ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ଅର୍ଗସ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ବଡଗଡ ଥାନା ଅନ୍ତର୍ଗତ ରୁଗୁମୁ ଗ୍ରାମରେ ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ଆଜି ସକାଳ ଦଶ ଘଣ୍ଟା ସମୟରେ ଗ୍ରାମର ଗୁଡିଆଆମ୍ବ ଛକରେ ଏହି ହତ୍ୟାକାଣ୍ଡ ଘଟିଛି । ମିଥୁନ ସ୍ୱାଇଁ ମାତ୍ରାଧିକ ମଦ୍ୟପାନ କରି ନିଜ ସ୍ତ୍ରୀ ଲିଲିଙ୍କ ସହ ସହ ଝଗଡା କରି ଅଚାନକ ଧାରୁଆ ଅସ୍ତ୍ରରେ ବେକ ଓ ମୁଣ୍ଡକୁ ହାଣିଦେବା ପରେ ଲିଲିର ଚିତ୍କାର ଶୁଣି ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାକୁ ତୁରନ୍ତ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ଆସିକା ଏସଡିପିଓ ଉମା ଶଙ୍କର ସିଂ, ବଡଗଡ ଥାନା ଏସଆଇ ଅମରକାନ୍ତ ଷଡ଼ଙ୍ଗୀ ପ୍ରମୁଖ ମେଡିକାଲରେ ପହଞ୍ଚି ଧରାକୋଟ ଅତିରିକ୍ତ ତହସିଲଦାର ଗଣେଶ ଦଳେଇଙ୍କ ଉପସ୍ଥିତିରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଲିଲିଙ୍କ ବାପା କୁଲଗଡ ଗ୍ରାମର ଖାଲି ବିଷୋୟୀଙ୍କ ଏତଲା କ୍ରମେ ବଡଗଡ ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ଆସାମୀ ମିଥୁନ ସ୍ୱାଇଁକୁ ଗିରଫ କରି ଅଧିକ ତଦନ୍ତ ଚଳାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର