ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା

ନୟାଗଡ: ଫେଲ ମାରିଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା । ଟାଙ୍କି ଅଛି ହେଲେ ଆସୁନି ପାଣି । ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି 40 ରୁ ଉର୍ଦ୍ଧ୍ୱ ପରିବାର । ଦେଖୁନାହାନ୍ତି କିଭଳି ନଳକୂପ ଆଗରେ ଥୁଆ ହୋଇଛି ମାଳ ମାଳ ଗରା ବାଲଟି । ରାତି ପାଇଲେ ପାଣି ପାଇଁ ଲାଗୁଛି ଏମିତି ଲାଇନ । ଏହା କୌଣସି ଉପାନ୍ତ ଅଂଚଳର ଦୃଶ୍ୟ ନୁହେଁ । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗଡ଼ବାଣିକିଲୋ ନୁଆସାହିର ।
ପଂଚାୟତର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟରେ 60 ଲକ୍ଷ ଟଙ୍କା ବ୍ୟୟ ବରାଦରେ ବସୁଧା ଯୋଜନା ଦ୍ଵାରା ନିର୍ମାଣ ହୋଇଥିଲା 40 ହଜାର କ୍ଷମତା ବିଶିଷ୍ଟ ଓଭର ହେଡ଼ ପାଣି ଟାଙ୍କି । ନିର୍ମାଣ ହେବାର 10 ବର୍ଷ ପରେ ବି ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଗଡ଼ବାଣିକିଲୋ ନୁଆସାହିର ଲୋକେ ।
ସେପଟେ ଗ୍ରାମରେ ଦୁଇଟି ନଳକୂଅ ଥିବାବେଳେ ଗୋଟିଏ ନଳକୂଅରୁ ଦୂଷିତ ପାଣି ବାହାରୁଥିବାବେଳେ ବ୍ୟବହାର ଉପଯୋଗୀ ହେଉନଥିବାରୁ ଗୋଟିଏ ନଳକୂପ ଉପରେ ନିର୍ଭର କରନ୍ତି ଗ୍ରାମର 40ରୁ ଉର୍ଦ୍ଧ୍ୱ ପରିବାର । ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ଏଠାକାର ଗ୍ରାମବାସୀ ।
📱 Get Argus News App
✨ଏମିତି ବି ବେଳେ ବେଳେ ଆବଶ୍ୟକୀୟ ମୁତାବକ ପାଣି ବାହାରୁ ନଥିବାରୁ ଦୂଷିତ ପାନୀୟ ଜଳରେ ଶୋଷ ମେଣ୍ଟାନ୍ତି ଏଠାକାର ଲୋକେ । ପ୍ରତିଦିନ ପାଣି ପାଇଁ ଏଠି ଚାଲେ ସଂଘର୍ଷ । ଇଏ ଆଜି କିମ୍ବା କାଲିର ଘଟଣା ନୁହେଁ ବର୍ଷ ବର୍ଷ ଧରି ଏଭଳି ଜଳ ଯନ୍ତ୍ରଣାରେ ଛଟପଟ ଗ୍ରାମବାସୀ ।
ବିଶୁଦ୍ଧ ପାନୀୟ ଜଳ ପାଇଁ ଗ୍ରାମବାସୀମାନେ ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ ହୋଇନି ସମସ୍ୟାର ସମାଧାନ । ବସୁଧା ଯୋଜନା କାହାପାଇଁ ବୋଲି ପ୍ରଶ୍ନ କରିଛନ୍ତି ଲୋକେ ।
ଆହୁରି ପଢନ୍ତୁ ଓଡିଶା ଖବର...