Videos
|
Odisha

Human on Moon / ଚନ୍ଦ୍ରରେ ରହିବେ ମଣିଷ, ଆସନ୍ତୁ ଜାଣିବା କେଉଁଠୁ ଆସିବ ବିଜୁଳି ପାଣି ଓ ପବନ

Bikash Mohanty
Browse all articles by Bikash Mohanty
·47 mins ago·2 min read
ଚନ୍ଦ୍ରରେ ରହିବେ ମଣିଷ, ଆସନ୍ତୁ ଜାଣିବା  କେଉଁଠୁ ଆସିବ ବିଜୁଳି ପାଣି ଓ ପବନ
Moon

Key Points

ଦିନେ ଚନ୍ଦ୍ରରେ ରହିବେ ମଣିଷ!
ବିଜୁଳି, ପାଣି ଓ ଅମ୍ଳଜାନ ପାଇଁ  ଯୋଜନା ପ୍ରସ୍ତୁତ ହେଉଛି
ନାସା ସମେତ ବିଭିନ୍ନ ମହାକାଶ ସଂସ୍ଥା ଏବଂ ଘରୋଇ କମ୍ପାନୀ କରୁଛନ୍ତି ଯୋଜନା
ଭୁବନେଶ୍ୱର: ଦିନେ ଚନ୍ଦ୍ରରେ ରହିବେ ମଣିଷ! ପୃଥିବୀ ବାହାରେ ସ୍ଥାୟୀ ମାନବ ବସତି ସ୍ଥାପନ କରିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ବୈଜ୍ଞାନିକ ଓ ମହାକାଶ ସଂସ୍ଥା। ଚନ୍ଦ୍ରରେ ଘର ନିର୍ମାଣଠାରୁ ଆରମ୍ଭ କରି ବିଜୁଳି, ପାଣି ଓ ନିଶ୍ୱାସ ନେବା ପାଇଁ ଅମ୍ଳଜାନ ଯୋଗାଣ ପର୍ଯ୍ୟନ୍ତ ସବୁକିଛିର ଯୋଜନା ପ୍ରସ୍ତୁତ ହେଉଛି। ନାସା ସମେତ ବିଭିନ୍ନ ମହାକାଶ ସଂସ୍ଥା ଏବଂ ଘରୋଇ କମ୍ପାନୀ ଏହି ଦିଗରେ କାମ କରୁଛନ୍ତି।

ଚନ୍ଦ୍ରର ମାଟିରେ ତିଆରି ହେବ ଘର

ଚନ୍ଦ୍ରରେ ବସତି ନିର୍ମାଣର ସବୁଠାରୁ ବଡ଼ ଆହ୍ୱାନ ହେଉଛି ନିର୍ମାଣ ସାମଗ୍ରୀ ପରିବହନ। ପୃଥିବୀରୁ ଭାରୀ ସାମଗ୍ରୀ ଚନ୍ଦ୍ରକୁ ନେବା ବ୍ୟୟବହୁଳ। ତେଣୁ ସେଠାକାର ମାଟି ଓ ପଥର ବ୍ୟବହାର କରି ଘର ତିଆରି କରିବାକୁ ଯୋଜନା ହେଉଛି। ଚନ୍ଦ୍ରର ଧୂଳି ଓ ପଥରକୁ ‘ରେଗୋଲିଥ୍‌’ କୁହାଯାଏ। ଲେଜର୍‌ ଓ 3D ପ୍ରିଣ୍ଟିଂ ଭଳି ଜ୍ଞାନକୌଶଳ ସାହାଯ୍ୟରେ ଏହାକୁ ଦୃଢ଼ ନିର୍ମାଣ ସାମଗ୍ରୀରେ ପରିଣତ କରିବା ଉପରେ ଗବେଷଣା ଚାଲିଛି।

ଲାଭା ଟନେଲ୍‌ ଦେବ ପ୍ରାକୃତିକ ସୁରକ୍ଷା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚନ୍ଦ୍ର ପୃଷ୍ଠରେ ଘର ନିର୍ମାଣ ସହ ଭୂତଳରେ ଥିବା ପ୍ରାକୃତିକ ଲାଭା ଟନେଲ୍‌କୁ ବ୍ୟବହାର କରିବା ନେଇ ମଧ୍ୟ ଯୋଜନା ରହିଛି। ଏହି ଟନେଲ୍‌ ମହାକାଶର କ୍ଷତିକାରକ ବିକିରଣ, ଉଲ୍‌କାପିଣ୍ଡ ଏବଂ ତାପମାତ୍ରାର ଅତ୍ୟଧିକ ପରିବର୍ତ୍ତନରୁ ସୁରକ୍ଷା ଦେଇପାରିବ।

ପଢନ୍ତୁ ଏହି ଖବର: କ'ଣ ଏହି ହନିଟ୍ରାପ୍, କିଏ ହୋଇଥିଲେ ଏହାର ପ୍ରଥମ ଶିକାର ? ଆସନ୍ତୁ ଜାଣିବା

ସୌର ଓ ପରମାଣୁ ଶକ୍ତିରୁ ମିଳିବ ବିଜୁଳି

ଚନ୍ଦ୍ରର ଦକ୍ଷିଣ ମେରୁରେ ଦୀର୍ଘ ସମୟ ସୂର୍ଯ୍ୟକିରଣ ପାଉଥିବା ସ୍ଥାନରେ ସୌର ପ୍ୟାନେଲ୍‌ ସ୍ଥାପନ କରିବାକୁ ଯୋଜନା ହେଉଛି। ଏହା ସହ ନାସା ୨୦୩୦ ସୁଦ୍ଧା ଚନ୍ଦ୍ରରେ ପ୍ରାୟ ୪୦ କିଲୋୱାଟ୍‌ କ୍ଷମତାର ଏକ ଛୋଟ ପରମାଣୁ ଶକ୍ତି ବ୍ୟବସ୍ଥା ସ୍ଥାପନ ଲକ୍ଷ୍ୟ ରଖିଛି। ଏହା ଦୀର୍ଘ ଚନ୍ଦ୍ରରାତିରେ ମଧ୍ୟ ବିଦ୍ୟୁତ୍‌ ଯୋଗାଣରେ ସହାୟକ ହୋଇପାରିବ।

ବରଫରୁ ମିଳିବ ପାଣି ଓ ଅମ୍ଳଜାନ


ଚନ୍ଦ୍ରର ମେରୁ ଅଞ୍ଚଳର କିଛି ଛାୟାଯୁକ୍ତ ଗର୍ତ୍ତରେ ଜଳବରଫ ଥିବା ପ୍ରମାଣ ମିଳିଛି। ଏହାକୁ ରୋବୋଟିକ୍‌ ଯନ୍ତ୍ର ସାହାଯ୍ୟରେ ଉତ୍ତୋଳନ କରି ବିଶୋଧନ ପରେ ପାନୀୟ ଜଳ ଭାବେ ବ୍ୟବହାର କରିବାର ଯୋଜନା ରହିଛି। ସେହିପରି ଚନ୍ଦ୍ର ମାଟିରେ ଥିବା ଅକ୍ସାଇଡ୍‌ରୁ ଅମ୍ଳଜାନ ବାହାର କରିବା ଉପରେ ଗବେଷଣା ଚାଲିଛି। ଜଳବରଫର ବିଦ୍ୟୁତ୍‌ ବିଶ୍ଳେଷଣ କରି ହାଇଡ୍ରୋଜେନ୍‌ ଓ ଅମ୍ଳଜାନ ମଧ୍ୟ ମିଳିପାରିବ, ଯାହା ରକେଟ୍‌ ଇନ୍ଧନ ପ୍ରସ୍ତୁତିରେ କାମ ଆସିବ।


ତେବେ ଏହି ସବୁ ଯୋଜନା ଏବେ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ବିକାଶର ବିଭିନ୍ନ ପର୍ଯ୍ୟାୟରେ ରହିଛି। ଏହା ସଫଳ ହେଲେ ଭବିଷ୍ୟତରେ ଚନ୍ଦ୍ରରେ ମଣିଷର ସ୍ଥାୟୀ ବସତି ସ୍ଥାପନ ପାଇଁ ବାଟ ଖୋଲିପାରିବ।