Videos
|
Odisha

Elephant Death / ହାତୀ-ମଣିଷ ଲଢେଇରେ ଗଡ଼ୁଛି ମୁଣ୍ଡ,ତିନି ବର୍ଷରେ ଗଲାଣି ୪୪୩ ଜଣଙ୍କ ଜୀବନ

Bikash Mohanty
Browse all articles by Bikash Mohanty
·46 mins ago·2 min read
ହାତୀ-ମଣିଷ ଲଢେଇରେ ଗଡ଼ୁଛି ମୁଣ୍ଡ,ତିନି ବର୍ଷରେ ଗଲାଣି ୪୪୩ ଜଣଙ୍କ ଜୀବନ
Elephant

Key Points

 ଆଜି ବିଶ୍ୱ ହାତୀ ଦିବସ
ହାତୀ-ମଣିଷ ଲଢେଇରେ ଗଡ଼ୁଛି ମୁଣ୍ଡ
ତିନି ବର୍ଷରେ ଗଲାଣି ୪୪୩ ଜଣଙ୍କ ଜୀବନ

ଭୁବନେଶ୍ବର,୧୨/୦୮ଆଜି ବିଶ୍ୱ ହାତୀ ଦିବସ । ହାତୀ ସୁରକ୍ଷାର ବାର୍ତ୍ତା ହିଁ ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଓଡ଼ିଶାରେ ୨୧୦୦ ରୁ ଅଧିକ ହାତୀ ଅଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ହସ୍ତୀ ଦିବସ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଚାଲିଛି । ଏଥରର ଥିମ୍ ରହିଛି"Conserve, Educate, Inspire"। ଅର୍ଥାତ ସଂରକ୍ଷଣ କର, ଶିକ୍ଷା ଦିଅ, ଓ ପ୍ରେରଣା ନିଅ। ସେପଟେ ରାଜ୍ୟରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି ହାତୀ-ମଣିଷ ସଂଘର୍ଷ। ଜଙ୍ଗଲରେ ପର୍ଯ୍ୟାପ୍ତ ଖାଦ୍ୟ ଓ ପାଣି ଥାଇ ମଧ୍ୟ ବଣୁଆ ହାତୀମାନେ ଅଧିକ ହିଂସ୍ର ଓ ଆକ୍ରମଣାତ୍ମକ ହେଉଛନ୍ତି। ବନ ବିଭାଗ ପକ୍ଷରୁ କରାଯାଇଥିବା ଏକ ସ୍ୱତନ୍ତ୍ର ଅଧ୍ୟୟନରୁ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।

ତିନି ବର୍ଷରେ ୪୪୩ ଜଣଙ୍କ ଜୀବନ ଗଲା

ଗତ ୩ ବର୍ଷ ଭିତରେ ରାଜ୍ୟର ୫୧ଟି ବନଖଣ୍ଡରେ ହାତୀ ଆକ୍ରମଣରେ ୪୪୩ ଜଣଙ୍କ ପ୍ରାଣହାନୀ ଘଟିଛି। ଏଥିମଧ୍ୟରୁ ସର୍ବାଧିକ ଢେଙ୍କାନାଳ ବନଖଣ୍ଡରେ ୯୧ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସମୟ ମଧ୍ୟରେ ୫,୫୮୭ଟି ଘର ଆଂଶିକ ଭାଙ୍ଗିଥିବା ବେଳେ ୧,୦୫୦ଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ସେହିପରି ୪୭,୪୯୯.୧୨ ଏକର ଫସଲ ନଷ୍ଟ ହୋଇଥିବା ତଥ୍ୟ ମିଳିଛି।

ଅନ୍ୟପକ୍ଷରେ, ଗତ ୩ ବର୍ଷରେ ରାଜ୍ୟରେ ୨୬୪ଟି ହାତୀଙ୍କ ମୃତ୍ୟୁ ଘଟିଛି। ସେଥିରୁ ୧୩୨ଟି ପ୍ରାକୃତିକ କାରଣରୁ ଏବଂ ୧୩୨ଟି ଅପ୍ରାକୃତିକ କାରଣରୁ ପ୍ରାଣ ହରାଇଛନ୍ତି। ସେହିପରି ୪ଟି ମହାବଳ ବାଘ, ୨୫ଟି କଲରାପତରିଆ ବାଘ ଏବଂ ୧,୪୨୬ଟି ଅନ୍ୟାନ୍ୟ ବନ୍ୟଜନ୍ତୁଙ୍କ ମୃତ୍ୟୁ ଘଟିଥିବା ବେଳେ କେବଳ ଶିକାରୀଙ୍କ ଦ୍ୱାରା ୪୪୭ଟି ବନ୍ୟଜନ୍ତୁଙ୍କ ଜୀବନ ଯାଇଛି। ବନ୍ୟଜନ୍ତୁ ଶିକାର ଅଭିଯୋଗରେ ୩,୦୭୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି।

ପଢନ୍ତୁ ଏହି ଖବର: ଓଲଟିଲା ଶ୍ରମିକଙ୍କୁ ନେଇ ଫେରୁଥିବା ପିକଅପ୍ ଭ୍ୟାନ୍; ଜଣେ ମୃତ, ୨୫ରୁ ଅଧିକ ଆହତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରିଲ୍ସ ନିଶା ଆଣୁଛି ବିପଦ

ଜଙ୍ଗଲରେ ଖାଦ୍ୟ ଥାଇ ମଧ୍ୟ ଗାଁର ଧାନ, ଫସଲ, ସୁସ୍ୱାଦୁ ଫଳ ଓ ପନିପରିବା ହାତୀଙ୍କୁ ଅଧିକ ଆକର୍ଷିତ କରୁଛି। ଫଳରେ ସେମାନେ ବାରମ୍ବାର ଗାଁ ମୁହାଁ ହେଉଛନ୍ତି। ଏହାସହ ଆଉ ଏକ ବଡ଼ କାରଣ ପାଲଟିଛି ସୋସିଆଲ ମିଡିଆ ରିଲ୍ସ ନିଶା।

କିଛି ଯୁବକ ଭିଡିଓ ଭାଇରାଲ କରିବା ନିଶାରେ ହାତୀ ନିକଟକୁ ଯାଇ ସେମାନଙ୍କୁ ଉତ୍ତେଜିତ କରୁଛନ୍ତି। କେହି ହାତୀର ଲାଙ୍ଗୁଡ଼ ଟାଣୁଛନ୍ତି ତ କେହି ଦାନ୍ତ ଧରି ସେଲ୍ଫି ନେଉଛନ୍ତି। ଆଉ କେହି ହାତୀ ଶୋଇଥିବା ବେଳେ ଟେକାପଥର ମାରିବା ସହ ବାଡ଼ିରେ ବାଡ଼େଇ ହଇରାଣ କରୁଛନ୍ତି। ଏହି ମାନବକୃତ ଉତ୍ତେଜନାର ପ୍ରଭାବ ସିଧାସଳଖ ହାତୀଙ୍କ ବ୍ୟବହାରରେ ପଡ଼ୁଥିବା ବେଳେ ଗତ ୧୫ ଦିନ ମଧ୍ୟରେ ହାତୀ ଆକ୍ରମଣରେ ପ୍ରାୟ ୭୦ଟି ଘର ଭାଙ୍ଗିବା ସହ ଜଣଙ୍କର ମୃତ୍ୟୁ ଘଟିଛି।

କେନ୍ଦୁଝରରେ ସ୍ଥିତି ଅତି ସମ୍ବେଦନଶୀଳ

ସୂଚନା ଅନୁସାରେ, କେନ୍ଦୁଝର ବନଖଣ୍ଡରେ ଏବେ ୧୫୭ଟି ହାତୀ ୧୬ଟି ଦଳରେ ବିଭକ୍ତ ହୋଇ ରହିଛନ୍ତି। ବିଶେଷକରି ପାଟଣା ଓ ଚମ୍ପୁଆ ଅଞ୍ଚଳରେ ସ୍ଥିତି ଅତି ଚିନ୍ତାଜନକ ରହିଛି। ଗୋଟିଏ ୨୬ ଟିକିଆ ହାତୀ ପଲ ଏହି ଅଞ୍ଚଳରେ ଘୁରି ବୁଲୁଥିବା ବେଳେ କେବଳ ଗତ ୧୫ ଦିନ ଭିତରେ ୪୫ଟି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି, ଯାହାଫଳରେ ମଣିଷ ଓ ହାତୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି।