆ କାଟୁଛି ଚାଷୀ । ଗୋଟିଏ ପଟେ ପୂର୍ବ ବାତ୍ୟାର କ୍ଷୟକ୍ଷତି, ଅନ୍ୟପଟେ ପୁଣି ବାତ୍ୟା ଭୟ । ଏଭଳି ସ୍ଥିତିରେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ପ୍ରକୃତିର ଦାଉ ଆଗରେ ଚାଷୀ ଅସହାୟ, ତଥାପି ନିଜ ଫସଲକୁ ବଞ୍ଚାଇବା ପାଇଁ ଚାଲିଛି ତାଙ୍କର ସଂଘର୍ଷ ।

ପଢନ୍ତୁ ଏହି ଖବର: ବାତ୍ୟାର ପ୍ରଭାବ: ଓଡ଼ିଶାରେ ୪ ଦିନ ପ୍ରବଳ ବର୍ଷା ସମ୍ଭାବନା, ଅନେକ ଜିଲ୍ଲାକୁ ୟେଲୋ ଆଲର୍ଟ

  • ୧୮ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା
ବାତ୍ୟା ପ୍ରଭାବରେ ଆସନ୍ତା ୧୮ ତାରିଖରୁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଏହି ସମୟରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ଓ ୪୦ରୁ ୫୦ କିମି ବେଗରେ ପବନ ବହିପାରେ । ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ୧୯ ତାରିଖରେ ବର୍ଷା ଓ ପବନର ପ୍ରଭାବ ବଢ଼ିବ । ୫୦ରୁ ୬୦ କିମି ବେଗରେ ଝଟକା ପବନ ବହିବା ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଏବଂ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ୨୦ ତାରିଖରେ ଗଞ୍ଜାମ, ଗଜପତି ଓ କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଅନ୍ୟ ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।