କାଏମାରେ ଜମୁଛି ମାଆ ଲଷ୍ମୀଙ୍କ ପୂଜା

ଅର୍ଗସ ବ୍ୟୁରୋ: ପ୍ରତିବର୍ଷ ମାଆ ଲଷ୍ମୀଙ୍କ ପୂଜା ଆଧ୍ୟାତ୍ମିକ ପରିବେଶରେ ପାଳିଥାନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାଏମା ଲଷ୍ମୀ ସାହିର ଭକ୍ତମାନେ I କୁମାରପୂର୍ଣ୍ଣିମା ଦିନ ମାଆଙ୍କ ଅଧିବାସରୁ ଆରମ୍ଭ ହୋଇଥାଏ ପୂଜା I ଏହା ପାଞ୍ଚ ଦିନ ଧରି ଚାଲେ I
ବ୍ରାହ୍ମଣୀ ନଦୀରେ ଭାସି ଆସିଥିଲା ଏକ ଦୁର୍ଗା ମେଢ଼ I ସେହି ମେଢ଼କୁ ପାଇଲେ କାଏମାର ଭକ୍ତ I ସେହି ମେଢ଼ ଆଣି ଗାଁରେ ସ୍ଥାପନା କଲେ I କୁମାର ପୁର୍ଣିମାରେ ମିଳିଥିବାରୁ ଦୁର୍ଗା ପୂଜା ନ କରି ମାଆ ଲଷ୍ମୀ ଙ୍କ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କଲେ I ପରେ ମୂର୍ତ୍ତିକୁ ନଦୀରେ ବିସର୍ଜନ କଲେ। ସେହି ଦିନରୁ କାଏମାରେ ପୂଜା ପାଉଛନ୍ତି ମାଆ ଲଷ୍ମୀ I ପ୍ରାୟ ଦେଢ଼ ଶହ ବର୍ଷ ହେବ ଏହି ଠାରେ ଲଷ୍ମୀପୂଜା କରାଯାଉଛି। ଏବେ ରୁପାର ଆଭୂଷଣ ପିନ୍ଧିଛନ୍ତି ମାଆ I କଥାରେ ଅଛି ଏହି ମାଆଙ୍କୁ ଯିଏ ଯେତେବେଳେ ଯାହା ମାଗିଛି ତାହା ନିଶ୍ଚୟ ପୂରଣ କରିଥାନ୍ତି I ସେଥିପାଇଁ ଭକ୍ତମାନେ ମାଆଙ୍କ ନିକଟକୁ ଚାଲିଆସନ୍ତି I
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କାଏମା ଲଷ୍ମୀ ସାହିରେ ଲଷ୍ମୀ ମଣ୍ଡପରେ ପୂଜା ପାଉଛନ୍ତି ଧନଦାତ୍ରୀ ମା' ଲଷ୍ମୀ I କୁମାର ପୁର୍ଣିମା ସକାଳୁ ନିକଟସ୍ଥ କେଲୁଅ ନଦୀରୁ କଳସ ବୁଡାଇ ମାଆଙ୍କ ନିକଟରେ ଘଟ ସ୍ଥାପନ ପରେ ଯଥାବିଧି ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ I ଏହାପରେ ମାଙ୍କୁ ଆବାହନ, ଚନ୍ଦ୍ରପୂଜା, ଗୋପୁଜା, ହୋମ ଇତ୍ୟାଦି କରାଯାଏ। ଏହିପରି ପାଞ୍ଚଦିନ ପୂଜା କରାଯାଏ I
📱 Get Argus News App
✨ପ୍ରଥମ ଦିନରୁ ମାଆଙ୍କ ନିକଟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥାଏ। ଇସ୍କନ ଭକ୍ତଙ୍କ ଦ୍ୱାରା ନାମ ସଂକୀର୍ତ୍ତନରେ ଭକ୍ତ ମାନେ ବିଭୋର ହୋଇଥାନ୍ତି I ଦ୍ଵିତୀୟ ଦିନରେ ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମ ଓ ଚତୁର୍ଥ ସନ୍ଧ୍ୟାରେ ସ୍ଥାନୀୟ ଶିଶୁ କଳାକାରଙ୍କ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ଏହି ସବୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଦେଖିବାକୁ ପ୍ରତ୍ୟେହ ହଜାର ହଜାର ଜନସାଧାରଣଙ୍କ ସମାଗମ ହୋଇଥିଲା I ମାଆଙ୍କ ପୂଜାର ପୂର୍ଣ୍ଣାହୁତି ପରେ କଳସ ବିସର୍ଜନ ଓ ତାପରେ ପାରମ୍ପରିକ ବାଦ୍ୟରେ ମା'ଙ୍କୁ ଶୋଭାଯାତ୍ରାରେ ନିଆଯାଇ କେଲୁଅ ନଦୀରେ ବିସର୍ଜନ କରାଯାଏ Iଏହି ପାଞ୍ଚ ଦିନ ମାଆଙ୍କୁ ଦର୍ଶନ କରିବାକୁ ମଣ୍ଡପରେ ହଜାର ହଜାର ଦର୍ଶକ ଓ ଭକ୍ତ ଆସିଥାନ୍ତି ଓ ମାଆଙ୍କ ସାନିଧ୍ୟ ଲାଭ କରିଥାନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର