Videos
|
Odisha

Humane Sagar Death Mystery / ହ୍ୟୁମାନ ସାଗରଙ୍କ ମୃ*ତ୍ୟୁକୁ ପୂରିଲା ବର୍ଷେ, ଏବେ ବି ରହସ୍ୟ ଘେରରେ ମୃତ୍ୟୁର ଅସଲ କାରଣ

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ହ୍ୟୁମାନ ସାଗରଙ୍କ ମୃ*ତ୍ୟୁକୁ ପୂରିଲା ବର୍ଷେ, ଏବେ ବି ରହସ୍ୟ ଘେରରେ ମୃତ୍ୟୁର ଅସଲ କାରଣ
Humane Sagar

Key Points

ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ପୂରିଲା ବର୍ଷେ
୧୫ ଜଣଙ୍କ ନାଁରେ ଏତଲା ପରେ ବି ପୋଲିସ ହାତ ଖାଲି
ଚାପି ଦିଆଯାଇଛି କି ହ୍ୟୁମାନଙ୍କ ମୃତ୍ୟୁ ମାମଲା ?



ଓଡ଼ିଆ ସଙ୍ଗୀତ ଜଗତର ସେହି ଯାଦୁକରୀ କଣ୍ଠଶିଳ୍ପୀ, ଯାହାଙ୍କ ଗୀତ ବିନା ଅଧୁରା ଥିଲା ଓଡ଼ିଆ ସିନେମା ଆଉ ଆଲବମ୍ । କୋଟି କୋଟି ଶ୍ରୋତାଙ୍କ ହୃଦୟରେ ରାଜ୍ କରୁଥିବା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗକୁ ଆଜି ପୂରିଛି ପୂରା ଏକ ବର୍ଷ । ହେଲେ ବର୍ଷେ ବିତିଯାଇଥିଲେ ବି ତାଙ୍କ ମୃତ୍ୟୁ ଉପରୁ ଆଜି ଯାଏଁ ଉଠିପାରିଲା ନାହିଁ ପରଦା । ମୃତ୍ୟୁ ପଛରେ ଥିବା ସନ୍ଦେହକୁ ନେଇ ତାଙ୍କ ମାଆ ଶେଫାଳୀ ସୁନା କଟକ ମର୍କତନଗର ଥାନାରେ ପ୍ରାୟ ୧୫ ଜଣଙ୍କ ନାଁରେ ଏତଲା ଦେଇଥିଲେ । କିନ୍ତୁ ଦୁଃଖର ବିଷୟ, ବର୍ଷେ ପରେ ବି ପୋଲିସ ହାତ ଖାଲି । ନା କାହାକୁ ଗିରଫ କରାଗଲା, ନା ସାମ୍ନାକୁ ଆସିଲା ସତ । ହ୍ୟୁମାନଙ୍କ ମୃତ୍ୟୁ ପଛରେ ରହିଛି କି କିଛି ବଡ଼ ଷଡ଼ଯନ୍ତ୍ର? କାହିଁକି ଶିଥିଳ ପଡ଼ିଛି ତଦନ୍ତ ?

ସେ ଥିଲେ ଓଡ଼ିଆ ସଙ୍ଗୀତ ଜଗତର ଏକ ଅନନ୍ୟ ପ୍ରତିଭା । ନିଜ ନିଆରା କଣ୍ଠସ୍ୱର ଆଉ ଭାବପୂର୍ଣ୍ଣ ଗାୟକୀରେ ସେ ବାନ୍ଧି ରଖିଥିଲେ ପୂରା ଓଡ଼ିଶାକୁ । ହ୍ୟୁମାନ ସାଗର । ହଜାର ହଜାର ସୁପରହିଟ୍ ଗୀତ ଭେଟି ଦେଇ ସେ ପାଲଟିଯାଇଥିଲେ ଯୁବପିଢ଼ିଙ୍କ ହାର୍ଟଥ୍ରୋବ୍ । କିନ୍ତୁ ସଫଳତାର ଶୀର୍ଷରେ ଥିବା ବେଳେ ହଠାତ୍ ଲିଭିଯାଇଥିଲା ଏହି ଉଜ୍ଜ୍ୱଳ ତାରକାଙ୍କ ଜୀବନ ଦୀପ । ସନ୍ଦେହଜନକ ପରିସ୍ଥିତିରେ ତାଙ୍କର ଅକାଳ ମୃତ୍ୟୁ ସ୍ତବ୍ଧ କରିଦେଇଥିଲା ପୂରା ଓଡ଼ିଶାକୁ । ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଆଜି ପୂରା ଏକ ବର୍ଷ ବିତିଛି । ହେଲେ ଯେଉଁ ପ୍ରଶ୍ନ ସେଦିନ ଥିଲା, ଆଜି ବି ସେହି ପ୍ରଶ୍ନ ଅସମାହିତ ହୋଇ ରହିଛି ।

ହ୍ୟୁମାନଙ୍କ ମୃତ୍ୟୁ ସ୍ୱାଭାବିକ ନଥିଲା ବୋଲି ଅଭିଯୋଗ ଆଣିଥିଲେ ଖୋଦ୍ ତାଙ୍କ ମାଆ ଶେଫାଳୀ ସୁନା । ପୁଅର ମୃତ୍ୟୁ ପଛରେ ଥିବା ସନ୍ଦେହକୁ ନେଇ ସେ କଟକ ମର୍କତନଗର ଥାନାର ଦ୍ୱାରସ୍ଥ ହୋଇଥିଲେ । କେବଳ ସେତିକି ନୁହେଁ, ଏହି ଘଟଣାରେ ସମ୍ପୃକ୍ତି ଥିବା ଦର୍ଶାଇ ପ୍ରାୟ ୧୫ ଜଣଙ୍କ ନାଁରେ ଲିଖିତ ଏତଲା ମଧ୍ୟ ଦେଇଥିଲେ। କିନ୍ତୁ ଏତଲାକୁ ବର୍ଷେ ପୂରିବାକୁ ବସିଥିଲେ ବି କମିଶନରେଟ୍ ପୋଲିସର ହାତ ଏବେ ବି ଖାଲି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଠାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି, ପୋଲିସର ତଦନ୍ତ ପ୍ରକ୍ରିୟାକୁ ନେଇ । ବର୍ଷକ ଭିତରେ ପୋଲିସ ନା କାହାକୁ ଗିରଫ କରିପାରିଲା, ନା ମୃତ୍ୟୁ ଉପରୁ ପରଦା ଉଠାଇପାରିଲା । ହ୍ୟୁମାନଙ୍କ ମୃତ୍ୟୁ କିପରି ହେଲା ? ଚିକିତ୍ସା କ୍ଷେତ୍ରରେ କାହାର ଅବହେଳା ଥିଲା କି ? ନା ଜାଣିଶୁଣି ତାଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଆଯାଇଥିଲା ? କେବଳ ସେତିକି ନୁହେଁ, ହ୍ୟୁମାନ ସାଗରଙ୍କ କୋଟି କୋଟି ଟଙ୍କାର ଆର୍ଥିକ କାରବାର କିଏ ସମ୍ଭାଳୁଥିଲା ? ଅର୍ଥ ଲୋଭରେ ତାଙ୍କ ମୃତ୍ୟୁ ପଛରେ କିଛି ବଡ଼ ଷଡ଼ଯନ୍ତ୍ର ରଚାଯାଇଥିଲା କି ? ପୋଲିସ ଏ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ନିରପେକ୍ଷ ତଦନ୍ତ କରିବାର ଥିଲା । ହେଲେ ତଦନ୍ତ ଆଗକୁ ବଢ଼ିବା ବଦଳରେ କାହିଁକି ଏହାକୁ ଚାପି ଦିଆଗଲା, ତାହା ଏବେ ସବୁଠାରୁ ବଡ଼ ସନ୍ଦେହ ଘେରରେ ।

ସେପଟେ ପୋଲିସର ସେହି ଚିରାଚରିତ ଉତ୍ତର - ମାମଲାର ତଦନ୍ତ ଏବେ ବି ଜାରି ରହିଛି । କିନ୍ତୁ ଏହି ତଦନ୍ତ ଆଉ କେତେ ଦିନ ଚାଲିବ ? ଜଣେ ଲୋକପ୍ରିୟ କଳାକାରଙ୍କ ମାଆଙ୍କୁ ନ୍ୟାୟ ପାଇବା ପାଇଁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ? ହ୍ୟୁମାନ ସାଗରଙ୍କ ଅଗଣିତ ପ୍ରଶଂସକ ଆଜି ବି ଅପେକ୍ଷା କରିଛନ୍ତି, କେବେ ସାମ୍ନାକୁ ଆସିବ ଅସଲ ସତ ଆଉ କେବେ ଦୋଷୀଙ୍କୁ ମିଳିବ କଠୋର ଦଣ୍ଡ ।