Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ICAR ପାଳିଲା ଭୁବନେଶ୍ବରର 37 ତମ ପ୍ରତିଷ୍ଠା ଦିବସ

Odisha

ICAR ପାଳିଲା ଭୁବନେଶ୍ବରର 37 ତମ ପ୍ରତିଷ୍ଠା ଦିବସ

Ritu Das
Browse all articles by Ritu Das
·2 years ago·2 min read
ICAR ପାଳିଲା ଭୁବନେଶ୍ବରର 37 ତମ ପ୍ରତିଷ୍ଠା ଦିବସ

ଅର୍ଗସ ବ୍ୟୁରୋ: ଆଇସିଏଆର ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ ଭୁବନେଶ୍ବର ତାର 37 ତମ ପ୍ରତିଷ୍ଠା ଦିବସ ରବିବାର ପାଳନ କରିଛି । ଏହି ଅବସରରେ ଡକ୍ଟର ସୁରେଶ କୁମାର ଚୌଧୁରୀ, ଉପ ମହାନିର୍ଦ୍ଦେଶକ (ପ୍ରାକୃତିକ ସମ୍ପଦ ପରିଚାଳନା ), ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଭାକୁ ଉଦଘାଟନ କରିଥିଲେ। ସେ କହିଲେ ଯେ ଆଗାମୀ ଦିନରେ ସମସ୍ତଙ୍କୁ ଜଳ ସୁରକ୍ଷା ପ୍ରଦାନ କରିବା ସବୁଠୁ ବଡ ଆହ୍ଵାନ । ଦେଶରେ ଭୂତଳ ଜଳସ୍ତର ହ୍ରାସ, ମୃତ୍ତିକା ସ୍ୱାସ୍ଥ୍ୟ ଓ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବୈଜ୍ଞାନିକ ମାନେ ସ୍ୱଳ୍ପ ଖର୍ଚ୍ଚରେ ପରିବେଶ ଅନୁକୂଳ ଜଳସଞ୍ଚୟକାରୀ କୃଷି ପଦ୍ଧତି ବିକାଶ କରିବା ଉପରେ ସେ ଗୁରୁତ୍ଵ ଦେଇଥିଲେ । 

ଓୟୁଏଟିର କୁଳପତି ପ୍ରଫେସର ଡକ୍ଟର ପ୍ରଭାତ କୁମାର ରାଉଳ ତାଙ୍କ ପ୍ରତିଷ୍ଠା ଦିବସ ବ୍ୟାଖ୍ୟାନରେ କହିଲେ ଯେ ଆମ ଦେଶରେ ମୁଣ୍ଡପିଛା ଜଳ ଉପଲବ୍ଧତାର କ୍ରମାଗତ  ହ୍ରାସ, ଏକ ବଡ ଚିନ୍ତାର କାରଣ। ଡା. ରାଉଳ ଆହୁରି ମଧ୍ୟ କହିଲେ ଯେ, ଆମର ଫସଲ  ଖସଡା, ଫସଲର ଜଳ ଆବଶ୍ୟକତା ଓ ଆଞ୍ଚଳିକ ଜଳ ସମ୍ପଦ ଉପଲବ୍ଧତା ଆଧାରିତ ହେବା ଆବଶ୍ୟକ। କେନ୍ଦ୍ରୀୟ ଭୂଜଳ ବିକାଶ ନିଗମର ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ଅମ୍ବଷ୍ଟ  କହିଲେ ଯେ ପର୍ଯ୍ୟାପ୍ତ ଭୂଜଳ ଭରଣ ପାଇଁ ଆମକୁ ବିଭିନ୍ନ ଭିତ୍ତିଭୂମିର ବିକାଶ କରିବାକୁ ପଡିବ ଓ କେନାଲ କ୍ଷେତ୍ରରେ ମଧ୍ୟ ଜଳ ଉତ୍ପାଦକତା ବୃଦ୍ଧି ପାଇଁ ପଦକ୍ଷେପ ନେବାକୁ ହେବ। 

ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅମରେଶ କୁମାର ନାୟକ ଧାନ ଫସଲ ସବୁଠୁ ଅଧିକ ଜଳ ଉପଯୋଗ କରୁଥିବାରୁ ଅମଳ ହ୍ରାସ ନ କରି ତାର ଜଳ ଉତ୍ପାଦକତା ବୃଦ୍ଧି ପାଇଁ ନିଆ ଯାଉଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ସର୍ବପ୍ରଥମେ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅର୍ଜମାଦତ୍ତ ଷଡଙ୍ଗୀ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିବା ସହିତ ଅନୁଷ୍ଠାନରୁ  ବିକଶିତ ଜଳ ସଞ୍ଚୟକାରୀ କୃଷି ପଦ୍ଧତି ସହିତ ସେନ୍ସର ଆଧାରିତ ସ୍ଵୟଂ ଚାଳିତ ଜଳ ସେଚନ ପ୍ରଣାଳୀ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେ ଆହୁରି କହିଲେ ଯେ ସ୍ଵୟଂ ଚାଳିତ ଜଳ ସେଚନ ବ୍ୟବସ୍ଥାର ଆଦୃତି ପାଇଁ କୃଷକ ମାନଙ୍କ ବିଲରେ ପ୍ରଦର୍ଶିତ ଓ ସତ୍ୟାପିତ କରିବାର ଆବଶ୍ୟକତା ଅଛି । ଅନୁଷ୍ଠାନର ମାନ ବୃଦ୍ଧି ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କର୍ମଚାରୀ ଓ ବିଦାୟୀ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । 

ଅତିଥିମାନେ ପ୍ରତିଷ୍ଠାନରୁ ପ୍ରକାଶିତ ବିଭିନ୍ନ ଯୋଜନା ପତ୍ର ଓ ଗବେଷଣା ବୁଲେଟିନ ଉନ୍ମୋଚନ କରିଥିଲେ । ଅପରାହ୍ନରେ ନେରିୱାଳ୍ମର ନିର୍ଦ୍ଦେଶକ ଡକ୍ଟର ପ୍ରଦୀପ କୁମାର ବୋରା କୃଷି ଜଳ ଉତ୍ପାଦକତା ବୃଦ୍ଧି ପାଇଁ ଝରଣା ସ୍ରୋତ ପରିଚାଳନା ଶୀର୍ଷକରେ ତାଙ୍କର ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାରେ କାର୍ଯ୍ୟରତ ବିଭିନ୍ନ ଆଇସିଏମଆର ଅନୁଷ୍ଠାନର ନିର୍ଦ୍ଦେଶକ ଆଞ୍ଚଳିକ କେନ୍ଦ୍ରର ମୁଖ୍ୟ, ଓଡିଶା ସରକାରଙ୍କ ବିଭିନ୍ନ ପଦାଧିକାରୀ ଯୋଗ ଦେଇଥିଲେ ।  ଶେଷରେ ପ୍ରତିଷ୍ଠା ଦିବସକୁ ଆହୁରି ମନୋରମ କରିବାପାଇଁ କର୍ମଚାରୀଙ୍କ ଦ୍ଵାରା ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ  “ଜଳତରଙ୍ଗ” ଆୟୋଜିତ ହୋଇଥିଲା। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Sponsored
ICAR celebrated | Argus News