Videos
|
Odisha

ବାଲିଯାତ୍ରା ଫୁଡ ଷ୍ଟଲରେ ଭଲ ଖାଦ୍ୟ ବିକ୍ରି ନ କଲେ ଦେବାକୁ ପଡ଼ିବ ଜରିମାନା

Ritu Das
Browse all articles by Ritu Das
·2 years ago·2 min read
ବାଲିଯାତ୍ରା ଫୁଡ ଷ୍ଟଲରେ ଭଲ ଖାଦ୍ୟ ବିକ୍ରି ନ କଲେ ଦେବାକୁ ପଡ଼ିବ ଜରିମାନା

ଅର୍ଗସ ବ୍ୟୁରୋ: କଟକ ବାଲିଯାତ୍ରା ବୁଲିବା ଆଉ ସେଠାରେ ଠୁଙ୍କା ପୁରୀ ଖାଇବାକୁ ଲୋକଙ୍କ କ୍ରେଜ ରହିଛି। କିନ୍ତୁ ଏହି ଖାଦ୍ୟର ମାନ ଠିକ ଅଛି କି ନାହିଁ ତାହା ବି ଦେଖିବାକୁ ପଡ଼ିବ। ନଚେତ ଲୋକେ ଏହାକୁ ଖାଇ ବିଭିନ୍ନ ପ୍ରକାର ରୋଗରେ ପଡ଼ିବେ। ସେଥିପାଇଁ ସିଏମସି ଏନେଇ ତତ୍ପର ହୋଇଛି। ଆଜି ହେଉଛି ଐତିହାସିକ ବାଲିଯାତ୍ରାର ତୃତୀୟ ଦିନ। ଏଥିପାଇଁ ଉପର ଓ ତଳ ପଡିଆରେ ଲୋକଙ୍କ ଭିଡ ଜମି ଆସିଲାଣି। ପ୍ରତିଦିନ ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଲୋକମାନେ ଯାତ୍ରା ବୁଲାବୁଲି ଓ କିଣାକିଣି କରିବା ସହ ସୁସ୍ବାଦୁ ଖାଦ୍ୟ ଖାଉଛନ୍ତି। ତେବେ କେତେକ ଅସାଧୁ ବ୍ୟବସାୟୀ ବାସି ତଥା ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗ ପାଇ ସିଏମସି ସ୍ବାସ୍ଥ୍ୟ ବିଭାଗ ଓ ଖାଦ୍ୟର ମାନ ଯାଞ୍ଚ କରୁଥିବା ଟିମ ଆଜି ଲଗାତାର ଦ୍ବିତୀୟ ଦିନ ପାଇଁ ଚଢାଉ କରିଛନ୍ତି। ତଳ ଓ ଉପର ପଡିଆରେ ଚଢାଉ କରି ପ୍ରାୟ ପାଞ୍ଚ କ୍ବିଣ୍ଟାଲ ଖାଦ୍ୟ ନଷ୍ଟ କରିଛନ୍ତି। ବହୁ ପରିମାଣରେ ଭଜା ମାଛ, ଚିକେନ ପକୋଡା, ମୋମୋ, ସିଙ୍ଗଡା, ଫାଷ୍ଟ ଫୁଡ, ଟମାଟୋ ସସ୍, ଅସ୍ବାସ୍ଥ୍ୟକର ରଙ୍ଗ, ମଥୁରା କେକ୍ ନଷ୍ଟ କରିଛନ୍ତି। ଏଥି ସହିତ ସିଏମସି ଚଢାଉ କରିବା ସହ ବ୍ୟବସାୟୀଙ୍କୁ ଟିମ ତାଗିଦ କରିବ। ଏପରି ଆଗକୁ କଲେ ବଡ ଫାଇନ ଓ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ଚେତାବନୀ ଦେଇଛନ୍ତି।

ସନ୍ଧ୍ୟା ହେଲା ମାତ୍ରେ ବାଲିଯାତ୍ରା ପଡ଼ିଆରେ ଦେଖିବାକୁ ମିଳେ ଲୋକଙ୍କ ଭିଡ। ଆମିଷ ହେଉ କି ନିରାମିଷ ବିଭିନ୍ନ ଖାଦ୍ୟ ଷ୍ଟଲରେ ଲୋକେ ଖାଇବାର ମଜା ନିଅନ୍ତି। କିନ୍ତୁ କିଛି ଅସାଧୁ ବ୍ୟବସାୟୀ ଅଛନ୍ତି ଯେଉଁମାନେ ଏଭଳି ବାସି ଓ ରାସାୟନିକ ରଙ୍ଗ ମିଶେଇ ଲୋକଙ୍କୁ ଖାଦ୍ୟ ପରଷି ମୋଟା ଅଙ୍କର ପଇସା ରୋଜଗାର କରିବା ଲକ୍ଷ୍ୟରେ ଲୋକଙ୍କ ସ୍ବାସ୍ଥ୍ୟ ସହ ଖେଳୁଛନ୍ତି। ଏଭଳି ନ କରି ସ୍ୱାସ୍ଥ୍ୟକର ଖାଦ୍ୟ ଦେବା ପାଇଁ ପର୍ଯ୍ୟଟକ କହିଛନ୍ତି।

ଲୋକ ମାନଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ କରିବା ନିହାତି ଭାବେ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ତେବେ ଐତିହାସିକ ବାଲିଯାତ୍ରାରେ ଲୋକଙ୍କ ସ୍ବାସ୍ଥ୍ୟକୁ ପ୍ରଥମେ ଧ୍ୟାନ ରଖିବା ନିହାତି ଦରକାର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
If you don't sell | Argus News