Videos
|
Odisha

IITF 2026 / IITF-୨୦୨୬ରେ ଓଡ଼ିଶାର କୃଷିଜାତ ଦ୍ରବ୍ୟର ପ୍ରବଳ ଚାହିଦା, ପାଭିଲିୟନରେ ବିକ୍ରି ୧୦ ଲକ୍ଷ ଟଙ୍କା ଟପିଲା

Santosh Kumar Sahoo
Browse all articles by Santosh Kumar Sahoo
·31 mins ago·2 min read
IITF-୨୦୨୬ରେ ଓଡ଼ିଶାର କୃଷିଜାତ ଦ୍ରବ୍ୟର ପ୍ରବଳ ଚାହିଦା, ପାଭିଲିୟନରେ ବିକ୍ରି ୧୦ ଲକ୍ଷ ଟଙ୍କା ଟପିଲା
IITF 2026

Key Points

IITF-୨୦୨୬ରେ ଓଡ଼ିଶାର କୃଷିଜାତ ଦ୍ରବ୍ୟର ଧମାକା
ପାଭିଲିୟନରେ ଗ୍ରାହକଙ୍କ ପ୍ରବଳ ଭିଡ଼
୧୦ ଲକ୍ଷ ଟଙ୍କା ପାର୍ କଲା ବିକ୍ରି

ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା (IITF)-୨୦୨୬ରେ ଓଡ଼ିଶାର କୃଷିଜାତ ଦ୍ରବ୍ୟ ଓ ପାରମ୍ପରିକ ଖାଦ୍ୟ ସାମଗ୍ରୀକୁ ମିଳୁଛି ବ୍ୟାପକ ଆଦର । ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ର ହଲ୍‌-୩ରେ ଆୟୋଜିତ ୪୫ତମ ଆନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନରେ ବିଭିନ୍ନ କୃଷିଜାତ ଉତ୍ପାଦ କିଣିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି । ଏହାର ପ୍ରଭାବରେ ନଭେମ୍ବର ୧୬ ତାରିଖ ସନ୍ଧ୍ୟା ସୁଦ୍ଧା ପାଭିଲିୟନରେ ଅଂଶଗ୍ରହଣକାରୀ ସମସ୍ତ ଷ୍ଟଲର ମୋଟ ବିକ୍ରି ୧୦ ଲକ୍ଷ ଟଙ୍କା ଅତିକ୍ରମ କରିଛି ।
ଓଡ଼ିଶାର ପାରମ୍ପରିକ ଚାଉଳ, ସୁଗନ୍ଧିତ ଚାଉଳ, କଳା ଚାଉଳ, ମସଲା, ଡାଲି, ମାଣ୍ଡିଆ ଓ ବିଭିନ୍ନ କ୍ଷୁଦ୍ରଶସ୍ୟ ଗ୍ରାହକଙ୍କ ମନ ଜିଣୁଛି । ବିଶେଷକରି ଲାଲବାଲସା, ସୁନାଖାଡ଼ିକା ଓ ହଳଦୀଚୁଡ଼ି ଭଳି ଦେଶୀ ଧାନ କିସମ ସହ କଳା ଚାଉଳ ଏବଂ ସୁଗନ୍ଧିତ ଚାଉଳ ପ୍ରତି ଗ୍ରାହକଙ୍କ ଆଗ୍ରହ ଅଧିକ ରହିଛି । ସେହିପରି ଅଦା, ହଳଦୀ, ଲଙ୍କା, ଗୋଲମରିଚ ଓ ସୋରିଷ ତେଲ ମଧ୍ୟ ବେଶ୍ ଚାହିଦାରେ ରହିଛି ।

ମାଣ୍ଡିଆ ସମେତ କୋଦୋ, ସୁଆଁ, କାଙ୍ଗୁ, ଜୁଆର, ମକା ଓ ପାଳୁଅ ଗୁଣ୍ଡ ଭଳି ଉତ୍ପାଦ ମଧ୍ୟ ପ୍ରଦର୍ଶିତ ହେଉଛି । ଏହା ସହିତ ମାଣ୍ଡିଆ, ଜୁଆର, ସୁଆଁ ଓ ବାଜରାରୁ ପ୍ରସ୍ତୁତ କୁକିଜ୍ ଏବଂ ନଡ଼ିଆ କୁକିଜ୍ ଗ୍ରାହକଙ୍କୁ ଆକର୍ଷିତ କରୁଛି । ଏହି ଉତ୍ପାଦଗୁଡ଼ିକ ଓଡ଼ିଶାର କୃଷି ବିବିଧତା ସହ ଖାଦ୍ୟ ପ୍ରକ୍ରିୟାକରଣ ଓ ମୂଲ୍ୟବୃଦ୍ଧିର ନୂଆ ସମ୍ଭାବନାକୁ ଉଜାଗର କରୁଛି ।

କେବଳ କୃଷିଜାତ ସାମଗ୍ରୀ ନୁହେଁ, ଓଡ଼ିଶା ପାଭିଲିୟନରେ ରାଜ୍ୟର ସମୃଦ୍ଧ କଳା, ସଂସ୍କୃତି ଓ ହସ୍ତଶିଳ୍ପର ମଧ୍ୟ ଆକର୍ଷଣୀୟ ପ୍ରଦର୍ଶନ ହେଉଛି । ସମ୍ବଲପୁରୀ ବସ୍ତ୍ର, ପଟ୍ଟଚିତ୍ର, ରୌପ୍ୟ ତାରକସି, ଢୋକ୍ରା ଶିଳ୍ପ, ତାଳପତ୍ର ଖୋଦେଇ ଓ ବିଭିନ୍ନ GI ଟ୍ୟାଗ୍‌ଯୁକ୍ତ ଉତ୍ପାଦ ଦର୍ଶକଙ୍କ ପ୍ରଶଂସା ସାଉଁଟୁଛି ।

ଏହି ମେଳାରେ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ, ଓରମାସ୍‌, ଓମଫେଡ୍‌ ସମେତ ବିଭିନ୍ନ ସଂସ୍ଥା, ଉତ୍ପାଦକ ଗୋଷ୍ଠୀ, କାରିଗର ଓ ଗ୍ରାମୀଣ ଉଦ୍ୟୋଗୀ ଅଂଶଗ୍ରହଣ କରିଛନ୍ତି। ହସ୍ତତନ୍ତ, ହସ୍ତଶିଳ୍ପ, ଦୁଗ୍ଧଜାତ ଦ୍ରବ୍ୟ, ଜନଜାତି ଉତ୍ପାଦ ଓ ଜଙ୍ଗଲଜାତ ସାମଗ୍ରୀ ମଧ୍ୟ ପ୍ରଦର୍ଶନୀର ଅନ୍ୟତମ ଆକର୍ଷଣ ପାଲଟିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପକ୍ଷରେ, ଓଡ଼ିଶାର ଉତ୍ପାଦକମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ିବା ଲକ୍ଷ୍ୟରେ ପାଭିଲିୟନରେ ସ୍ୱତନ୍ତ୍ର ରପ୍ତାନି ଓ ବ୍ୟବସାୟ-ରୁ-ବ୍ୟବସାୟ (B2B) ଆଲୋଚନାର ବ୍ୟବସ୍ଥା କରାଯାଇଛି । ଏହାଦ୍ୱାରା ଉତ୍ପାଦକ, କ୍ରେତା, ରପ୍ତାନିକାରୀ ଓ ନିବେଶକଙ୍କ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ସୁଦୃଢ଼ ହେବାର ଆଶା ରହିଛି ।
IITF-୨୦୨୬ରେ ଓଡ଼ିଶାର ଏହି ସଫଳ ଅଂଶଗ୍ରହଣ ରାଜ୍ୟର କୃଷିଜାତ ଉତ୍ପାଦ, ପାରମ୍ପରିକ ଖାଦ୍ୟ ଓ ହସ୍ତଶିଳ୍ପର ବଜାର ସମ୍ଭାବନାକୁ ନୂଆ ପରିଚୟ ଦେଇଛି । ଏହା କୃଷକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କାରିଗର ଓ ଗ୍ରାମୀଣ ଉଦ୍ୟୋଗୀଙ୍କ ପାଇଁ ନୂଆ ବ୍ୟବସାୟିକ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି । ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଭାରତ ମଣ୍ଡପମ୍‌ର ହଲ୍‌-୩ରେ ଓଡ଼ିଶା ପାଭିଲିୟନ ଦର୍ଶକଙ୍କ ପାଇଁ ଖୋଲା ରହିବ ।