Videos
|
Odisha

Gidipabali Landslide / ଗିଡିପାବାଲିରେ ଉଦ୍ଧାର କାର୍ଯ୍ୟ ଜାରି: ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର, ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

Debashree Debasmita Sahoo
Browse all articles by Debashree Debasmita Sahoo
·34 mins ago·2 min read
ଗିଡିପାବାଲିରେ ଉଦ୍ଧାର କାର୍ଯ୍ୟ ଜାରି: ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର, ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି
Gidipabali Landslide Rescue Operation

Key Points

କନ୍ଧମାଳ-ଗଞ୍ଜାମ ସୀମାରେ ଭୂସ୍ଖଳନ ଘଟଣା
ଗିଡ଼ିପାବାଲିରେ ଉଦ୍ଧାର କାର୍ଯ୍ୟର ୬ଷ୍ଠ ଦିନ
ମିଳିଲା ଗୋଟିଏ ପରିବାରର ୫ଜଣଙ୍କ ମୃତଦେହ
ଫୁଲବାଣୀ: କନ୍ଧମାଳ-ଗଞ୍ଜାମ ଜିଲ୍ଲା ସୀମାନ୍ତ ଗିଡିପାବାଲି ଅଞ୍ଚଳରେ ଭୂସ୍ଖଳନ ଉଦ୍ଧାର କାର୍ଯ୍ୟର ଷଷ୍ଠ ଦିନ। ଘଟଣାସ୍ଥଳରେ ପଥର ତଳେ ଚାପି ହୋଇ ରହିଥିବା ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହକୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି । ପୂର୍ବରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଜିର ୫ଟି ମୃତଦେହ ମିଳିବା ପରେ ମୋଟ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ତାଲିକାଭୁକ୍ତ ୧୩ ଜଣଙ୍କ ମଧ୍ୟରୁ ଆଉ ୬ ଜଣ ଏବେ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି ।

ମୃତକଙ୍କ ପରିଚୟ:
ପରିବାର ଲୋକଙ୍କ ଉପସ୍ଥିତିରେ ଉଦ୍ଧାର ମୃତଦେହଗୁଡ଼ିକର ଚିହ୍ନଟ କରାଯାଇଛି । ମୃତକମାନେ ହେଲେ:
* ଭୂମିକା ପ୍ରଧାନ (ପ୍ରାୟ ୨୭ ବର୍ଷ)
* ବିଜୟ ପ୍ରଧାନ (ପ୍ରାୟ ୨୫ ବର୍ଷ)
* ବାଗ୍ରୀ ପ୍ରଧାନ (ପ୍ରାୟ ୧୪ ବର୍ଷ)
* ଅରୁଣା ପ୍ରଧାନ (ପ୍ରାୟ ୭ ବର୍ଷ)
* ବିଜୟଲକ୍ଷ୍ମୀ ପ୍ରଧାନ (ପ୍ରାୟ ୬ ବର୍ଷ)

ଘଟଣାସ୍ଥଳରେ ଶେଷକୃତ୍ୟ ସମ୍ପନ୍ନ
ପରିବାରବର୍ଗଙ୍କ ଇଚ୍ଛା ଅନୁସାରେ ଓ ସେମାନଙ୍କ ଆବେଗକୁ ସମ୍ମାନ ଜଣାଇ ପ୍ରଶାସନର ସହଯୋଗରେ ଘଟଣାସ୍ଥଳରେ ହିଁ ସମସ୍ତ ୫ ଜଣଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଛି । ଏହି ଦୁଃଖଦ ସମୟରେ ପ୍ରଶାସନ ପରିବାର ସହିତ ସମ୍ପୂର୍ଣ୍ଣ ରୂପେ ଛିଡ଼ା ହୋଇଛି ଏବଂ ନିୟମ ଅନୁଯାୟୀ ସେମାନଙ୍କ ଥଇଥାନ ପାଇଁ ଗଞ୍ଜାମ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ଅଧିକାରୀ ଜଣାଇଛନ୍ତି । କିଛି ପରିବାର ରାୟଗଡ଼ା ନିକଟରେ ଓ କିଛି କନ୍ଧମାଳରେ ରହିବାକୁ ଇଚ୍ଛା ପ୍ରକାଶ କରିଥିବାରୁ ସେହି ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ଜାରି ରହିବ ଉଦ୍ଧାର କାର୍ଯ୍ୟ
ପାଗରେ ଉନ୍ନତି ଆସିବା ଯୋଗୁଁ ମାଟି ଧସିବା କମିଛି ଏବଂ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ବର୍ତ୍ତମାନ ଘଟଣାସ୍ଥଳରେ ଓଡ୍ରାଫ୍, ଅଗ୍ନିଶମ ବାହିନୀ, DVI ଏବଂ SCU ଟିମ୍ ନିୟୋଜିତ ଅଛନ୍ତି । କ୍ଷେତ୍ରରେ ପ୍ରାୟ ୧୦୦ରୁ ଅଧିକ କର୍ମଚାରୀ ଓ ମୋଟାମୋଟି ଭାବେ ୨୦୦ରୁ ୨୫୦ ଜଣିଆ ଟିମ୍ ଏହି ମିଶନରେ ସାମିଲ ରହିଛନ୍ତି । ରେଳବାଇର ବ୍ଲାଷ୍ଟିଂ ଓ ମାଇନିଂ ଟିମ୍ ବିଶାଳ ପଥରଗୁଡ଼ିକୁ ବ୍ଲାଷ୍ଟ କରି ହଟାଇବାରେ ସାହାଯ୍ୟ କରିବା ପରେ ଫେରିଛନ୍ତି ଏବଂ ଆବଶ୍ୟକ ପଡ଼ିଲେ ସେମାନଙ୍କୁ ପୁନର୍ବାର ଡକାଯିବ । ନିଖୋଜ ଥିବା ବାକି ୬ ଜଣଙ୍କୁ ଖୋଜିବା ପାଇଁ ଆଗାମୀ ଦିନରେ ମଧ୍ୟ ରେସ୍କ୍ୟୁ ଅପରେସନ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories