ଜଟିଳ ରୋଗର ସରଳ ଚିକିତ୍ସା ହୋମିଓପାଥି

ଭୁବନେଶ୍ୱର: ଗରିବଙ୍କ ଭରସାର ଚିକିତ୍ସା ଓଡ଼ିଶାରେ ଅବହେଳିତ । ବିଶ୍ବ ହୋମିଓପାଥୀ ଦିବସରେ ଜଟିଳ ରୋଗର ଏହି ସରଳ ଚିକିତ୍ସାକୁ ଅଣଦେଖା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ । ରାଜ୍ୟରେ ଉପେକ୍ଷିତ ହୋମିଓପାଥି ପାଠପଢା ଓ ଚିକିତ୍ସା । ଚାହିଦା ଅଛି କିନ୍ତୁ ଭୂତ୍ତିଭୂମି ଓ ନିଯୁକ୍ତି ନାହିଁ । ପାସ୍ ଆଉଟ୍ ପରେ ଚାକିରି ନପାଇ ବେକାର୍ ହୋଇ ବୁଲୁଛନ୍ତି 4 ହଜାର ଡାକ୍ତରୀ ଛାତ୍ରଛାତ୍ରୀ । ଆଜି ବିଶ୍ଵ ପାଳୁଛି ହୋମିଓପାଥି ଦିବସ । କମ୍ ପଇସାରେ ଅଧିକ ପ୍ରଭାବଶାଳୀ ଚିକିତ୍ସା ।. ଅନେକ ପୁରୁଣା ରୋଗ ଚିକିତ୍ସାରେ ବ୍ୟବହାର କରାଯାଏ ହୋମିଓପାଥି । ଶାରୀରିକ ସାମର୍ଥ୍ୟ ଓ ରୋଗପ୍ରତିରୋଧକ ପ୍ରଣାଳୀ ମଜଭୁତ କରିବାରେ ସାହାଯ୍ୟ କରେ ହୋମିଓପାଥି ।
ଏଲୋପାଥି, ଆୟୁର୍ବେଦ, ନାଚୁରୋପାଥି ଚିକିତ୍ସା ଭଳି ମଧ୍ୟ ହୋମିଓପାଥି ଚିକିତ୍ସାର ଏକ ପଦ୍ଧତି । ହୋମିଓପାଥିକୁ ଏକ ପ୍ରକାର ବରଦାନ ବୋଲି ଧରାଯାଏ। ବିଶେଷ କରି କୁନି କୁନି ପିଲାଙ୍କ ଚିକିତ୍ସା ପାଇଁ ହୋମିଓ ପାଥିକୁ ଅଧିକ ଗୁରୁତ୍ବ ଦିଆଯାଏ । ହେଲେ ଓଡ଼ିଶାରେ ରାଜ୍ୟ ସରକାର ହୋମିଓପାଥି ଚିକିତ୍ସା ଓ ପାଠପଢ଼ାକୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ନା ନିଯୁକ୍ତି ହେଉଛି ନା ପାଠପଢା ପାଇଁ ଭିତ୍ତିଭୂମି ଅଛି । ଅଧ୍ୟାପକ ନିଯୁକ୍ତି ମଧ୍ୟ ହେଉନି । ପିଜି ପାଠ୍ୟକ୍ରମ ପାଇଁ ବାରମ୍ବାର ଅନୁରୋଧ କଲା ସତ୍ତ୍ଵେ ମଧ୍ୟ ଶୁଣୁନାହାଁନ୍ତି ରାଜ୍ୟ ସରକାର । ଓଡ଼ିଶାର ଭୁବନେଶ୍ବର, ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁର ଏହି 4ଟି ସ୍ଥାନରେ ହୋମିଓପାଥି ମେଡିକାଲ୍ କଲେଜ ରହିଛି । 4ଟି କଲେଜରେ ମାତ୍ର 4ଟି ପିଜି ସିଟ୍ ରହିଛି । ନିଯୁକ୍ତି ସୁଯୋଗ ନଥିବାରୁ ପାସ୍ ଆଉଟ୍ ହେବା ପରେ ରାଜ୍ୟରେ 4 ହଜାର ଛାତ୍ରଛାତ୍ରୀ ବେକାର ହୋଇ ବୁଲୁଛନ୍ତି । ବାରିପଦାରେ କେବଳ ‘ସାଇନ୍ ବୋର୍ଡ’ରେ ହୋମିଓପାଥି କଲେଜ ରହିଗଲା । ହୋମିଓପାଥିର ଜନକ ଜର୍ମାନ୍ ଡାକ୍ତର ଖ୍ରୀଷ୍ଟିଆନ୍ ଫ୍ରେଡରିକ୍ ସାମୁଏଲ୍ ହାନେମ୍ୟାନ୍ ହୋମିଓପାଥିରେ ଚିକିତ୍ସା କରିବାର ମାର୍ଗ ପ୍ରସ୍ତୁତ କରିଥିଲେ । ହୋମିଓପାଥିରେ ଅସ୍ତ୍ରୋପଚାର ପରି ଜଟିଳ ପ୍ରକ୍ରିୟା ନଥାଏ ଏବଂ ଔଷଧଗୁଡ଼ିକର କୌଣସି ନକାରାତ୍ମକ ପାର୍ଶ୍ବ ପ୍ରତିକ୍ରିୟା ନଥିବାରୁ ଲୋକଙ୍କ ଦ୍ବାରା ଏହା ବେଶ୍ ଜନାଦୃତ ହୋଇଛି । ହେଲେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଓଡ଼ିଶାରେ ଏହା ଅବହେଳିତ ।
ଅଧିକ ପଢନ୍ତୁ ଓଡ଼ିଶା ଖବର