Rescue Operation / ଗଞ୍ଜାମ ଗିଡ଼ିପାବାଲିରେ ଚାଲିଛି ରେସ୍କ୍ୟୁ ଅପରେସନ... ଏବେ ବି ୧୨ ନିଖୋଜ

Key Points
ଭୟଙ୍କର ଭୂସ୍ଖଳନ ପରେ ଏବେ ବି ମିଳିନି ୧୨ ନିଖୋଜଙ୍କ ପତ୍ତା ...
ସନ୍ଧାନ ପାଇଁ ନିୟୋଜିତ ନୌସେନାର ଲାଇଫ୍ ଡିଟେକ୍ସନ୍ ହେଲିକପ୍ଟର ...
ଗଞ୍ଜାମ ଗିଡ଼ିପାବାଲି ଭୟଙ୍କର ଭୂସ୍ଖଳନରେ ଏବେବି ୧୨ ନିଖୋଜ... ସନ୍ଧାନ ପାଇଁ ନିୟୋଜିତ ନୌସେନାର ଲାଇଫ୍ ଡିଟେକ୍ସନ୍ ହେଲିକପ୍ଟର । ରେସକ୍ୟୁ ବେଳେ ୫ ଫୁଟର ମାଟି କାଦୁଅ ସାଜୁଛି ବାଧକ । ତଥାପି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସହଯୋଗ କରୁଛି ରେଳ ବିଭାଗ ।
ଗଞ୍ଜାମ ଗିଡ଼ିପାବଳିରେ ନିଖୋଜ ୧୨ ଜଣଙ୍କ ସନ୍ଧାନ ଜାରି ରଖିଛନ୍ତି ଉଦ୍ଧାରକାରୀ ଦଳ । ନୌସେନାର ଅତ୍ୟାଧୁନିକ ଉପକରଣ ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଗଞ୍ଜାମ ଜିଲ୍ଲା ବାଇବିଲି ପଞ୍ଚାୟତ ତଡ଼ମା ରାଜସ୍ୱ ଗ୍ରାମ ଅନ୍ତର୍ଗତ ଗିଡ଼ିପାବଳିଠାରେ ଘଟିଥିବା ଭୟଙ୍କର ଭୂସ୍ଖଳନରେ ନିଖୋଜ ବ୍ୟକ୍ତିମାନଙ୍କୁ ଠାବ କରିବା ପାଇଁ ଉଦ୍ଧାର କାର୍ଯ୍ୟକୁ ବ୍ୟାପକ ଓ ତ୍ୱରାନ୍ୱିତ କରାଯାଇଛି ।
ନିଖୋଜଙ୍କ ସନ୍ଧାନ ପାଇଁ ଭାରତୀୟ ନୌସେନାର ଏକ ହେଲିକପ୍ଟର ମାଧ୍ୟମରେ ୩ଟି ଅତ୍ୟାଧୁନିକ ସର୍ଚ୍ଚ ଉପକରଣ -'ଲାଇଭ୍-ଡିଟେକ୍ସନ୍ ୟୁନିଟ୍ ସିସ୍ମିକ୍', 'ଭାବ୍ରେସନ୍ ଡିଟେକ୍ସନ୍ ୟୁନିଟ୍' ଏବଂ 'ଭିକ୍ଟିମ୍ ଲୋକେସନ୍ କ୍ୟାମେରା'ଜି. ଉଦୟଗିରିରେ ପହଞ୍ଚିଛି ।
ତେବେ ଅତ୍ୟନ୍ତ ଖରାପ ପାଣିପାଗ ଯୋଗୁଁ ହେଲିକପ୍ଟର ସେଠାରେ ଅବତରଣ କରିପାରି ନଥିଲା । ଫଳରେ ସେହି ଅତ୍ୟାଧୁନିକ ଉପକରଣଗୁଡ଼ିକୁ ସଡ଼କ ପଥରେ ଘଟଣାସ୍ଥଳକୁ ପଠାଯାଇଛି । ଭୋରରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଟିମ୍ । ଅନ୍ୟପକ୍ଷରେ ଭୂସ୍ଖଳନ ହୋଇଥିବା ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଉଦ୍ଧାର କାର୍ଯ୍ୟ ବେଶ୍ କଷ୍ଟକର ହୋଇପଡ଼ିଛି ।
NDRF, ODRAF ଏବଂ ଓଡ଼ିଶା ଅଗ୍ନିଶମ ବାହିନୀ ସହିତ ଭାରତୀୟ ରେଳବାଇର ବିଶେଷଜ୍ଞ ଦଳ ମିଶି ମିଳିତ ଭାବେ ଏହି ସର୍ଚ୍ଚ ଅପରେସନ୍ରେ ଶାମିଲ ହୋଇଛନ୍ତି । ଘଟଣାସ୍ଥଳକୁ ଯିବା ପାଇଁ ରାସ୍ତାଘାଟ ଶୋଚନୀୟ ଥିବା ଏବଂ ପ୍ରତିକୂଳ ପାଣିପାଗ ସତ୍ତ୍ୱେ, ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ଉଦ୍ଧାର ଅଭିଯାନକୁ ଦ୍ରୁତଗାମୀ କରିବା ପାଇଁ ସମସ୍ତ ସମ୍ଭାବ୍ୟ ଉଦ୍ୟମ ଜାରି ରହିଛି ।
ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବିପର୍ଯ୍ୟୟ ପରିଚାଳନା ନେଇ ଗଂଜାମ ଜିଲ୍ଲାପ୍ରଶାସନ ତତ୍ପର । ଯେଉଁ ସବୁ ଗ୍ରାମପଞ୍ଚାୟତ ଗୁଡ଼ିକରେ ବନ୍ୟାର ପ୍ରଭାବ ଅତ୍ୟନ୍ତ ଗମ୍ଭୀର ରହିଛି, ସେଠାରେ ୩୬୭ଟି ସ୍ଥାନରେ ଫ୍ରି କିଚେନ୍ ଖୋଲାଯାଇଛି । ସମୁଦାୟ ବାତ୍ୟା ଏବଂ ବନ୍ୟା ପରବର୍ତ୍ତୀ ସମୟରେ ୫୬ ହଜାରରୁ ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି ।
ଚାରିଚକିଆ ଯାନ ଏବଂ ଅନ୍ୟାନ୍ୟ ଜରୁରୀ ଗାଡ଼ି ନେଇ ଏପର୍ଯ୍ୟନ୍ତ ତିନୋଟି ଗ୍ରାମକୁ ଯାଇହେଉନାହିଁ । ଜିଲ୍ଲା ନିୟନ୍ତ୍ରଣ କକ୍ଷ ଦିନରାତି କାର୍ଯ୍ୟ କରୁଛି ଏବଂ ସମସ୍ତ ବ୍ଲକ ସ୍ତରୀୟ ନିୟନ୍ତ୍ରଣ କକ୍ଷଗୁଡ଼ିକ ମଧ୍ୟ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ଗଂଜାମ ଜିଲ୍ଲାପାଳ ।
📱 Get Argus News App
✨Related Topics
Explore more stories