Gidipabali Landslide / ଗିଡ଼ିପାବାଲି ଭୂସ୍ଖଳନ: ୧୧ ନିଖୋଜଙ୍କ ପ୍ରତୀକାତ୍ମକ ସତ୍କାର, ଦିଆଯିବ ମଦ ଓ ଘୁଷୁରୀ

Key Points
୧୧ ନିଖୋଜଙ୍କ ପାଇଁ ହେବ ପ୍ରତୀକାତ୍ମକ ସତ୍କାର, ଜୀବିତ ଉଦ୍ଧାର ଆଶା ଏବେ ବି ଉଜ୍ଜୀବିତ
ହସଖୁସିର ଗାଁ ଆଜି ଶ୍ମଶାନ, ଭୂସ୍ଖଳନରେ ଲିଭିଗଲା ଗିଡ଼ିପାବାଲିର ଅସ୍ତିତ୍ୱ
ଦିନେ ଯେଉଁଠି ଥିଲା ହସଖୁସିର ଗାଁ, ଆଜି ସେଠି ଖେଳିଯାଇଛି ଶ୍ମଶାନର ନୀରବତା । ଚାରିଆଡ଼େ ଖାଲି ମାଟି ଆଉ କାଦୁଅର ପାହାଡ଼ । ଭୂସ୍ଖଳନର ପ୍ରଳୟଙ୍କରୀ ରୂପ ଛଡ଼ାଇ ନେଇଛି ଗାଁର ଅସ୍ତିତ୍ୱ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ଉପାନ୍ତ ବାଇବାଲି ପଞ୍ଚାୟତ ଅନ୍ତର୍ଗତ ଗିଡ଼ିପାବାଲି ଗାଁ ଆଜି ମାଟି ତଳେ ହଜିଯାଇଛି ।
ଏହି ଦୁଃଖଦ ଘଟଣା ପରେ ଏବେ ୧୧ ଜଣ ନିଖୋଜଙ୍କୁ ନେଇ ପରିବାର ଲୋକଙ୍କ ମନରେ ଅସରନ୍ତି ଯନ୍ତ୍ରଣା । ଆଜି କିଲାପାଙ୍ଗାରୁ ନିଖୋଜଙ୍କ ପରିବାର ସଦସ୍ୟ ଗିଡ଼ିପାବାଲି ଭୂସ୍ଖଳନ ସ୍ଥଳକୁ ଯିବେ । ସେମାନଙ୍କ ସହ ପ୍ରଶାସନିକ ଅଧିକାରୀ ଓ ଓଡ୍ରାଫ ଟିମ୍ ମଧ୍ୟ ଯିବେ । ଆଦିବାସୀ ପରମ୍ପରା ଅନୁସାରେ ୧୧ ଜଣ ନିଖୋଜଙ୍କ ପାଇଁ ପ୍ରତୀକାତ୍ମକ ସତ୍କାର କରାଯିବ ।
ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ସହ ନୂଆ ଲୁଗା, ଧୋତି, ଫୁଲ, ମଦ ଓ ଘୁଷୁରୀ ଅର୍ପଣ କରାଯିବ । ପରେ ନିଖୋଜ ୧୧ ଜଣଙ୍କ ଫଟୋରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଯିବ ।
ଅନ୍ୟପଟେ ଆଜି ପାଇଁ ଭୂସ୍ଖଳନ ସ୍ଥଳରେ ଉଦ୍ଧାର କାର୍ଯ୍ୟ ସ୍ଥଗିତ ରହିଛି । ପାଣିପାଗରେ ସୁଧାର ଆସିବା ପରେ ପୁଣି ଆରମ୍ଭ ହେବ ସର୍ଚ୍ଚ ଅପରେସନ । ଏଥିରେ ଓଡ୍ରାଫର ଏକ ନୂଆ ଟିମ୍ ସାମିଲ ହେବେ । ଉଦ୍ଧାର କାର୍ଯ୍ୟ ସାମୟିକ ଭାବେ ବନ୍ଦ ଥିଲେ ମଧ୍ୟ ନିଖୋଜଙ୍କୁ ଜୀବିତ ଉଦ୍ଧାର କରିବାର ଆଶା ଏବେ ବି ଉଜ୍ଜୀବିତ ରହିଛି ।
ଏଥି ସହ ପଢନ୍ତୁ: ଗଜପତି ପରେ ଗଞ୍ଜାମରେ କେନ୍ଦ୍ରୀୟ ଟିମ୍, ବାତ୍ୟା ‘ଅର୍ଣ୍ଣବ’ର କ୍ଷୟକ୍ଷତି କରିବେ ଆକଳନ
ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ପାଗରେ ପରିବର୍ତ୍ତନ ହେବା ପରେ ଶେଷ ଥର ପାଇଁ ଆଉ ଗୋଟିଏ ଦିନ ଉଦ୍ଧାର କାର୍ଯ୍ୟ କରାଯିବ କି ନାହିଁ, ସେନେଇ ନିଷ୍ପତ୍ତି ନିଆଯିବ ।
ତୃତୀୟ ସ୍ତରରେ ଭୂସ୍ଖଳନ ହୋଇଥିବାରୁ ୨୦ ଫୁଟରୁ ଅଧିକ ମାଟି ତଳେ ନିଖୋଜ ବ୍ୟକ୍ତି ଚାପି ହୋଇ ରହିଥିବା ଆଶଙ୍କା ରହିଛି । ବଡ଼ ବଡ଼ ପଥରକୁ ବ୍ଲାଷ୍ଟିଂ କଲେ ପୁଣି ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ବ୍ଲାଷ୍ଟିଂ ନକରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ସେପଟେ ଅସ୍ଥାୟୀ ଉଦ୍ଧାର ଗୃହରେ ରହୁଥିବା ଲୋକଙ୍କ ପରମ୍ପରା ଓ ରୀତିନୀତି ପାଳନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ।
ସୂଚନା ଅନୁସାରେ, ଗାଁରେ ପୂର୍ବରୁ ପ୍ରାୟ ୧୨ରୁ ୧୫ଟି ଘର ଥିଲା । ହେଲେ ଭୂସ୍ଖଳନର ଭୟାବହତାରେ ସବୁ ଘର ମାଟି ତଳେ ପୋତି ହୋଇଯାଇଛି । ଏବେ କେବଳ ଗୋଟିଏ ଅଧାଭଙ୍ଗା ମାଟି ଇଟା ଘର ଛିଡ଼ା ହୋଇ ରହିଛି । ସେହି ଘରଟି ଆଜି ଗାଁର ବିନାଶର ମୂକସାକ୍ଷୀ । ଯେଉଁ ମାଟିରେ ଦିନେ ଜୀବନର କୋଳାହଳ ଥିଲା, ଆଜି ସେହି ମାଟି ତଳେ ଚାପି ହୋଇ ରହିଛି ଅନେକ ସ୍ମୃତି ଓ ସ୍ୱପ୍ନ । ଗାଁ ହଜିଯାଇଛି, ହେଲେ ପରିବାରର ଆଶା ଏବେ ବି ମରିନାହିଁ ।
📱 Get Argus News App
✨