Emotional Story / ମାଲିକଙ୍କ ଜୁଇ ପାଖରେ ବସି କାନ୍ଦୁଛି ଗାଈ, ଦେଖିଲେ ଆଖିରେ ଆସିଯାଉଛି ଲୁହ

Key Points
ମଣିଷ-ପଶୁର ଅତୁଟ ସମ୍ପର୍କର ହୃଦୟବିଦାରକ ଦୃଶ୍ୟ ।
ମାଲିକଙ୍କ ବିୟୋଗ ସହିପାରୁନି ପୋଷା ଗାଈ ।
ମଣିଷ ଓ ପଶୁ ମଧ୍ୟରେ ଥିବା ସ୍ନେହ ଓ ଭଲପାଇବାର ଏକ ହୃଦୟବିଦାରକ ଦୃଶ୍ୟ ଏବେ ସମସ୍ତଙ୍କୁ କରୁଛି ଭାବବିହ୍ୱଳ । ମାଲିକଙ୍କ ମୃ*ତ୍ୟୁକୁ ସତେ ଯେମିତି ଗ୍ରହଣ କରିପାରୁନି ପୋଷା ଗାଈ । ମାଲିକଙ୍କ ଜୁଇ ଜଳୁଥିବା ସ୍ଥାନ ପାଖରେ ଚୁପ୍ଚାପ୍ ବସି ରହିଛି । ଆଖିରୁ ଝରୁଛି ଲୁହ, ଆଉ ହମ୍ବା ହମ୍ବା ଡାକି ଖୋଜୁଛି ନିଜ ପ୍ରିୟ ମଣିଷକୁ । ଯେମିତି ନିଜ ହୃଦୟର ଅକୁହା ବେଦନାକୁ ପ୍ରକାଶ କରୁଛି । ଏଭଳି ହୃଦୟସ୍ପର୍ଶୀ ଦୃଶ୍ୟ ସାମ୍ନାକୁ ଆସିଛି କନ୍ଧମାଳ ସୀମାନ୍ତ ଗିଡ଼ିପାବାଲି ଗାଁରୁ ।
ଦିନେ ଯେଉଁଠି ଥିଲା ହସଖୁସିର ଗାଁ, ଆଜି ସେଠି ଖେଳିଯାଇଛି ଶ୍ମଶାନର ନୀରବତା । ଚାରିଆଡ଼େ ଖାଲି ମାଟି ଆଉ କାଦୁଅର ପାହାଡ଼ । ଭୂସ୍ଖଳନର ପ୍ରଳୟଙ୍କରୀ ରୂପ ଛଡ଼ାଇ ନେଇଛି ଗାଁର ଅସ୍ତିତ୍ୱ । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକର ଉପାନ୍ତ ବାଇବାଲି ପଞ୍ଚାୟତ ଅନ୍ତର୍ଗତ ଗିଡ଼ିପାବାଲି ଗାଁ ଆଜି ମାଟି ତଳେ ହଜିଯାଇଛି ।
ଭୂସ୍ଖଳନରେ ମାଟି ଓ ପଥର ତଳେ ପୋତି ହୋଇ ପ୍ରାଣ ହରାଇଥିଲେ ରବି ମଲ୍ଲିକ । ତାଙ୍କ ଅନ୍ତିମ ସଂସ୍କାର ପରେ ଜୁଇ ଜଳିଥିବା ସ୍ଥାନ ପାଖରେ ବସି ରହିଛି ତାଙ୍କର ପୋଷା ଗାଈ । ଯେଉଁ ମାଲିକଙ୍କ ସହ ଦିନରାତି ତା'ର ସମୟ କଟୁଥିଲା, ତାଙ୍କୁ ଆଉ ପାଖରେ ନପାଇ ଯେମିତି ନିରବରେ ଶୋକ ପ୍ରକାଶ କରୁଛି । ଚୁପଚାପ୍ ବସି ରହି ଯେମିତି ମାଲିକଙ୍କ ସ୍ମୃତିକୁ ମନେ ପକାଉଛି। ଏହି ଦୃଶ୍ୟ ଦେଖି ଗାଁ ଲୋକଙ୍କ ଆଖି ମଧ୍ୟ ଲୁହରେ ଭିଜିଯାଉଛି ।
ଉଦ୍ଧାର କାର୍ଯ୍ୟ ସ୍ଥଗିତ
ଅନ୍ୟପଟେ ଭୂସ୍ଖଳନ ସ୍ଥଳରେ ଉଦ୍ଧାର କାର୍ଯ୍ୟକୁ ସାମୟିକ ଭାବେ ବନ୍ଦ ରଖାଯାଇଛି । ଗତକାଲି ବର୍ଷା ଯୋଗୁଁ ଅଧାରୁ ରେସ୍କ୍ୟୁ ଅପରେସନ୍ ବନ୍ଦ କରିବାକୁ ପଡ଼ିଥିଲା । ଦ୍ୱିତୀୟ ମୃତଦେହକୁ ପରିବାର ଲୋକେ ଚିହ୍ନଟ କରିବା ପରେ ସେହି ସ୍ଥାନରେ ହିଁ ଅନ୍ତିମ ସଂସ୍କାର କରାଯାଇଛି ।
ଜିଲ୍ଲାପାଳଙ୍କ ସୂଚନା ଅନୁସାରେ, ପାଗରେ ପରିବର୍ତ୍ତନ ହେବା ପରେ ଶେଷ ଥର ପାଇଁ ଆଉ ଗୋଟିଏ ଦିନ ଉଦ୍ଧାର କାର୍ଯ୍ୟ କରାଯିବ କି ନାହିଁ, ସେନେଇ ନିଷ୍ପତ୍ତି ନିଆଯିବ ।
ତୃତୀୟ ସ୍ତରରେ ଭୂସ୍ଖଳନ ହୋଇଥିବାରୁ ୨୦ ଫୁଟରୁ ଅଧିକ ମାଟି ତଳେ ନିଖୋଜ ବ୍ୟକ୍ତି ଚାପି ହୋଇ ରହିଥିବା ଆଶଙ୍କା ରହିଛି । ବଡ଼ ବଡ଼ ପଥରକୁ ବ୍ଲାଷ୍ଟିଂ କଲେ ପୁଣି ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ବ୍ଲାଷ୍ଟିଂ ନକରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ସେପଟେ ଅସ୍ଥାୟୀ ଉଦ୍ଧାର ଗୃହରେ ରହୁଥିବା ଲୋକଙ୍କ ପରମ୍ପରା ଓ ରୀତିନୀତି ପାଳନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ।
📱 Get Argus News App
✨Related Topics
Explore more stories