ଶପଥପାଠର 6 ଘଣ୍ଟା ଭିତରେ ପ୍ରଥମ କ୍ୟାବିନେଟ୍ ଲଗାଇଲା ମୋହର

ଅର୍ଗସ ବ୍ୟୁରୋ: ଓଡ଼ିଶାରେ ଦାୟିତ୍ବ ନେଲା ବିଜେପି ସରକାର, ରାଜ୍ୟରୁ କବର ନେଲା କଳାପାହାଡ଼ିଆ ମାନସିକତା। ହଟିଲା ଜଗନ୍ନାଥ ପ୍ରେମୀଙ୍କ ଉପରୁ କଟକଣା। କଥା ଦେଇ କଥା ରଖିଲେ ବିଜେପି ସରକାର। ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ବାର। ଗୁରୁବାର ମଙ୍ଗଳ ଆଳତି ସହ ସବୁ ଦ୍ବାର ଦେଇ ବଡ଼ ଦେଉଳରେ ପ୍ରବେଶ କରିଛନ୍ତି ଭକ୍ତ। 4 ବର୍ଷ ଧରି ଭକ୍ତଙ୍କ ଉପରେ ବନ୍ଧା ଯାଇଥିବା ଏହି କଟକଣାର ଶୃଙ୍ଖଳକୁ ଛିଡ଼ାଇବା ପାଇଁ ନିଜେ ମନ୍ତ୍ରିମଣ୍ଡଳ ସହଯୋଗୀଙ୍କୁ ଧରି ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ମୋହନ ମାଝି।
ଗତ 4 ବର୍ଷ ଧରି ପ୍ରବଳ ଯାତନା ଭୋଗି ଆସୁଥିଲେ କାଳିଆ ଭକ୍ତ। ନିଜ ଆରାଧ୍ୟଙ୍କୁ ଦର୍ଶନ ପାଇଁ ଘଣ୍ଟା ଘଣ୍ଟା ଧରି ଠେଲାପେଲା ସହି ଧାଡ଼ିରେ ଅପେକ୍ଷା କରିବାକୁ ପଡୁଥିଲା। ଅହଂକାରୀ ବିଜେଡି ସରକାର ବିରୋଧୀ ଓ ଜଗନ୍ନାଥ ପ୍ରେମୀଙ୍କର ସବୁ ହାରି ଗୁହାରୀକୁ ପଦାଘତ କରି ନିଜ ନିଷ୍ପତିରେ ଅଟଳ ରହିଥିଲେ। ଗତ ବର୍ଷ କେବଳ ପଶ୍ଚିମ ଦ୍ବାର ଦେଇ ପୁରୀ ବାସିନ୍ଦାଙ୍କୁ ବହୁ କଷ୍ଟରେ ପ୍ରବେଶ ଅନୁମତି ଦେଇଥିଲେ ନବୀନ ସରକାର। ତାହା ପୁଣି ଆଧାର କାର୍ଡ ଦେଖାଇବା ପରେ। ଆଉ ଏବେ ଯେତେବେଳ ସେସବୁ ଯାନତାର ଅନ୍ତ ଘଟିଛି କାଳିଆ ଭକ୍ତଙ୍କର ଖୁସି କହିଲେ ନସରେ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନୂଆ ରାଜ୍ୟ ସରକାରଙ୍କ ନିଷ୍ପତିକୁ ସ୍ବାଗତ ଜଣାଇଛନ୍ତି। ଆଉ କହିଛନ୍ତି ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ପୂରଣ କରିଛୁ।
ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯିବା ପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକ୍ସ ଜରିଆରେ ଶୁଭେଛା ଜଣାଇଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଆଉ ପ୍ରଶ୍ନ ଉଠାଇଛନ୍ତି ଯଦି ରାତି ରାତି ମିଟିଂ ଡାକି ଏ ନିଷ୍ପତ୍ତି ନୂଆ ସରକାର ନେଇ ପାରିଲେ ତେବେ ଅନେକ ବିବାଦ ପରେ ବି କାହିଁକି ପୂର୍ବରୁ ନିଷ୍ପତ୍ତି ହୋଇପାରୁନଥିଲା।
24 ମହାଲଢେଇରେ ବଡ଼ ପ୍ରସଙ୍ଗ ବନିଥିଲା ଓଡ଼ିଆ ଅସ୍ମିତା। ଏହି ଅସ୍ମିତାର ପ୍ରତୀକ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। 4 ଦ୍ବାର ଖୋଲିବା, ଭିତର ରତ୍ନ ଭଣ୍ଡାରରର ଚାବି ହଜିବା ଆଦି ପ୍ରସଙ୍ଗରେ ବିଜେଡି ସରକାରଙ୍କୁ ଘେରିଥିଲେ ବିଜେପି ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ବ। ଓଡ଼ିଶାରେ ବିଜେପି ସରକାର ବନିଲେ 4 ଦ୍ବାର ଖୋଲାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ।
📱 Get Argus News App
✨ପ୍ରଥମ ପ୍ରତିଶ୍ରୁତି ରଖିଛନ୍ତି ବିଜେପି ସରକାର। ଶପଥର 6 ଘଣ୍ଟା ମଧ୍ୟରେ ଚାରି ଦ୍ବାରା ଖୋଲିବାକୁ ନେଇଛନ୍ତି ନିଷ୍ପତି। ବାକି ରହିଲା ରତ୍ନ ଭଣ୍ଡାର ଚାବି ହଜିବା ନେଇ ଗଠିତ କମିଶନଙ୍କ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବା। ଏହି ପ୍ରତିଶ୍ରୁତି ବି ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରଣ କରିବେ କି ବିଜେପି ସରକାର ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର